ଆସୁଛି ବଡ଼ ବର୍ଷା : ୫ ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ – Ibnodisha
[ad_1]
ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତଟି ଘନୀଭୂତ ହୋଇ ଆଜି ଗଭୀର ଅବପାତରେ ପରିଣତ ହୋଇଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହା ଧୀରେ ଧୀରେ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି । ଅବପାତ ଏବେ ପୁଡୁଚେରୀଠାରୁ ୫୦୦ କିମି, ଚେନ୍ନାଇଠାରୁ ୫୧୦ କିମି ଦୂରରେ ଅଛି । ୪ ତାରିଖରେ ଦକ୍ଷିଣ ଆନ୍ଧ୍ର ଓ ଉତ୍ତର ତାମିଲନାଡାରୁ ଅଧିକ ନିକଟତର ହେବ । ୫ ତାରିଖ ପୂର୍ବାହ୍ନରେ ଏହା ଆନ୍ଧ୍ରର ନେଲୋର ଏବଂ ମଛଲିପଟନମ ଅତିକ୍ରମ କରିବ ବୋଲି ଆକଳନ କରିଛି ଆଇଏମଡି।
ତେବେ ସାମ୍ଭବ୍ୟ ବାତ୍ୟା ପ୍ରଭାବରେ ଆସନ୍ତାକାଲି ଅର୍ଥାତ ୩ ତାରିଖରୁ ୭ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କାଲିଠୁ ୭ ତାରିଖ ଯାଏଁ ଦକ୍ଷିଣ ଓଡ଼ିଶାରେ ବର୍ଷା ପୂର୍ବାନୁମାନ କରାଯାଇଛି। ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ପରିସ୍ଥିତିର ମୁକାବିଲା ପାଇଁ ରାଜା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ସମ୍ଭାବ୍ୟ ବାତ୍ୟା ଓ ବର୍ଷାକୁ ଦୃଷ୍ଟିରେ ରଖି ୫ଟି ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରିଦେଇଛନ୍ତି ରାଜ୍ୟ ସରକାର।
ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଆଲର୍ଟ କରାଯାଇଛି। ଅନ୍ୟପଟେ ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼ରେ ମାତ୍ରାଧିକ ବର୍ଷା ଆଶଙ୍କା କରାଯାଉଛି । ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, କଟକରେ ମଧ୍ୟ ମାତ୍ରାଧିକ ବର୍ଷା ଆଶଙ୍କା କରାଯାଉଛି । ଅମଳ ହୋଇଥିବା ଫସଲର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛି କୃଷି ବିଭାଗ । ଧାନ ସହ ମାଣ୍ଡିଆ ଓ କପା ସୁରକ୍ଷିତ ସ୍ଥାନରେ ରଖିବାକୁ ପରାମର୍ଶ ଦେଇଥିବାବେଳେ ଜଳସେଚନ, ସାର ଓ କୀଟନାଶକ ସିଞ୍ଚନ ବନ୍ଦ ପାଇଁ ପରାମର୍ଶ ଦେଇଛି । ପନିପରିବା ଓ ରବି ଫସଲ ପାଇଁ ଜଳ ନିଷ୍କାସନ ବ୍ୟବସ୍ଥା ପାଇଁ ପରାମର୍ଶ ଦେଇଛି କୃଷି ବିଭାଗ ।
[ad_2]