ରାଜ୍ୟ

ଏସ୍‌ଭିକେଏମ୍‌-ଉଚ୍ଚଶିକ୍ଷା ବିଭାଗ ଏମ୍‌ଓୟୁ ସ୍ୱାକ୍ଷରିତ; ଭବିଷ୍ୟତ ପାଇଁ ଏକ ସଶକ୍ତ ଓ ସୁଦୃଢ ଶିକ୍ଷା ବ୍ୟବସ୍ଥାର ଐତିହାସିକ ସହଭାଗିତା – Ibnodisha

[ad_1]

ଭୁବନେଶ୍ୱର: ଗୁଣାତ୍ମକ ଉଚ୍ଚଶିକ୍ଷା ଓ ଗବେଷଣାକୁ ପ୍ରୋତ୍ସାହନ ପ୍ରଦାନକୁ ଦୃଷ୍ଟିରେ ରଖି , ରାଜ୍ୟରେ ଏକ ଆନ୍ତର୍ଜାତିକ ମାନର ଘରୋଇ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଶ୍ରୀ ଭିଲେ ପାର୍ଲେ କେଲାଭଣୀ ମଣ୍ଡଳ ଟ୍ରଷ୍ଟ (ଏସଭିକେଏମ) ସହିତ ଏକ ସହଭାଗୀତା ଆଧାରରେ ଏନଏମଆଇଏମଏସ୍ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଆଜି ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ଅନ୍ୟ ବରିଷ୍ଠ ପଦାଧିକାରୀ ଓ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଉପସ୍ଥିତିରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଖୋର୍ଦ୍ଧା ଇନଫୋ ଭ୍ୟାଲିଠାରେ ଭୁବନେଶ୍ୱରରେ ଏନଏମଆଇଏମଏସ୍ ବିଶ୍ୱବିଦ୍ୟାଳୟ ନାମରେ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହେବ । ଉଚ୍ଚଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ଏବଂ ଏସଭିକେଏମର ସମ୍ମାନାସ୍ପଦ ଅବୈତନିକ ସଚିବ ଡଃ ଜୟନ୍ତ ଗାନ୍ଧୀ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହେବା ଦ୍ୱାରା ଆଜି ଉଚ୍ଚଶିକ୍ଷା ବିଭାଗ ତଥା ରାଜ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସ୍ଥାପନ ହୋଇଛି । ଶିକ୍ଷାରେ ସହଭାଗିତା, ଅଭିବୃଦ୍ଧି ଏବଂ ସମସ୍ତଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ପ୍ରତିପୋଷଣ ପାଇଁ ଏହି ଏମଓୟୁ ସ୍ୱାକ୍ଷର ଉତ୍ସର୍ଗୀକୃତ । ଏହି ସହଯୋଗ ବିଭିନ୍ନ ଶିକ୍ଷାଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ମନ୍ଦିରମାଳିନୀ ସହର ଭୁବନେଶ୍ୱର ନିକଟରେ ଏନଏମଆଇଏମଏସ୍ ବିଶ୍ୱବିଦ୍ୟାଳୟ ନାମକ ଏକ ବିଶ୍ୱ ସ୍ତରୀୟ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ରାଜ୍ୟ ମଧ୍ୟରେ ଶିକ୍ଷାର ମାନ ବିସ୍ତାର କରିବାରେ ଏକ ରୂପାନ୍ତରଣ ପଦକ୍ଷେପକୁ ପ୍ରତିପାଦିତ କରୁଛି । ଉଚ୍ଚଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ଓଡିଶା ପ୍ରତିବଦ୍ଧ । ଏସଭିକେଏମ ସହିତ ଯୋଡ଼ି ହୋଇ, ଆମେ ଉଚ୍ଚଶିକ୍ଷାରେ ଓଡିଶାର ସ୍ଥିତିକୁ ଏକ ବିଶ୍ୱ ସ୍ତରୀୟ ଶିକ୍ଷାଗତ ହବ୍ ପାଇଁ ଭିତ୍ତିଭୂମି ସ୍ଥାପନ କରୁଛୁ । ମିଳିତ ଭାବେ, ଆମେ କେବଳ ଏକ କ୍ୟାମ୍ପସ ପ୍ରତିଷ୍ଠା କରୁନାହୁଁ; ଆମେ ଛାତ୍ରଛାତ୍ରୀମାନଙ୍କର ଭାଗ୍ୟ ଏବଂ ଆମ ଅଞ୍ଚଳର ସାମଗ୍ରିକ ବିକାଶରେ ସହଯୋଗ କରୁଛୁ ବୋଲି ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ ।

ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶା ସରକାରଙ୍କୁ ଅନୁଷ୍ଠାନର ସଚିବ ଡ. ଗାନ୍ଧୀ ପ୍ରଶଂସା କରିବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ । \”ଆମେ ଏକ ଅନ୍ତର୍ଜାତୀୟ ମାନର ଶିକ୍ଷା କ୍ୟାମ୍ପସ ସ୍ଥାପନ କରିବାକୁ ଯାଉଛୁ ଯାହା ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସହାୟକ ହେବ ବୋଲି ଡ. ଗାନ୍ଧୀ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଶା ରାଜ୍ୟ ଉଚ୍ଚଶିକ୍ଷା ଉପାଧ୍ୟକ୍ଷ ଡଃ. ଅଶୋକ କୁମାର ଦାସ, ଅରୂପ ପଟ୍ଟନାୟକ, ଏସଭିକେଏମ୍ ଟ୍ରଷ୍ଟର ଯୁଗ୍ମ ସମ୍ପାଦକ ଜଗଦୀଶ ବି ପାରିଖ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରକାଶ ଥାଉକି, ରାଜ୍ୟରେ ବେସରକାରୀ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାର ଭୁବନେଶ୍ୱର ନିକଟସ୍ଥ ଜଟଣୀର ଗୌଡକାଶିପୁରଠାରେ ୪୦ଏକର ଜମିଲିଜ ସୂତ୍ରରେ ୩୦ ବର୍ଷ ପାଇଁ ବିନା ଦେୟରେ ପ୍ରଦାନ କରିଛନ୍ତି ଏବଂ ପୁନଃ ୩୦ବର୍ଷ ପାଇଁ ଏହି ଅବଧି ବଢାଯିବା ନେଇ ଅନୁମୋଦନ କରାଯାଇପାରିବ । ଓଡ଼ିଶାର ମୂଳବାସିନ୍ଦାହୋଇଥିବା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି ବିଶ୍ୱବିଦ୍ୟାଳୟରେ ୩୦% ସିଟ୍ ସଂରକ୍ଷଣ ଦିଆଯିବ । ଏହି ସହଭାଗୀତାର ପ୍ରମୁଖ ବୈଶିଷ୍ଟ୍ୟ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଜାତୀୟ ଏବଂ ବୈଶ୍ୱିକ ସହଭାଗିତାକୁ ପ୍ରୋତ୍ସାହନ ଦେବା ଲାଗି ଶିକ୍ଷା ସମ୍ବଳ କେନ୍ଦ୍ରର ନିର୍ମାଣ ଅନ୍ତର୍ଭୁକ୍ତ । କ୍ୟାମ୍ପସରେ କେଜି ଠାରୁ ସ୍ନାତକୋତ୍ତର (ପିଜି) ସ୍ତର ପର୍ଯ୍ୟନ୍ତ ଶିକ୍ଷାଦାନ ଅନ୍ତର୍ଭୁକ୍ତ ହେବ ।

ଓଡ଼ିଶା ସରକାରଙ୍କ ସହାୟତାରେ କ୍ୟାମ୍ପସର ଭିତ୍ତିଭୂମି ବିକାଶ ଓ ଅନ୍ୟାନ୍ୟ ସୁବିଧା ପର୍ଯ୍ୟାୟକ୍ରମେ କରାଯିବ । ପ୍ରାରମ୍ଭିକ ଭାବେ ୩୦୦ କୋଟି ଟଙ୍କା ପ୍ରଥମ ୫ ବର୍ଷ ପାଇଁ ୪୦ ଏକର ଜମିର ଦେୟବାବଦରେ ବିନିଯୋଗ କରାଯିବ । ଏହି ରାଶି ଉଚ୍ଚଶିକ୍ଷା ବିଭାଗ ଇଡକୋକୁ ପ୍ରଦାନ କରିବେ । ଭିତ୍ତିଭୂମି ବିକାଶ, ମରାମତି, ନବୀକରଣ, ଲ୍ୟାଣ୍ଡସ୍କେପ୍‌, ଯନ୍ତ୍ରପାତି ଏବଂ ମାନବ ସମ୍ବଳଖର୍ଚ୍ଚ ଏସ୍‌ଭିକେଏମ୍ ବହନ କରିବ । ରାଜ୍ୟରେ ଉଚ୍ଚଶିକ୍ଷାର ଉନ୍ନତି ଏବଂ ଶୈକ୍ଷିକ ଉତ୍କର୍ଷ ସାଧନ ପାଇଁ ଏହି ସହଭାଗୀତା ଅସୀମ ସମ୍ଭାବନା ରଖିଛି । ଏକ ଆନ୍ତର୍ଜାତିକ ଶିକ୍ଷାଗତ କ୍ୟାମ୍ପସ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଏବଂ ଏସ୍‌.ଭି.କେ.ଏମ୍ ମଧ୍ୟରେ ସ୍ୱାକ୍ଷରିତ ଏହି ଏମଓୟୁ ରାଜ୍ୟର ଉଚ୍ଚଶିକ୍ଷାର ଅଗ୍ରଗତି ସହ ଅଞ୍ଚଳର ସାମଗ୍ରିକ ବିକାଶରେ ଯୋଗଦାନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button