ଦେଶ

ଗାଜା ସହରରେ ପଶିଲା ଇସ୍ରାଏଲ ଟ୍ୟାଙ୍କ୍‌: ୨୪ ଘଣ୍ଟାରେ ୬୦୦ ହମାସ୍‌ ଆଡ଼ାରେ ଆକ୍ରମଣ – Ibnodisha

[ad_1]

ନୂଆଦିଲ୍ଲୀ : ଉତ୍ତର ଏବଂ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲୀ ସେନା ଏହାର ସ୍ଥଳ ଅଭିଯାନକୁ ଜୋରଦାର କରିଛି। ଗାଜାର ପ୍ରମୁଖ ରାସ୍ତାରେ ଇସ୍ରାଏଲୀ ଟ୍ୟାଙ୍କ୍‌ରୁ ଗୁଳିଗୋଳା ମାଡ଼ ହେଉଛି। ଇସ୍ରାଏଲୀ ଟ୍ୟାଙ୍କ୍‌ ଏବଂ ବୁଲଡୋଜର ଗାଜାର ମୁଖ୍ୟ ଉତ୍ତର-ଦକ୍ଷିଣ ରାଜପଥ ଅବରୋଧ କରିଛି। ପ୍ରମୁଖ ରାସ୍ତାମାନଙ୍କରେ ଗାଡ଼ି ମୋଟରକୁ ଟାର୍ଗେଟ୍‌ କରି ଟ୍ୟାଙ୍କ୍‌ରୁ ଗୁଳିଗୋଳା ମାଡ଼ ‌ହେଉଛି। ହମାସ୍‌ ବିରୋଧରେ ଦ୍ବିତୀୟ ପର୍ଯ୍ୟାୟ ଯୁଦ୍ଧ ଆରମ୍ଭ ହୋଇଛି ବୋଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିଥିବାବେଳେ ଏହି ସମୟରେ ଇସ୍ରାଏଲ ସେନା ଏହାର ଆକ୍ରମଣକୁ ଅଧିକ ବିସ୍ତାର କରିଛି। ଉଭୟ ପକ୍ଷର ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗାଜାରେ ମୃତ୍ୟୁ ସଂଖ୍ୟା ୮ ହଜାର ଟପିଥିବାବେଳେ ଇସ୍ରାଏଲରେ ମୃତ୍ୟୁସଂଖ୍ୟା ୧୪୦୦ରୁ ଅଧିକ ରହିଛି। ଗାଜାରେ କେବଳ ୩,୩୨୪ ଶିଶୁଙ୍କର ମୃତ୍ୟୁ ହୋଇଛି। ଇସ୍ରାଏଲ ସେନା ଅନୁଯାୟୀ ୨୪ ଘଣ୍ଟାରେ ୬୦୦ ହମାସ୍‌ ଟାର୍ଗେଟ୍‌ ଉପରେ ଆକ୍ରମଣ କରିଛି। ଗତକାଲି ରାତିରେ ହମାସ୍‌ ଆଡ଼ା ଉପରେ ହୋଇଥିବା ଆକ୍ରମଣ ଯୋଗୁ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି। ଅନ୍ୟପକ୍ଷେ ହମାସ୍‌ ଆତଙ୍କବାଦୀ ‌ଗୋଷ୍ଠୀ ପକ୍ଷରୁ ମଧ୍ୟ ଇସ୍ରାଏଲକୁ ଟାର୍ଗେଟ୍‌ କରି ରକେଟ୍‌ ମାଡ଼ ଜାରି ରହିଥିବା ଜଣାପଡ଼ିଛି। ଇତି ମଧ୍ୟରେ ଉତ୍ତର ଗାଜା‌ରେ ହସ୍ପିଟାଲ୍‌ ଗୁଡ଼ିକ ଉପରେ ଆକ୍ରମଣ ଭୟ ରହିଛି। ଉତ୍ତର ଗାଜା ସହରର ସିଫା ଏବଂ ଅଲ୍‌ କୁଦ୍‌ସ ହସ୍ପିଟାଲ ନିକଟରେ ବିମାନ ଆକ୍ରମଣ ହୋଇଛି। ଉତ୍ତର ଗାଜାରେ ସମସ୍ତ ୧୦ଟି ହସ୍ପିଟାଲରୁ ଲୋକଙ୍କୁ ଖାଲି କରିବାକୁ କୁହାଯାଇଛି। କିନ୍ତୁ ଏଠାରୁ ନାଗରିକଙ୍କୁ ଖାଲି କରିବା ପ୍ରକ୍ରିୟା ଆରମ୍ଭ ହୋଇପାରିନି। ଏହାଦ୍ବାରା ଅନେକ ରୋଗୀଙ୍କର ମୃତ୍ୟୁ ହୋଇଯିବ ବୋଲି କୁହାଯାଉଛି। ଇସ୍ରାଏଲୀ ସେନା ଦ୍ବାରା ଗାଜାରେ ସ୍ଥଳ ଅଭିଯାନର କିଛି ଫଟୋ ଜାରି ହୋଇଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ କେଉଁ ସ୍ଥାନରେ ଇସ୍ରାଏଲୀ ସେନା ମୁତୟନ ହୋଇଛନ୍ତି ସେନେଇ ଇସ୍ରାଏଲ ସେନା କୌଣସି ସ୍ପଷ୍ଟୀକରଣ ଦେଇନାହିଁ। ଅନ୍ୟପକ୍ଷେ ଇସ୍ରାଏଲ ଲେବାନନ୍‌ରେ ହେଜବୋଲ୍ଲା ଆଡ଼ା ଏବଂ ସିରିୟା‌ରେ ଘନ ଘନ ବିସ୍ଫୋରଣ କରିଛି। ହେଜବୋଲ୍ଲା ମଧ୍ୟ ଲେବାନନ୍‌ ସୀମା ନିକଟରେ ଇସ୍ରାଏଲର ଏକ ଡ୍ରୋନ୍‌କୁ କ୍ଷେପଣାସ୍ତ୍ର ମାଡ଼ କରି ଖସାଇ ଦେଇଥିବା ଦାବି କରିଛି। ହମାସ୍‌ ଆତଙ୍କବାଦୀ ଗୋଷ୍ଠୀ କହିଛି ଏହାର ସେନା ସଦସ୍ୟ ଗାଜାରେ ଇସ୍ରାଏଲୀ ସୈନିକଙ୍କ ସହ ଜୋରଦାର ଲଢ଼େଇ ଜାରି ରଖିଛନ୍ତି। ତେବେ ଇସ୍ରାଏଲ ଆକ୍ରମଣରେ ନାଗରିକଙ୍କ ମୃତ୍ୟୁସଂଖ୍ୟା ବଢ଼ୁଥିବାରୁ ଆମେରିକା ନାଗରିକଙ୍କ ସୁରକ୍ଷା ଦିଗ ପ୍ରତି ଧ୍ୟାନ ଦେବାକୁ ଇସ୍ରାଏଲକୁ ଅନୁରୋଧ କରିଛି। ଆମେରିକା‌ ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ କଥା ହୋଇ ନାଗରିକଙ୍କୁ ସୁରକ୍ଷା ଦେବାପାଇଁ ଅନୁରୋଧ କରିଛନ୍ତି। ଗାଜାରେ ଇସ୍ରାଏଲର ସ୍ଥଳ ଅଭିଯାନ ସଂକ୍ରାନ୍ତରେ ଆଜି ଜାତିସଂଘ ସୁରକ୍ଷା ପରିଷଦ ଏକ ଜରୁରୀ ବୈଠକ ଡାକିଛି। ଯୁଦ୍ଧ ବଢ଼ିବାରେ ଲାଗିଥିବାବେଳେ ହମାସ୍‌ ଆତଙ୍କବାଦୀମାନେ ପଣବନ୍ଦୀ ରଖିଥିବା ଇସ୍ରାଏଲୀ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଛି। କିନ୍ତୁ ଇସ୍ରାଏଲ ସେନା ଏହା ଆଶ୍ବସ୍ତ କରିଛି ଯେ ଯୁଦ୍ଧ ଦ୍ବାରା ହମାସ୍‌କୁ ଧ୍ବଂସ କରାଯିବ ଏବଂ ଏଥିସହ ପଣବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯିବ।

 

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button