ରାଜ୍ୟ

ଭଡ଼ା ଘରେ ଭବିଷ୍ୟତ ଗଢ଼ା: କ୍ଲବ୍‌ ଘରେ କମ୍ୟୁନିଟି ହଲ୍‌ରେ ବି ଚାଲିଛି ପାଠ ପଢ଼ା

ଖଣ୍ଡଗିରି: ଭଡ଼ା ଘରେ ଭବିଷ୍ୟତ ଗଢ଼ା ହେଉଛି। କେଉଁଠି କ୍ଲବ୍ ଘର ତ ଆଉ କେଉଁଠି କି କମ୍ୟୁନିଟି ହଲ୍‌। ଆଉ କେଉଁ ପିଣ୍ଡାରେ ବି ବସି ପାଠ ପଢ଼ୁଛନ୍ତି ‌କୋମଳମତି ଶିଶୁ। କେଉଁ ଅପନ୍ତରା ରାଇଜ ନୁହେଁ, ବରଂ ରାଜଧାନୀ ଛାତି ଉପରେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକର ଏଭଳି ସ୍ଥିତି। ୯୦ ପ୍ରତିଶତ କେନ୍ଦ୍ରର ନିଜସ୍ବ ଘର ନାହିଁ। କିମ୍ବା ନିଜସ୍ବ ଘର ପ୍ରସ୍ତୁତ କରିବାକୁ କାହାର ଆଗ୍ରହ ବି ନାହିଁ। ମହିଳା ଓ ଶିଶୁ ବିକାଶ ବିଭାଗ(ଡବ୍ଲୁସିଡି) ଚାହିଲେ ବିଏମ୍‌ସି ଜମି ଯୋଗାଇ ଦେବ କହୁଛି। ହେଲେ ଏଯାବତ୍‌ ଆଗ୍ରହ ପ୍ରକାଶ ପାଇନାହିଁ। ଯେଉଁ ୧୦ ପ୍ରତିଶତ ଘର ଅଛି ତାହା କେଉଁ ସ୍କୁଲ ପରିସର କିମ୍ବା କାହା ଦୟାରେ ଘର ତିଆରି ହୋଇଛି। ଯେଉଁଠି ନିଜସ୍ବ ଘର ନାହିଁ ସେଠାରେ ପରିସ୍ରାଗାର, ପାଇଖାନା କଥା କିଏ ପଚାରୁଛି। ଅଙ୍ଗନବାଡ଼ି ଦିଦିଙ୍କ ଘରେ ବସୁଥିବା ପିଲା ବାହାରେ ପରିସ୍ରା ଓ ଶୌଚ ହେଉଛନ୍ତି। କ୍ଲବ୍‌ ଘର ଆବର୍ଜନାମୟ ‌ହୋଇପଡ଼ିଥିବାରୁ ଏହାକୁ ପ୍ରଥମେ ସଫା କରିବା ପରେ ପିଲା ପଢ଼ୁଛନ୍ତି। ସବୁଠି ପିଲା ବାହାରେ ‌ଶୌଚ କରୁଛନ୍ତି। ପିଲାମାନଙ୍କୁ ରୋ‌ଷେଇ କରି ଖାଇବାକୁ ଦିଆଯାଉଛି। ସେ ରୋଷଘର ଅବସ୍ଥା ଆଖିରେ ନଦେଖିଲେ ବିଶ୍ବାସ କରିହେବନି। ଏଭଳି ଏକ ବିଚିତ୍ର ସ୍ଥିତିରେ ରାଜଧାନୀରେ ଦେଶର ଭବିଷ୍ୟତ ଗଢ଼ା ଚାଲିଛି। ରାଜଧାନୀରେ ଯଦି ସ୍ଥିତି ଏଭଳି ତେବେ ଗ୍ରାମାଞ୍ଚଳରେ ଏହାର ସ୍ଥିତି କ’ଣ ହୋଇଥିବ ଏଥିରୁ ସ୍ପଷ୍ଟ ଅନୁମେୟ।

‌ଜଣେ ସିଡିପିଓ ଅଧିନରେ ୨ ଜୋନ୍‌
‌୯୦% ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଗୃହ ନାହିଁ‌
‌ଶୌଚାଳୟ ନାହିଁ; ହତା ଭିତରେ ପିଲା ହେଉଛନ୍ତି ଶୌଚ
କୋତୋଟି ଉଦାହରଣ ‌ନେଲେ ଏହା ସ୍ପଷ୍ଟ ‌ହୋଇଯିବ। ବିଏମ୍‌ସିର ୱାର୍ଡ ନଂ.୨୪ର ମହାବୀର ବସ୍ତିରେ ଥିବା ୨ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ ଘର ଅଛି। କିନ୍ତୁ ଷଣ୍ଢ ସାହି ଓ ଯଦୁମଣି ବିହାରରେ ଥିବା କେନ୍ଦ୍ରରେ ନିଜସ୍ବ ଘର ନଥିବାରୁ ଏହା ଦିଦିଙ୍କ ଘରେ ଚାଲିଛି। ଛୋଟିଆ ଅଜବେଷ୍ଟସ୍‌ ଘର। ଘରର ଗୋଟିଏ ପାର୍ଶ୍ବରେ ଗ୍ୟାସ୍‌ ଚୁଲାରେ ଦିଦି ନିଜ ଘର ପାଇଁ ‌ରୋ‌ଷେଇ କରୁଥିବା ବେଳେ ଅନ୍ୟପାର୍ଶ୍ବରେ ପିଲାଙ୍କ ପାଇଁ ଖେଚୁଡ଼ି ତିଆରି ହେଉଛି। ଶୋଇବା ଘର ଚଟାଣରେ ବସି ପିଲା ପଢ଼ୁଛନ୍ତି। ଜାଗା ଅଭାବରୁ ପିଲାମାନେ ଖୁନ୍ଦାଖୁନ୍ଦି ହୋଇ ବସୁଛନ୍ତି। ୱାର୍ଡ ନମ୍ବର ୬୪‌ରେ ୬ଟି ଅଙ୍ଗନବାଡ଼ି କେନ୍ଦ୍ର ଅଛି। ଏଥିରୁ ଗୋଟିଏର ନିଜସ୍ବ ଘର ଅଛି। ୩ଟି ଦିଦିଙ୍କ ଘରେ ଚାଲିଛି। ଏଥିରେ ୩୦ ରୁ ୪୦ ପିଲା ପଢ଼ୁଛନ୍ତି। ସେଠାରେ ମଧ୍ୟ ଅନୁରୂପ ସ୍ଥିତି ହୋଇଛି। ବାକି ୨ କେନ୍ଦ୍ର ମଧ୍ୟରୁ ଗୋଟିଏ କ୍ଷେତ୍ରଫଳ ନୂଆସାହି କ୍ଳବ୍ ଘର ଓ ଅନ୍ୟଟି ଯଦୁପୁର ଓଡ଼ିଆ ସାହି ପରିଚୟ ଗୃହରେ ଚାଲିଛି। କ୍ଷେତ୍ରଫଳ କ୍ଲବ୍‌ରେ ପିଲାଙ୍କୁ ପାଠ ପଢ଼ିବାକୁ ବସିବା ପୂର୍ବରୁ ରାତିରେ ହୋଇଥିବା ଭୋଜି ଭାତର ‌ଅଇଁଠା ପତ୍ର ପ୍ଲେଟ୍‌ ଓ ଭଙ୍ଗା ମଦ ବୋତଲ ଉଠାଇବାକୁ ହେଉଛି। ଏହ‌ା ବାଦ୍‌ ପ୍ରତ୍ୟେକ କେନ୍ଦ୍ରରେ ପାନୀୟଜଳ ଓ ବିଦ୍ୟୁତ୍‌ ସମସ୍ୟା ରହିଛି। ୱାର୍ଡ ୩୭ରେ ଥିବା ୪ଟି ଅଙ୍ଗନବାଡ଼ି କେନ୍ଦ୍ରର ନିଜସ୍ବ କୋଠା ନାହିଁ। ସୀତାପୁର ଅଙ୍ଗନବାଡ଼ି କେନ୍ଦ୍ର ଓ ବେହେରା ବସ୍ତି ଅଙ୍ଗନବାଡ଼ି ଦିଦିଙ୍କ ଘରେ ଚାଲିଥିବା ବେଳେ ଭୋଇସାହ‌ି ଅଙ୍ଗନବାଡ଼ି କେନ୍ଦ୍ର ଦରୁଆଣୀ ‌କ୍ଲବ୍‌ ଘରେ ଚାଲିଛି। ଏଠାରେ ମଧ୍ୟ ପିଲାଙ୍କୁ ମାସର ଅଧାଦିନ କ୍ଲବ୍‌ ଘର ସଫା କରିବା‌ ପରେ ପାଠ ପଢ଼ିବାକୁ ହେଉଛି। ‌ଶୌଚାଳୟ ନଥିବାରୁ ସମସ୍ତେ ବାହାରେ ଶୌଚ କରୁଛନ୍ତି।

ଏହି ୩ ୱାର୍ଡର ୧୪ ଅଙ୍ଗନବାଡ଼ି କେନ୍ଦ୍ର କେବଳ ଉଦାହରଣ ମାତ୍ର। ରାଜଧାନୀରେ ଥିବା ୩୫୦ରୁ ଊର୍ଦ୍ଧ୍ବ ଅଙ୍ଗନବାଡ଼ି କେନ୍ଦ୍ରର ସ୍ଥିତି ଅଳ୍ପ ବହୁତେ ସମାନ। ଏହି ସ୍ଥିତିରେ ଉନ୍ନତି ଆଣିବା ପାଇଁ ବିଭାଗ ଆଦୌ ତତ୍ପରତା ପ୍ରକାଶ କରୁନାହିଁ। ବିଏମ୍‌ସିର ପ୍ରତ୍ୟେକ ମାସିକ ବୈଠକରେ ଜନପ୍ରତିନିଧିମାନେ ନିଜ ନିଜ ଅଞ୍ଚଳରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର କରୁଣ ଦୃଶ୍ୟକୁ ନେଇ ଉଦ୍‌ବେଗ ପ୍ରକାଶ କରନ୍ତି, ହୋହଲ୍ଲା ହୁଏ। ହେଲେ ଏ ଯାବତ୍‌ କିଛି ଲାଭ ହୋଇ ନାହିଁ। ଡବ୍ଲୁସିଡି ସୂଚନା ମୁତାବକ, ଭୁବନେଶ୍ବରର ସହରାଞ୍ଚଳକୁ ୩ଟି ଜୋନ୍‌ରେ ଭାଗ କରାଯାଇଛି। ଏହି ଜୋନ୍‌ ଦାୟିତ୍ବରେ ୩ ଜଣ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ (ସିଡିପିଓ) ରହିଛନ୍ତି। କିନ୍ତୁ ଗୋଟିଏ ଏବେ ଖାଲି ପଡ଼ିଥିବାରୁ ଜଣଙ୍କୁ ‌୨ଟି ଜୋନ୍‌ ଦାୟିତ୍ବ ଦିଆଯାଇଛି। ହେଲେ ସେ ବି ମାସେ ଛୁଟିରେ ଅଛନ୍ତି। ଅଙ୍ଗନବାଡ଼ି କଥା ବୁଝିବାକୁ ଆଉ ଗୋଟିଏ ଜୋନ୍‌ ପାଇଁ ଦାବି ହେଉଥିବା ବେଳେ ଏଭଳି ସ୍ଥିତିକୁ ‌ନେଇ ଉଦ୍‌ବେଗ ପ୍ରକାଶ ପାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button