IBN ଓଡ଼ିଶା ବ୍ୟୁରୋ

ଧର୍ମଶାଳା ଉପରେ ବବି ଙ୍କ ନଜର, ବନ୍ଧୁ ପଣେ ବନ୍ଧା ପଡିବେ କି ପ୍ରଣବ!

(ସମ୍ପାଦକ:ସଞ୍ଜୟ କୁମାର ମିଶ୍ର)

ଯାଜପୁର :ଆଗାମୀ ୨୦୨୪ ନିର୍ବାଚନ କୁ ଆଖି ଆଗରେ ରଖି ସଜବାଜ ହେଲେଣି ନେତା।ଏହାରି ଭିତରେ ଏବେ ଯାଜପୁର ଜିଲ୍ଲାର ଦୁଇ ପ୍ରଣବ ଙ୍କୁ ନେଇ ଚର୍ଚ୍ଚା ଆଲୋଚନା ଜୋର ଧରିଛି।କିଏ କେଉଁ ନିର୍ବାଚନ ମଣ୍ଡଳୀରେ ଟିକେଟ ପାଇବ ତାକୁ ନେଇ ନାନାଦି ଗୁଞ୍ଜରଣ ସୃଷ୍ଟି ହୋଇଛି।ବିଗତ ଦିନରୁ ରାଜ୍ୟ ରାଜନୀତିରେ ଯାଜପୁର ଜିଲ୍ଲାର ବେଶ ପ୍ରଭାବ ରହିଛି । ଏବେ ଯାଜପୁର ଜିଲ୍ଲାରୁ ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ ବିଧାନସଭାର ବାଚସ୍ପତି ଆସନ ଅଳଙ୍କୃତ କରିଥିବା ବେଳେ ସୁକିନ୍ଦା ବିଧାୟକ ଇଂ ପ୍ରିତିରଞ୍ଜନ ଘଡାଇ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ଅଛନ୍ତି । ଏହା ସହିତ ସେ ଦଳର ବରିଷ୍ଠ ସାଧାରଣ ସମ୍ପାଦକ ରହିବା ସହିତ ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ନିର୍ବାହ କରୁଛନ୍ତି । ବର୍ଷ ତମାମ ନିଜ ନିର୍ବାଚନ ମଣ୍ଡଳୀ ରେ ଦଳୀୟ ସଂଗଠନ କରି ଵିରୋଧି ଶିବିରରେ କମ୍ପନ କରିଚାଲିଛନ୍ତି । ଅପରପକ୍ଷେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଳର ସାଙ୍ଗଠନିକ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ପଦରେ ରହିଛନ୍ତି । ଜିଲ୍ଲାର ୭ଟି ନିର୍ବାଚନ ମଣ୍ଡଳୀ ମଧ୍ୟରୁ କୋରେଇ, ବରୀ, ବଡ଼ଚଣା ଓ ଯାଜପୁର ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଆଜକୁ ବେଶ କିଛିଦିନ ହେଲା ଲାଗି ରହିଛି । ବିଶେଷ କରି ଦଳର ସାଙ୍ଗଠନିକ ସମ୍ପାଦକ ଭାବେ ଦଳର ରାଜ୍ୟ ରାଜନୀତିକୁ ପରିଚାଳିତ କରୁଥିବା ବବି ଜିଲ୍ଲା ରାଜନୀତି ଉପରେ ଅଙ୍କୁଶ ଲଗାଇ ପାରିନଥିବା ନେଇ ଆଲୋଚନା ହେଉଛି । ତେବେ ଜିଲ୍ଲା ରାଜନୀତିକୁ ଛାଡ଼ନ୍ତୁ ଜିଲ୍ଲାର ସର୍ବାଧିକ ବିକଶିତ ନିର୍ବାଚନ ମଣ୍ଡଳୀ କୁହା ଯାଉଥିବା ଯାଜପୁର ନିର୍ବାଚନ ମଣ୍ଡଳୀରୁ ବବି ଚଳିତ ଥର ପ୍ରାର୍ଥୀ ହେଉ ନଥିବା ନେଇ ଆଲୋଚନା ଜୋର ଧରିଛି । ବବିଙ୍କ ନଜର ତାଙ୍କ ସ୍ୱର୍ଗତ ପିତା ଅଶୋକ ଦାସଙ୍କ କୋରେଇ ନିର୍ବାଚନ ମଣ୍ଡଳୀ ଉପରେ ରହିଥିବା ବେଶ କିଛିଦିନ ହେଲା ଚର୍ଚ୍ଚା ହେଉଥିଲା । ବବି ଓ ତାଙ୍କ ସାନ ଭାଇ ଭଵ ପ୍ରକାଶ(ଲଲ)ଙ୍କ ତୋଫାନୀ କୋରେଇ ଗସ୍ତ ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଥିଲା । ଏବେ ତାଙ୍କ ଭିଣୋଇ ତଥା ଚଳଚ୍ଚିତ୍ର ଅଭିନେତା ଅରିନ୍ଦମ ରାୟ କୋରେଇ ଗସ୍ତ କରିଛନ୍ତି । ଏହା ସହିତ ଏକ ନିର୍ଦିଷ୍ଟ ଖବର କାଗଜ ମଧ୍ୟ ବବିଙ୍କ ପ୍ରାର୍ଥୀ ହେବା ନେଇ ସ୍ପଷ୍ଟ କରିଥିଲା । ହେଲେ ଏହି ଖବର ପ୍ରକାଶ ପରେ ଯାଜପୁର ମେଡ଼ିକାଲ କଲେଜ କୋରେଇରେ ପ୍ରତିଷ୍ଠା ନ ହେବା ଓ କୋରେଇର ପଛୁଆ ବିକାଶକୁ ନେଇ ଅସନ୍ତୋଷ ପ୍ରକାଶ କରୁଥିବା କୋରେଇବାସୀ ଏହାକୁ ଖୋଲା ବିରୋଧ କରିବା ଆରମ୍ଭ କରିଛନ୍ତି । ଅପରପକ୍ଷେ ପୂର୍ବତନ ବିଧାୟକ ତଥା ମୋ କଲେଜ ଅଧ୍ୟକ୍ଷ ଏବେ କୋରେଇରେ ତୋଫାନି କାର୍ଯ୍ୟକ୍ରମ କରି ନିଜର ସ୍ଥିତି ଓ ଭବିଷ୍ୟତ ସ୍ପଷ୍ଟ କରୁଛନ୍ତି । କୋରେଇ ନିର୍ବାଚନ ମଣ୍ଡଳୀରେ “ମାଟିର ପୁଅ” ଡାକରା ବବିଙ୍କ ଆଶାରେ ଏକ ପ୍ରକାର ପୂର୍ଣ୍ଣଛେଦ ଟାଣି ଦେଇ ଆକାଶଙ୍କ ଆଶା ବଢ଼ାଇଛି । ଅପରପକ୍ଷେ ଦୀର୍ଘଦିନ ହେଲା ବବି ଯାଜପୁର ଛାଡିବା ଆଲୋଚନା ଯାଜପୁର ନିର୍ବାଚନ ମଣ୍ଡଳୀ ଭୋଟରଙ୍କ ଉପରେ ବେଶ ପ୍ରଭାବ ପକାଇଛି । ଗତ ନିର୍ବାଚନରେ ଏହିଭଳି ଆଲୋଚନା ମଧ୍ୟ ବବିଙ୍କ ଭୋଟ ବ୍ୟାଙ୍କ ଉପରେ ଖୁବ ପ୍ରଭାବ ପକାଇଥିଲା । ଅପରପକ୍ଷେ ଯାଜପୁର ବିକାଶର ଲାଭ ବବିଙ୍କ ବୋଲକରାଙ୍କୁ ଅଧିକ ଉପକୃତ କରୁଥିଲା ବେଳେ ସାଧାରଣ କର୍ମୀ ଏହାକୁ ନେଇ ବେଶ ଉତକ୍ଷିପ୍ତ । ଭୟରେ କେହି ମୁହଁ ନଖୋଲିଲେ ମଧ୍ୟ କିଛି ଆଗଧାଡ଼ିର ବୋଲକରାଙ୍କ କାର୍ଯ୍ୟଧାରା ସେମାନଙ୍କ ପାଇଁ ଅସହ୍ୟ ହୋଇଛି । ଏପରି ସ୍ଥଳେ ବବି ଓ ତାଙ୍କ ପ୍ରମର୍ଶଦାତାଙ୍କ ଚିନ୍ତା ବଢ଼ି ଥିବା ଚର୍ଚ୍ଚା ହେଉଛି । ବବି ଏବେ ଯାଜପୁର ଆସନଙ୍କୁ ନେଇ ନିଶ୍ଚିତ ହୋଇ ପାରୁ ନାହାନ୍ତି । ଯାହା ଫଳରେ ସେ ବିଜେଡିର ସବୁଠାରୁ ସୁରକ୍ଷିତ ଆସନ ଧର୍ମଶାଳା ଉପରେ ନଜର ପକାଇଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ଏହି ନିର୍ବାଚନ ମଣ୍ଡଳୀରେ ଦଳର ବେଶ ସୁଦୃଢ଼ ସଂଗଠନ ରହିଛି । ହେଲେ ବିଭିନ୍ନ କାରଣକୁ ନେଇ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ ଏବେ ବିରୋଧା ଭାସର ସମ୍ମୁଖୀନ ହେଉଛନ୍ତି । ଯାହା ବବିଙ୍କ ପାଇଁ ବେଶ ଅନୁକୂଳ ହେବ । ଏହା ସହିତ ଧର୍ମଶାଳାର ବିଧାୟକ ଓ ତାଙ୍କ ପରିବାର ସହିତ ବବିଙ୍କର ବେଶ ଘନିଷ୍ଠତା ମଧ୍ୟ ରହିଛି । ବବିଙ୍କ ସୁଖ ଦୁଃଖରେ ପ୍ରଣବଙ୍କୁ ତାଙ୍କ ନିକଟରେ ଦେଖିବାକୁ ମିଳେ । ବବି ଯଦି ଧର୍ମଶାଳାରେ ଛିଡା ହୁଅନ୍ତି ତେବେ ପ୍ରଣବଙ୍କ ପକ୍ଷରୁ ତାଙ୍କୁ ବିରୋଧ କରିବାର ପ୍ରଶ୍ନ ହିଁ ଉଠୁ ନାହିଁ । ବନ୍ଧୁ ଭାବେ ସେ ତାଙ୍କୁ ସାହାଯ୍ୟ ଓ ସହଯୋଗ କରିବେ । ଯାହା ବବିଙ୍କୁ ବିଜୟୀ ହେବାରେ ବେଶ ସହାୟକ ହେବ । ଅନ୍ୟପଟରେ ଦେଖିବାକୁ ଗଲେ ବିରୋଧି ମଧ୍ୟ ଏଠି ବହୁଧା ବିଭକ୍ତ । ଏପରିସ୍ଥଳେ ଦଳ ଧର୍ମଶାଳା ବିଧାୟକଙ୍କୁ କାଳେ ରାଜ୍ୟସଭା ପଠାଇ ତାଙ୍କୁ ସନ୍ତୁଷ୍ଟ କରିବାକୁ ଯୋଜନା ଆଙ୍କିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି । ନିର୍ବାଚନ ଦିନ ଯେତେ ପାଖେଇ ଆସିବ ଏହି ତମାମ ଆଲୋଚନା ଅଧିକ ସ୍ପଷ୍ଟ ହେବ । କିନ୍ତୁ ବବି ଆଗାମି ନିର୍ବାଚନରେ ଯାଜପୁର ଛାଡି କୋରେଇ ଯାଉଥିବା ଆଲୋଚନା ତାଙ୍କୁ ଯେ ଅକଳରେ ପକାଇ ଦେଇଛି ତାହା କିନ୍ତୁ ସତ୍ୟ । ଏବେ ବବିଙ୍କୁ କୋରେଇବାସୀ ବିରୋଧ କରୁଥିଲା ବେଳେ ଯାଜପୁର ଭୋଟର ମଧ୍ୟ ଅସନ୍ତୋଷ ପ୍ରକାଶ କଲେଣି । ତେଣୁ ସୁରକ୍ଷିତ ଆସନ ଖୋଜିବା ଭିତରେ ଧର୍ମଶାଳା ଉପରେ ବବି ନଜର କେନ୍ଦ୍ରୀଭୂତ କରିଥିବା ଚର୍ଚ୍ଚା ଜିଲ୍ଲାରେ ଘୁରି ବୁଲୁଛି । ହେଲେ ବବି ଯଦି ଧର୍ମଶାଳାରୁ ପ୍ରାର୍ଥୀ ହୁଅନ୍ତି ତେବେ ତାଙ୍କ ପରମ ବନ୍ଧୁ ପ୍ରଣବ ବଳବନ୍ତରାୟ(ଜିତୁ) ବନ୍ଧୁ ପଣରେ ବନ୍ଧା ପଡିଯିବେ ବୋଲି ଆଲୋଚନା ହେଉଛି । ଯାହା ଆଗାମି କିଛି ମାସରେ ସ୍ପଷ୍ଟ ହୋଇଯିବ ନିଶ୍ଚିତ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button