ଦେଶ

ଅନିଶ୍ଚିତତା ମଧ୍ୟରେ ୪୦ ଶ୍ରମିକଙ୍କ ଭାଗ୍ୟ; ଉଦ୍ଧାର କାର୍ଯ୍ୟ ଆହୁରି ୪/୫ ଦିନ ଲାଗିବ – Ibnodisha

[ad_1]

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଏକ ଟନେଲ ଗତ ରବିବାର ଭୁଶୁଡି ପଡିଥିବାବେଳେ ସେଠାରେ କାର୍ଯ୍ୟରତ ୪୦ ଜଣ ଶ୍ରମିକ ଫସି ରହିଛନ୍ତି । ଘଟଣାର ସାତଦିନ (ପ୍ରାୟ ୧୭୦ ଘଣ୍ଟା) ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଜଣେ ହେଲେ ଶ୍ରମିକଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରିନାହିଁ । ଫସିରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଏକାଧିକ ଉଦ୍ୟମ କରାଯାଉଥିଲେ ସୁଦ୍ଧା ଏହା ବିଫଳ ହେବାରେ ଲାଗିଛି । ପ୍ରଥମେ ବୁଲଡୋଜର ସହାୟତାରେ ଟନେଲ ମଧ୍ୟରେ ଜମା ହୋଇଥିବା ଅତଡା ପରିଷ୍କାର କରିବାକୁ ଉଦ୍ୟମ କରାଯାଇଥିଲା । ତେବେ ଏହା କାମ ଦେଇନଥିଲା । ଏହାପରେ ୩ ଫୁଟ ଗୋଲେଇ ବିଶିଷ୍ଟ ଏକ ପାଇପ୍‌କୁ ଟନେଲ ମଧ୍ୟକୁ ପ୍ରବେଶ କରାଇ ସେହିବାଟରେ ଶ୍ରମିକଙ୍କୁ ଉଦ୍ଧାର ଯୋଜନା ପ୍ରସ୍ତୁତ ହୋଇଥିଲା । ତେବେ ପାଇପ୍ ଯୋଗୁଁ ଟନେଲ ମଧ୍ୟରେ ଅଧିକରୁ ଅଧିକ ଅତଡା ଜମିବାରେ ଲାଗିଥିଲା ।

ଅବଶ୍ୟ ଏହି ପାଇପ ଜରିଆରେ ଶ୍ରମିକଙ୍କ ନିକଟକୁ ଖାଦ୍ୟ, ପାନୀୟ ଜଳ ଏବଂ ଅମ୍ଳଜାନ ଯୋଗାଇ ଦିଆଯାଉଛି । ତୃତୀୟ ଉଦ୍ୟମରେ ଆମେରିକାରୁ ଅଣାଯାଇଥିବା ଏକ ବୃହଦାକାୟ ଡ୍ରିଲିଂ ମେସିନ୍ ବ୍ୟବହାର କରାଯାଇଥିଲା । ତେବେ ଶୁକ୍ରବାର ଏହି ମେସିନ୍ ଅକାମୀ ହୋଇପଡିବାରୁ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟକୁ ଆପାତତଃ ସ୍ଥଗିତ ରଖାଯାଇଛି । ଅବଶ୍ୟ ଅକାମୀ ହେବାପୂର୍ବରୁ ଉକ୍ତ ମେସିନ୍ ଟନେଲରେ ୨୪ ମିଟର ପର୍ଯ୍ୟନ୍ତ ଅତଡା ସଫା କରିପାରିଥିଲା । ଅପରପକ୍ଷରେ ଇନ୍ଦୋରରୁ ଆସିଥିବା ଅନ୍ୟ ଏକ ହେଭି ମେସିନ୍ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରାଯାଇନାହିଁ । ଏହି ପରିପ୍ରେକ୍ଷୀରେ ଟନେଲ ମଧ୍ୟରେ ଥିବା ଶ୍ରମିକଙ୍କ ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ଆଡକୁ ଗତି କରୁଥିବାବେଳେ କଣ୍ଠସ୍ୱର ମଧ୍ୟ କ୍ଷୀଣ ହୋଇପଡୁଥିବା ଲକ୍ଷ୍ୟ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ଏହି ଶ୍ରମିକଙ୍କୁ ବର୍ତ୍ତମାନ ଶୁଖିଲା ଫଳ, ମଲଟି ଭିଟାମିନ୍ ଏବଂ ଆଣ୍ଟି-ଡିପ୍ରେସାଣ୍ଟ୍ ଔଷଧ (ମାନସିକ ଅବସାଦ ଦୂର କରିବାକୁ) ଦିଆଯାଉଛି । ଟନେଲ ମଧ୍ୟରେ ଇଲେକ୍ଟ୍ରିସିଟି ଥିବାରୁ ଲାଇଟ୍ ଜଳୁଛି ଏବଂ ଏକ ପାଣି ପାଇପ୍‌ଲାଇନ୍ ଥିବାରୁ ଶ୍ରମିକମାନେ ପାଣି ପାଇପାରୁଛନ୍ତି ବୋଲି ଉତ୍ତରାଖଣ୍ଡର ପରିବହନ ସଚିବ ଅନୁରାଗ ଜୈନ୍ କହିଛନ୍ତି । ରବିବାର ଗଣମାଧ୍ୟମକୁ ସୂଚନା ଦେଇ ଜୈନ୍ କହିଛନ୍ତି ଯେ ଟନେଲର ଦୁଇ କିମି ଦୂରତା ପର୍ଯ୍ୟନ୍ତ ପାଇପ୍ ଲାଇନ୍ ଓ ଇଲେକ୍ଟ୍ରିସିଟି ରହିଛି । ତିନିଟି ଉଦ୍ୟମ ବିଫଳ ହେବାପରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଅନ୍ୟ ଯୋଜନା ହାତକୁ ନିଆଯାଇଛି । ତଦନୁଯାୟୀ ଟନେଲ ମଧ୍ୟକୁ ସିଧାସଳଖ ମେସିନ୍ ଭର୍ତ୍ତି ନକରି ପାହାଡର ଉପରିଭାଗରୁ ଭର୍ଟିକାଲ ଉପାୟରେ ଗର୍ତ୍ତ ଖନନ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ଓଏନ୍‌ଜିସି, ଆରଭିଏନ୍‌ଏଲ, ସତ୍‌ଲେଜ ଜଳ ବିକାଶ ନିଗମ, ବର୍ଡର ରୋଡ୍ ଅର୍ଗାନାଇଜେସନ ଏବଂ ରାଜ୍ୟ ପୂର୍ତ୍ତ ବିଭାଗ ଇଞ୍ଜିନିୟରଙ୍କୁ କାର୍ଯ୍ୟରେ ନିୟୋଜିତ କରାଯାଇଛି ।

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ୍‌କରୀ ଓ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମିଙ୍କ ସମେତ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ଏକ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟକୁ ତଦାରଖ ମଧ୍ୟ କରୁଛନ୍ତି । ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଆଉ ୪/୫ ଦିନ ସମୟ ଲାଗିପାରେ ବୋଲି ଗଡକରୀ ଅନୁମାନ କରୁଛନ୍ତି । ଅପରପକ୍ଷରେ ଏହି ଶ୍ରମିକଙ୍କୁ ତୁରନ୍ତ ଜରୁରୀ ସ୍ୱାସ୍ଥ୍ୟସେବା ଯୋଗାଇବା ଉଚିତ ବୋଲି ଡାକ୍ତରମାନେ କହିଛନ୍ତି । ଆଉ ଅଧିକ ଦିନ ଟନେଲରେ ଫସିରହିଲେ, ସେମାନଙ୍କର ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ବିଗିଡିଯିବ ବୋଲି ଡାକ୍ତରମାନେ ଚେତାବନୀ ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button