ରାଜନୀତି

୫୦ ପ୍ରତିଶତ ପିସି ସରକାରଙ୍କ ‘ପିସି ସଂଗ୍ରହ କେନ୍ଦ୍ର’ ପାଲଟିଛି ବ୍ଲକ କାର୍ଯ୍ୟାଳୟ : ବିଜେପି – Ibnodisha

[ad_1]

 ଦୁର୍ନୀତିର ପରିମାଣ ଏତେ ବ୍ୟାପକ ହୋଇସାରିଛି ଯେ, ଓଡିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥରେ ଅଗ୍ରସର
 ପଲ୍ଲୀସଭା ଓ ଗ୍ରାମସଭା ନକରାଇ ପଂଚାୟତରାଜ ବ୍ୟବସ୍ଥାକୁ ହତ୍ୟା କରିଛି ବିଜେଡି
 ଆବାସ, ମନରେଗା, ପାଇଖାନା, ପାନୀୟ ଜଳ, ରାସନ, ଭତା ପାଇଁ ଆସୁଥିବା ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ବିଜେଡିର ନେତା, ମନ୍ତ୍ରୀ ଓ କୁଜିନେତା
 ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ମାନଙ୍କର କ୍ଷମତାକୁ ସଙ୍କୁଚିତ କରାଯାଇଛି
ଭୁବନେଶ୍ୱର : ଆବାସ, ମନରେଗା, ପାଇଖାନା, ପାନୀୟ ଜଳ, ରାସନ, ଭତା ପାଇଁ ରାଜ୍ୟର ଗରୀବଲୋକଙ୍କ ଉଦ୍ଦେଶ୍ୟରେ ଆସୁଥିବା ଟଙ୍କାକୁ ମିଳିମିଶି ଖାଇଯାଉଛନ୍ତି ବିଜେଡିର ନେତା, ମନ୍ତ୍ରୀ ଓ କୁଜିନେତା । ମୋଦି ସରକାର ଚତୁର୍ଦ୍ଦଶ ଓ ପଂଚଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ଗ୍ରାମାଂଚଳର ବିକାଶ ପାଇଁ ପ୍ରତ୍ୟେକ ପଂଚାୟତକୁ ସିଧାସଳଖ ପ୍ରଚୁର ମାତ୍ରାରେ ଟଙ୍କା ପଠାଇଛନ୍ତି । ମନ୍ଦ ଉଦ୍ଦେଶ୍ୟ ରଖି ଓ ଅନୈତିକ ଭାବେ ବିଜେଡି ଦଳର ନେତା, ମନ୍ତ୍ରୀ, କୁଜିନେତାଙ୍କୁ ପୋଷିବା ପାଇଁ ରାଜ୍ୟ ସରକାର ଚଂଚକତା କରି ଏହି ଟଙ୍କାକୁ ହଡପ୍ କରିଛନ୍ତି । ଏହା ବ୍ୟତୀତ ଅତୀତରେ “ଆମ ଗାଁ ଆମ ବିକାଶ” ଏବଂ ବର୍ତମାନ “ଆମ ଓଡିଶା, ନବୀନ ଓଡିଶା” ଯୋଜନା ନାଁରେ ହଜାର ହଜାର କୋଟି ଟଙ୍କା ହଡପ୍ କରାଯାଇଛି । ୫୦ ପ୍ରତିଶତ ପିସି ସରକାରଙ୍କ ‘ପିସି ସଂଗ୍ରହ କେନ୍ଦ୍ର’ ପାଲଟିଛି ବ୍ଲକ କାର୍ଯ୍ୟାଳୟ । ଦୁର୍ନୀତିର ପରିମାଣ ଏତେ ବ୍ୟାପକ ହୋଇସାରିଛି ଯେ, ଓଡିଶା ବିକାଶ ପଥରେ ନୁହେଁ ବରଂ ବିନାଶ ପଥରେ ଦୃତ ଗତିରେ ଅଗ୍ରସର ହେଉଛି । ରାଜ୍ୟରେ ବ୍ୟାପକ ଦୁର୍ନୀତି ବିରୋଧରେ ଆସନ୍ତା କାଲି ନଭେମ୍ବର ୧୪ ରୁ ୧୮ ତାରିଖ ପର୍ଯ୍ୟନ୍ତ ସମସ୍ତ ବ୍ଲକ ଓ ପୈାରାଂଚଳରେ ବିଜେପିର ଜନ ଆକ୍ରୋଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।
ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ରାଜେନ୍ଦ୍ର ପଣ୍ଡା କହିଛନ୍ତି ଯେ, ଓଡିଶାରେ ଚାଲିଛି ୫୦ପ୍ରତିଶତର ପିସି ସରକାର । ଏହା ଜାତୀୟସ୍ତରରେ ମଧ୍ୟ ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ପିସି ସଂଗ୍ରହର ଉତ୍ସ ବା କେନ୍ଦ୍ର ପାଲଟିଛି ରାଜ୍ୟର ସମସ୍ତ ବ୍ଲକ ଅଫିସ୍ । ରାଜ୍ୟରେ ଗ୍ରାମାଂଚଳ ବିକାଶ ପାଇଁ ବ୍ଲକକୁ ଯାଉଥିବା ଅର୍ଥକୁ ବ୍ୟାପକ ଚଂଚକତା କରି ହରିଲୁଟ୍ କରୁଛନ୍ତି ବ୍ଲକ କର୍ମଚାରୀ । ଏଥିରେ ସ୍ଥାନୀୟ ବିଜେଡିର କୁଜିନେତାମାନେ ମାଧ୍ୟମ ସାଜିଛନ୍ତି । ଦୁର୍ନୀତି କ୍ଷେତ୍ରରେ ଶୂନ ଟଲରାନ୍ସ କଥା କହି ଡିଣ୍ଡିମ ପିଟୁଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ଆବଟଂନରେ ବ୍ୟାପକ ଦୁର୍ନୀତି ଓ ଜାଲିଆତି କରି ଦଳୀୟ ଭିତିରେ ଅଯୋଗ୍ୟ ବ୍ୟକ୍ତିଙ୍କୁ ଘର ପ୍ରଦାନ କରୁଛି ବିଜେଡି ସରକାର । ଜଣେ ଜଣେ ଲୋକଙ୍କ ଠାରୁ ୨୦ରୁ ୩୦ହଜାର ପର୍ଯ୍ୟନ୍ତ ବିଜେଡି କର୍ମୀ, ବ୍ଲକ ଜିଆରଏସ୍ ଓ ପଂଚାୟତ ପିଇଓ ଲାଂଚ ଗ୍ରହଣ କରି ଅଯୋଗ୍ୟ ଲୋକମାନଙ୍କୁ ଘର ପ୍ରଦାନ କରୁଛନ୍ତି । ଫଳରେ ଚାଳ ଛପର ଘରେ ରହୁଥିବା ହଜାର ହଜାର ଯୋଗ୍ୟ ହିତାଧିକାରୀମାନେ ବର୍ତମାନ ସୁଦ୍ଧା ପକ୍କା ଘର ପାଇବାରୁ ବଂଚିତ ହେଉଛନ୍ତି । ରାଜ୍ୟ ସରକାରଙ୍କ ଅନୁରୋଧକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମୋଦି ସରକାର ରାଜ୍ୟକୁ ଆବଶ୍ୟକରୁ ଅଧିକ ଅର୍ଥାତ୨୯ଲକ୍ଷ ପକ୍କା ଘର ଆବଂଟନ କଲେ । ମାତ୍ର ଆଜି ବି ରାଜ୍ୟର ବହୁ ଅଂଚଳରେ ଗରିବ ସାଧାରଣ ଜନତା ଚାଳ ଛପର ମାଟି କାନ୍ଥ ଘରେ ଜୀବନ ବିତାଉଛନ୍ତି । ରାଜ୍ୟ ସରକାରଙ୍କର ଅବହେଳା, ସ୍ଥାଣୁତା ଓ ଅପାରଗତା ପାଇଁ ଆଜି ପାଖାପାଖି ସାଢେ ପାଂଚ ଲକ୍ଷ ପକ୍କା ଘର କେନ୍ଦ୍ରକୁ ଫେରିଯାଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
“ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିନ୍ତ କର୍ମନିଯୁକ୍ତି ଯୋଜନା” ଆଜି ବିଜେଡି କର୍ମୀମାନଙ୍କ ଅର୍ଥ ଯୋଗାଡ କରିବାର ବ୍ୟବସାୟ ପାଲଟିଛି । ଗରିବ ଶ୍ରମିକମାନଙ୍କ ପାଇଁ ଆସୁଥିବା ଏହି ଅର୍ଥକୁ ବ୍ୟାପକ ମାତ୍ରାରେ ହରିଲୁଟ୍ କରି ସ୍ଥାନୀୟ ବିଜେଡି ମନ୍ତ୍ରୀ, ବିଧାୟକ ଓ କର୍ମୀ ମାନେ ଏଥିରୁ ନିର୍ବାଚନ ପାଣ୍ଠି ସଂଗ୍ରହ କରି ନିର୍ବାଚନ ବୈତରଣୀ ପାର୍ ହେବା ପାଇଁ ଯୋଜନା କରିଛନ୍ତି । ଓଡିଶାର ବ୍ୟାପକ ଅଂଚଳରେ ମେସିନ୍ ମାଧ୍ୟମରେ କାମ କରାଯାଇ ଏହି ଅର୍ଥକୁ ଅନ୍ୟ ଦିଗରେ ଦୁରୂପଯୋଗ କରାଯାଉଛି ଫଳରେ ବ୍ଲକ ପ୍ରସାସନ ଠାରୁ ଆରମ୍ଭ କରି ବିଜେଡି କର୍ମୀମାନେ ଏହି ଯୋଜନାରୁ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ୍ କରି ଏହି ଅର୍ଥରେ ନିଜର ପକେଟ୍‌କୁ ଗରମ କରୁଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସ୍ୱଚ୍ଛ ଭାରତ ଅଭିଯାନରେ ଲକ୍ଷ ଲକ୍ଷ ପାଇଖାନା ଘର ନିର୍ମାଣ ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ଯୋଗାଇ ଦେଇଛନ୍ତି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ବିଜେଡି କର୍ମୀମାନେ ଦୁଇ ହଜାର ଟଙ୍କା ଲାଂଚ ନେଇ ବିଭିନ୍ନ ବ୍ୟକ୍ତି ମାନଙ୍କୁ ପାଇଖାନା ଘର ବଂଟନ କରୁଛନ୍ତି । ବହୁ ନିର୍ମିତ ପାଇଖାନା ଘର ଆଜି ବ୍ୟବହାର ପାଇଁ ଅନୁପଯୁକ୍ତ ହୋଇପଡିଛି । କିଛି ପାଇଖାନା ଘରେ ଗାଈ, ଛେଳି, ମେଣ୍ଢା ରହିବାର ଗଣମାଧ୍ୟମରେ ଆମେ ଦେଖିବାକୁ ପାଉଛୁ । ବହୁ ପଂଚାୟତରେ ଗୋଟିଏ ପାଇଖାନା ନର୍ମାଣ କରି ନାମଫଳକରେ ହିତାଧିକାରୀମାନଙ୍କ ନାମ ବାରମ୍ବାର ପରିବର୍ତନ କରି ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ କରୁଛନ୍ତି । ଏହି ଟଙ୍କା ହରିିଲୁଟ୍‌ର ମାଧ୍ୟମ ସାଜିଛନ୍ତି ବ୍ଲକ କର୍ମଚାରୀ ଏବଂ ବିଜେଡିର ସ୍ଥାନୀୟ କର୍ମୀ । ଫଳରେ ଆଜି ବି ବହୁ ମା’ ଭଉଣୀମାନେ ଏହି ପାଇଖାନା ଘର ପାଇବାରେ ବଂଚିତ ହୋଇ ଲୋଟା ଧରି ବାହାରକୁ ଶୌଚ ହେବାପାଇଁ ଯାଉଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ବିଧବା ଏବଂ ବାର୍ଦ୍ଧକ୍ୟ ଭତା ପ୍ରଦାନ କରିବାରେ ଆଜି ବିଜେଡି ସରକାର ବହୁ ପାତର ଅନ୍ତର ନୀତି ଅବଲମ୍ବନ କରୁଛନ୍ତି । ବିଜେଡି କର୍ମୀ ମାନେ ଗାଁ ଗହଳିରେ ଭତା ଟିଏ କରିଦେବା ପାଇଁ ହଜାର ହଜାର ଟଙ୍କା ଲାଂଚ ନେଉଛନ୍ତି । ଏକ ନମ୍ବର ମୁଖ୍ୟମନ୍ତ୍ରୀର ମିଛ ପ୍ରଚାର କରିଆସୁଥିବା ରାଜ୍ୟ ସରକାର ଭତା ପ୍ରଦାନ କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ପଛରେ ପଡିଯାଇଛନ୍ତି । ବିଜେଡି କର୍ମୀମାନଙ୍କ ସମ୍ପର୍କୀୟମାନଙ୍କୁ ୬୦ବର୍ଷ ହେବା ମାତ୍ରେ ସେମାନଙ୍କୁ ଭତା ପ୍ରଦାନ କରାଯାଉଛି । ଅନ୍ୟପକ୍ଷରେ ଆଜି ବି ୬୫ବର୍ଷରୁ ୮୫ବର୍ଷ ବୟସ ପର୍ଯ୍ୟନ୍ତ ଯୋଗ୍ୟ ବାର୍ଦ୍ଧକ୍ୟ ବ୍ୟକ୍ତି ଭତା ପାଇବାକୁ ଅନେଇ ବସିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।
ସେହିପରି ରାଜ୍ୟ ମୁଖପାତ୍ର ଶ୍ରୀ ତେଜେଶ୍ୱର ପରିଡା କହିଛନ୍ତି ଯେ, ଅତୀତରେ ପ୍ରତ୍ୟେକ ଗ୍ରାମରେ ପଲ୍ଲୀସଭା ଓ ଗ୍ରାମସଭା କରାଯାଇ ସେହି ଗ୍ରାମର ପ୍ରକଳ୍ପ ଚୟନ ଠାରୁ ଆରମ୍ଭ କରି କ୍ରିୟାନ୍ୱୟନ ପର୍ଯ୍ୟନ୍ତ ସମସ୍ତ ତଦାରଖ କାମ ପଲ୍ଲୀସଭା ମାଧ୍ୟମରେ କରାଯାଉଥିଲା । ସର୍ବୋଚ୍ଚ ନ୍ୟାୟାଳୟଙ୍କ ସିଧାସଳଖ ନିର୍ଦ୍ଦେଶନାମାକୁ ବେଖାତିର୍ କରି ଦୁର୍ନୀତିରେ ଉବୁଟୁବୁ ବିଜେଡି ସରକାର ପଲ୍ଲୀସଭାକୁ ବନ୍ଦ କରିଦେଲେ । ଫଳରେ ଗ୍ରାମାଂଚଳର ବିକାଶ ପାଇଁ ଯାଉଥିବା ବିଭିନ୍ନ ଯୋଜନାର ଅର୍ଥକୁ ବ୍ଲକ ଜେଇ ଜରିଆରେ କାର୍ଯ୍ୟକରି ଯୋଜନାର ଅର୍ଥ ରାଶିକୁ ଦିନ ଦ୍ୱିପହରରେ ହରିଲୁଟ୍ କରୁଛି ଏ ସରକାର ।
ସ୍ୱର୍ଗତଃ ବିଜୁ ପଟ୍ଟନାୟକ ନାମରେ ଗଠିତ ବିଜୁ ଜନତା ଦଳ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀକୁ ପଂଚାୟତିରାଜ ଦିବସ ଭାବରେ ସାରା ରାଜ୍ୟରେ ପାଳନ କରୁଛି । ବାସ୍ତବ କ୍ଷେତ୍ରରେ ଏ ସରକାରରେ ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ମାନଙ୍କର କ୍ଷମତାକୁ ସଙ୍କୁଚିତ କରିଛି । ପଂଚାୟତର ନିର୍ବାଚିତ ଜନପ୍ରତିନିଧି ମାନଙ୍କୁ ପ୍ରକଳ୍ପ ଚୟନ ଠାରୁ କ୍ରିୟାନ୍ୱୟନ ଇତ୍ୟାଦିରୁ ଦୂରେଇ ରଖି ବ୍ଲକ ଅଧିକାରୀମାନଙ୍କ ହାତରେ ସମସ୍ତ କାର୍ଯ୍ୟକୁ ବେଆଇନ ଭାବରେ ହସ୍ତାନ୍ତର କରିଛନ୍ତି । ଫଳରେ ସାରା ରାଜ୍ୟରେ ଆଜି ନିର୍ବାଚିତ ସରପଂଚ ଓ ସମିତିସଭ୍ୟ ମାନଙ୍କ ମଧ୍ୟରେ ଏକ ଅସନ୍ତୋଷର କୋହ ଗଢିଉଠିଛି । ଯାହାଫଳରେ ତାଙ୍କର ସାମ୍ବିଧାନି କ୍ଷମତାକୁ ହାସଲ କରିବା ପାଇଁ ସେମାନେ ବାରମ୍ବାର ବିଧାନସଭା ଆଗରେ ଧାରଣା ଦେବାପାଇଁ ପଛାଉନାହାଁନ୍ତି ବୋଲି ଶ୍ରୀ ପରିଡା କହିଛନ୍ତି ।
ନିର୍ବାଚନ ପାଖେଇ ଆସିଲେ ବିଜେଡି ସରକାର ଓଡିସାବାସୀଙ୍କୁ ବିଭ୍ରାନ୍ତ କରି ଭୋଟ୍ ହାସଲ କରିବାପାଇଁ ପୁଳାପୁଳା ମିଥ୍ୟା ଯୋଜନା ଘୋଷଣା କରିଥାନ୍ତି । ଯାହାର ସଦ୍ୟ ଉଦାହରଣ “ଆମ ଓଡିଶା ନବୀନ ଓଡିଶା ଯୋଜନା” ଏହି ଯୋଜନାରେ ପାଖାପାଖି ୫୦ଲକ୍ଷ ଟଙ୍କା ପ୍ରତି ପଂଚାୟତର ବିକାଶ ପାଇଁ ଖର୍ଚ୍ଚ କରାଯିବ । ଆମର ପ୍ରଶ୍ନ ରାଜ୍ୟ ସରକାରଙ୍କୁ ୨୪ବର୍ଷ ସାସନ ଭିତରେ କିଏ ମନା କରିଥିଲା ପଂଚାୟତର ବିକାଶ କରିବା ପାଇଁ? ଏଥିରୁ ସ୍ପଷ୍ଟ ପ୍ରମାଣିତ ରାଜ୍ୟ ସରକାର ପଂଚାୟତମାନଙ୍କର ବିକାଶ ନକରି ୨୪ବର୍ଷ ଧରି କୁମ୍ଭକର୍ଣ୍ଣ ନିଦରେ ଶୋଇଥିଲେ ନିର୍ବାଚନ ଆସିବାରୁ ହଠାତ୍ ତାଙ୍କର ନିଦ୍ରା ଭଙ୍ଗ ହୋଇଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ “ଆମ ଗାଁ ଆମ ବିକାଶ” ନାମରେ ଏକ ଯୋଜନା ଘୋଷଣା କରି ପାଖାପାଖି ୨ହଜାର କୋଟି ଓଡିଶା ରାଜକୋଷରୁ ହରିଲୁଟ୍ କରିଥିଲେ । ନିର୍ବାଚନ ପରେ ସେ ଯୋଜନାର ସମାଧି ଘଟିଲା । ସେଥିରେ ନା ଗାଁର ବିକାଶ ହେଲା ନା ପଂଚାୟତର ବିକାଶ ହେଲା ସେଥିରେ କେବଳ ବିଜେଡି ନେତା ଓ କର୍ମୀମାନଙ୍କର ବିକାଶ ହେଲା । ଏହି “ଆମ ଓଡିଶା ନବୀନ ଓଡିଶା ଯୋଜନା”ରେ ପାଖାପାଖି ୩ହଜାର ୫ଶହ କୋଟି ଟଙ୍କାକୁ ନିର୍ବାଚନ ପୂର୍ବରୁ ଦଳୀୟ ଭିତିରେ ବାଂଟି ଯୋଜନାକୁ ହରିଲୁଟ୍ କରି ନିର୍ବାଚନ ପାଣ୍ଠି ସଂଗ୍ରହ କରିବା ପାଇଁ ବିଜେଡି ସରକାର ମସୁଧା କରିଛନ୍ତି । ଏହି ଯୋଜନାର ପ୍ରକଳ୍ପ ଚୟନ ଠାରୁ ଆରମ୍ଭ କରି କ୍ରିୟାନ୍ୱୟନ ପର୍ଯ୍ୟନ୍ତ ପଲ୍ଲୀସଭା, ନିର୍ବାଚିତ ସରପଂଚ ଓ ସମିତିସଭ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଦୂରେଇ ରଖାଯାଉଛି । ଯାହାକି ପଂଚାୟତ ନିର୍ବାଚିତ ଜନପ୍ରତିନିଧିମାନଙ୍କର ସାମ୍ବିଧାନିକ ଅଧିକାରକୁ କୁଠାରଘାତ କରାଯାଉଛି ବୋଲି ଶ୍ରୀ ପରିଡା କହିଛନ୍ତି ।
ମାନ୍ୟବର ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ସାରା ଭାରତବର୍ଷରେ ଜଣେ ବ୍ୟକ୍ତି କେହି ଉପାସରେ ନରହୁ ଆଗାମୀ ପାଂଚବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ଚାଉଳ ବାଂଟିବା ପାଇଁ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଓଡିଶାରେ ରାଜ୍ୟସରକାରଙ୍କ ଅପାରଗତା ଓ ଅବହେଳା ପାଇଁ ବହୁ ଯୋଗ୍ୟ ବ୍ୟକ୍ତି ର‌୍ୟାସନକାର୍ଡ ଓ ପିଡିଏସ୍ ଚାଉଳ ପାଇବାରୁ ବଂଚିତ ହେଉଛନ୍ତି । ଡିଲର ଓ ବ୍ଲକର ସପ୍ଲାଏ ଅଧିକାରୀମାନଙ୍କ ମଧୁଚନ୍ଦ୍ରିକାରେ ହିତାଧିକାରୀମାନଙ୍କ ଚାଉଳକୁ ମାସ ମାସ ଧରି ନଦେଇ ଏହାକୁ ହରିଲୁଟ୍ କରୁଛନ୍ତି । ଫଳରେ ଅଧିକାଂଶ ବ୍ଲକରେ ପିଡିଏସ୍ ଚାଉଳ ବଂଟନ ବ୍ୟବସ୍ଥା ଦୁର୍ନୀତିରେ ଭରି ରହିଛି । ବିଜେଡି ସରକାରଙ୍କ ରାଜ୍ୟରେ ପିଡିଏସ୍ ଚାଉଳ ବଂଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ବୋଲି ଶ୍ରୀ ପରିଡା କହିଛନ୍ତି ।
ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସ୍ୱପ୍ନ ପ୍ରତି ଘରେ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଓ ସେଥିପାଇଁ ‘ହର ଘର ନଲ’ ଓ ‘ଜଳ ଜୀବନ ମିଶନ’ ଜରିଆରେ କେନ୍ଦ୍ର ସରକାର ରାଜ୍ୟକୁ ପ୍ରଚୁର ଅର୍ଥ ପଠାଉଥିବାବେଳେ ବ୍ୟାପକ ଦୁର୍ନୀତି, ନିମ୍ନମାନର କାର୍ଯ୍ୟ ପାଇଁ ଆଜି ଓଡିଶାର ସାଧାରଣ ଜନତା ପିଇବା ପାଣି ପାଇବାରୁ ବଂଚିତ ହେଉଛନ୍ତି । ଓଡିଶାର ବହୁ ଅଂଚଳରେ ପାଣି ଟାଙ୍କି ନିର୍ମାଣ ହୋଇଥିଲେ ମଧ୍ୟ ନିମ୍ନମାନର କାମ ପାଇଁ ଟାଙ୍କିକୁ ପାଣି ଲୋଡ୍ ହେଉନାହିଁ । ଏଥିପାଇଁ କିଛି କିଛି ଅଂଚଳରେ ମହିଳାମାନେ ଟାଙ୍କି ଉପରକୁ ଉଠି ପ୍ରତିବାଦର ସ୍ୱର ମଧ୍ୟ ଉଠାଇଛନ୍ତି ଯାହା ଆମେ ଗଣମାଧ୍ୟମରୁ ଜାଣିବାକୁ ପାଉଛୁ । ବିଜେଡି ସରକାରଙ୍କ ବେପାରୁଆ ଓ କୁପରିଚାଳନା ପାଇଁ ଆଜି ହଜାର ହଜାର ଲୋକ ଚୂଆରୁ ପାଣି ସଂଗ୍ରହ ପାଇଁ ଚାରିରୁ ପାଂଚ କିଲୋମିଟର ମୁଣ୍ଡରେ ମାଠିଆ ଧରି ବହୁ କଷ୍ଟରେ ଯିବାକୁ ପଡୁଛି ବୋଲି ଶ୍ରୀ ପରିଡା କହିଛନ୍ତି ।
ମହିଳା ସଶକ୍ତିକରଣ ପାଇଁ ଐତିହାସିକ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଣିଥିବା ମୋଦୀ ସରକାର ଗାଁ ଓ ସହରର ମହିଳା ମାନଙ୍କୁ ଆତ୍ମନିର୍ଭର ଓ ଆର୍ଥିକ ଭାବେ ସଶକ୍ତ କରିବା ପାଇଁ ମହିଳା ସ୍ୱୟଂ ସହାୟିକାଗୋଷ୍ଠୀ ନିମନ୍ତେ ରାଜ୍ୟକୁ ପ୍ରଚୁର ଅର୍ଥ ପ୍ରଦାନ କରୁଥିବାବେଳେ ଏହି ଅର୍ଥକୁ ନିଜର ବୋଲି କହି ମିଶନ ଶକ୍ତି ନାମରେ ବିଜେଡିର ଦଳୀୟ କାର୍ଯ୍ୟକ୍ରମ ଓ ସଭାରେ ସଂଖ୍ୟା ବଢାଇବା ପାଇଁ ଯୋଗ ଦେବା ପାଇଁ ବାଧ୍ୟ କରାଯାଉଛି । ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କ ମିତ୍ର ଚୟନରେ ପ୍ରତି ବ୍ଲକରେ ବ୍ୟାପକ ଚଂଚକତା କରି ଅନେକ ଯୋଗ୍ୟ ମହିଳାଙ୍କୁ ବାଦ୍ ଦିଆଯିବା ସହ ନିଯୁକ୍ତି ପାଇଁ ମୋଟା ରକମର ଅର୍ଥ ଲାଂଚ ନିଆଯିବା ସହ ଦଳୀୟ ଭିତିରେ ଚୟନ କରାଯାଇଛି ବୋଲି ଶ୍ରୀ ପରିଡା କହିଛନ୍ତି ।
ପଂଚାୟତ ଓ ବ୍ଲକ ସ୍ତରରେ ରାସ୍ତାଘାଟ, ପୋଲ, ପାନୀୟ ଜଳ, ଖେଳ ପଡିଆ, ଶିକ୍ଷା, ସ୍ୱାସ୍ଥ୍ୟ, ଅଙ୍ଗନବାଡି କେନ୍ଦ୍ର, ବିଦ୍ୟୁତ, ହାଟ ବଜାର, ଡ୍ରେନେଜ୍ ବ୍ୟବସ୍ଥା, ବିଜୁଳି, ଷ୍ଟ୍ରିଟ୍ ଲାଇଟ୍‌, ଅଧାରେ ପଡି ରହିଥିବା ପାର୍କ ଇତ୍ୟାଦି ଭିତିଭୂମି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ବ୍ୟାପକ ଦୁର୍ନୀତି, ପିସି ଆଦାୟ, ଠିକାଦାର ପୋଷଣ ଓ ନିମ୍ନମାନର କାମ ଯୋଗୁ ଗ୍ରାମ୍ୟ ଓ ସହରାଂଚଳ ଭିତିଭୂମି ସମ୍ପୂର୍ଣ୍ଣ ଭୁଷୁଡି ପଡିଛି ବୋଲି ଶ୍ରୀ ପରିଡା କହିଛନ୍ତି ।
ଏହି ଅବସରରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।

(ବିଜେପି ମିଡିଆ ସେଲ୍‌)

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button