କେନାଲକୁ ଖସିପଡିଲା କାର୍; ପାଣିରେ ବୁଡି ୫ ମୃତ – Ibnodisha
[ad_1]
ବେଙ୍ଗାଲୁରୁ: ଫଙ୍କ୍ସନ୍ ସାରି ଘରକୁ ଫେରୁଥିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା । ଭାରସାମ୍ୟ ହରାଇ କେନାଲକୁ ଖସି ପଡ଼ିଲା କାର୍ । ପାଣିରେ ବୁଡ଼ି ଚଲିଗଲା ୫ ଜଣଙ୍କ ଜୀବନ । କର୍ଣ୍ଣାଟକର ମାଣ୍ଡ୍ୟା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଖବର ପାଇ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରୁ ସମସ୍ତଙ୍କର ମୃତଦେହ ଉଦ୍ଧାର କରିଛନ୍ତି । ମୃତକମାନେ ତୁମାକୁରୁ ଜିଲ୍ଲା ନିବାସୀ । ସମସ୍ତେ କାଲି ସନ୍ଧ୍ୟାରେ ମହୀଶୂରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ବାଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏନେଇ ଆଜି(ବୁଧବାର) ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ, ମଙ୍ଗଳବାର ସନ୍ଧ୍ୟାରେ ୫ ଜଣ କୌଣସି ଫଙ୍କସନରେ ଯୋଗ ଦେଇ କାରରେ ମହୀଶୂରରୁ ଫେରୁଥିଲେ । ମାଣ୍ଡ୍ୟା ଜିଲ୍ଲାର ପଣ୍ଡାଭାପୁରା ନିକଟରେ ଗୋଟିଏ ବାଇକ୍ ହଠାତ୍ ସେମାନଙ୍କ କାର୍ ସାମ୍ନାକୁ ଚାଲି ଆସିଥିଲା ।
ବାଇକ୍ ଆରୋହୀଙ୍କୁ ଧକ୍କା ନଦେବାକୁ ଯାଇ କାର୍ ଚାଳକ ଗାଡ଼ି ବୁଲାଇ ଦେଇଥିଲେ । ହେଲେ ଗାଡ଼ିଟି ଭାରସାମ୍ୟ ହରାଇ ସେଠାରେ ଥିବା ବିଶ୍ୱେଶ୍ୱରାୟ କେନାଲ ମଧ୍ୟକୁ ଖସି ପଡ଼ିଥିଲା । ଫଳରେ କାର୍ରେ ଥିବା ୫ ଜଣ ଯାକ ପାଣିରେ ବୁଡ଼ି ଯାଇଥିଲେ ଏବଂ ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ଏନେଇ ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ । ପୋଲିସର ସୂଚନା ଅନୁସାରେ, ପାଣିରୁ ୫ଟି ମୃତଦେହ ଉଦ୍ଧାର କରାଯାଇଛି । ଆଜି ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ମୃତକମାନଙ୍କ ପରିଚୟ ଚନ୍ଦ୍ରାପ୍ପା(୬୧), କ୍ରିଷ୍ଣାପା(୬୦), ଧନଞ୍ଜୟ(୫୫), ବାବୁ ଓ ଜୟନ୍ନା ବୋଲି ଜଣାପଡିଛି । ସଭିଁଏ ସମ୍ପର୍କୀୟ । ସେମାନେ ତୁମାକୁରୁ ଜିଲ୍ଲା ଗଙ୍ଗରାହାଲ୍ଲି ନିବାସୀ ହୋଇଥିବା ବେଳେ ଭଦ୍ରାବତୀ ଅଞ୍ଚଳରେ ରହୁଥିଲେ । ଏହି ଦୁର୍ଘଟଣା ସମ୍ପର୍କରେ ସେମାନଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି । ଘଟଣାରେ ଅଧିକ ତଦନ୍ତ ଜାରି ରହିଛି ।
[ad_2]