ଧର୍ମେନ୍ଦ୍ରଙ୍କୁ ପୁଣି ପାଣ୍ଡିଆନ୍ଙ୍କ ଟାର୍ଗେଟ୍; ପ୍ରଭାବଶାଳୀ ମନ୍ତ୍ରୀ ସତ୍ତ୍ୱେ ନିଜ ଅଞ୍ଚଳ ପାଇଁ କିଛି କଲେନାହିଁ – Ibnodisha

[ad_1]
ଭୁବନେଶ୍ୱର: କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ ବ୍ଲକ୍ରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ, କମ୍ୟୁନିଟି କଲେଜ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପାରିଥାନ୍ତେ । ଏ ଅଞ୍ଚଳର ପିଲା ସିବିଏସ୍ସି ପାଠ ପଢ଼ିବାର ସୁଯୋଗ ପାଇଥାନ୍ତେ । ମାତ୍ର ବିଡ଼ମ୍ବନାର ବିଷୟ, କେନ୍ଦ୍ରରେ ଦୀର୍ଘ ଦିନ ଧରି ପ୍ରଭାବଶାଳୀ ମନ୍ତ୍ରୀ ରହିବା ସତ୍ତ୍ୱେ ସେ ନିଜ ଅଞ୍ଚଳ ପାଇଁ କିଛି କଲେନାହିଁ । ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତ ଅବସରରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏଭଳି ଢଙ୍ଗରେ ଟାର୍ଗେଟ୍ କରିଛନ୍ତି ।
ଶ୍ରୀ ପାଣ୍ଡିଆନ ପ୍ରଥମେ ଗଡ଼ସନ୍ତ୍ରୀ ଠାରେ ଥିବା ମା ଲୋଭୀ ଠାକୁରାଣୀଙ୍କ ଦର୍ଶନ କରିଥିଲେ । ବଅଁରପାଳ ବ୍ଲକ୍ ଅନ୍ତର୍ଗତ ଗଡସନ୍ତ୍ରୀ ଠାରେ ସାଧାରଣ ସଭାରେ ଶ୍ରୀ ପାଣ୍ଡିଆନ ସେ ସିଧାସଳଖ ତିନିଟି ପ୍ରଶ୍ନ ପଚାରିଥିଲେ । ସେ କହିଥିଲେ ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ମାଟିର ସନ୍ତାନ । ଏ ମାଟି ତାଙ୍କୁ ନେଇ ଗର୍ବ କରିବାର କଥା । ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ପରେ ସବୁଠୁ ଅଧିକ ସୁଯୋଗ ସେ ପାଇଛନ୍ତି । କେନ୍ଦ୍ରରେ ଶିକ୍ଷାମନ୍ତ୍ରୀ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ସେ ଚାହିଁଥିଲେ ତାଙ୍କ ଅଞ୍ଚଳରେ ଥିବା ୩୦ଟି ବ୍ଲକ୍ରେ କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଏବଂ କମ୍ୟୁନିଟି କଲେଜ ଭଳି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରି ପାରିଥାନ୍ତେ । ଫଳରେ ଏ ଅଞ୍ଚଳର ପିଲା ସିବିଏସ୍ସି ପାଠ ପଢ଼ିବାର ସୁଯୋଗ ପାଇଥାନ୍ତେ । ମାତ୍ର ଏତେ ବର୍ଷ ହେଲା କେନ୍ଦ୍ରରେ ପ୍ରଭାବଶାଳୀ ମନ୍ତ୍ରୀ ରହିବା ସତ୍ତ୍ୱେ ସେ ନିଜ ଅଞ୍ଚଳ ପାଇଁ କିଛି କଲେ ନାହିଁ ।
ପ୍ରବାଦପୁରୁଷ ବିଜୁବାବୁ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଓ ପରବର୍ତ୍ତୀ ସମୟରେ ସୁନାବେଡାରେ ହାଲ, ପାରାଦୀପ ଠାରେ ବନ୍ଦର ପ୍ରତିଷ୍ଠା ଭଳି ବହୁ ବଡ଼ବଡ଼ କାମ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଥିବାବେଳେ ପାରାଦୀପରେ ଆଇଓସିଏଲର ବଡ କାରାଖାନା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ଓ ପରେ ସଫଳତା ମଧ୍ୟ ପାଇଥିଲେ । କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ତାଙ୍କ ଅଞ୍ଚଳରେ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରିଛନ୍ତି । ସେହିଭଳି ଜୁଏଲ ଓରାମ କେନ୍ଦ୍ରମନ୍ତ୍ରୀ ଥିବାବେଳେ ସୁନ୍ଦରଗଡ଼ରେ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରିଥିଲେ । ଚନ୍ଦ୍ରଶେଖର ସାହୁ କେନ୍ଦ୍ରରେ ରାଷ୍ଟ୍ରମନ୍ତ୍ରୀ ଥିବାବେଳେ ଗଞ୍ଜାମ ଜିଲ୍ଲାକୁ ତିନି ତିନିଟି କେନ୍ଦ୍ରୀୟ ବିଦ୍ୟାଳୟ ଆଣିଥିଲେ । କାମାକ୍ଷାପ୍ରସାଦ ସିଂଦେଓ କେନ୍ଦ୍ରରେ ମନ୍ତ୍ରୀ ଥିବାବେଳେ ଢେଙ୍କାନାଳରେ ଆଇଆଇଏମସି ପ୍ରତିଷ୍ଠା କରିଥିଲେ । ସେ ଗଞ୍ଜାମ ଜିଲ୍ଲାପାଳ ଥିବାବେଳେ ସେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମରେ ସେଠାରେ ତିନୋଟି କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ କରିବା ପାଇଁ ସମର୍ଥ ହୋଇଥିଲେ । କିନ୍ତୁ ସେହି ବିଭାଗର ଜଣେ କେନ୍ଦ୍ରମନ୍ତ୍ରୀ ହୋଇ ତାଙ୍କ ଜିଲ୍ଲାରେ ମାତ୍ର ଦୁଇଟି ଇନଷ୍ଟିଟ୍ୟୁସନାଲ କେନ୍ଦ୍ରୀୟ ବିଦ୍ୟାଳୟ ରହିବା ଦୁର୍ଭାଗ୍ୟଜନକ ।
ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀଙ୍କ ନିଜ ପଞ୍ଚାୟତରେ ଥିବା ସ୍କୁଲକୁ ରାଜ୍ୟ ସରକାର ୫-ଟି ଉପକ୍ରମରେ ରୂପାନ୍ତର କରିଛନ୍ତି । ସ୍ମାର୍ଟ ସ୍କୁଲ କରିଛନ୍ତି । ସେହିଭଳି କେନ୍ଦ୍ରମନ୍ତ୍ରୀ ସବୁବେଳେ କହୁଛନ୍ତି ଯେ ଏ ଅଞ୍ଚଳର ଲୋକ କାମ ଧନ୍ଦା ପାଇଁ ବାହାରକୁ ଯାଉଛନ୍ତି । ସେ ନିଜେ ଦକ୍ଷତା ବିକାଶ ବିଭାଗର ମନ୍ତ୍ରୀ ଅଛନ୍ତି । ଚାହିଁଥିଲେ ଏ ଅଞ୍ଚଳର ସବୁ ବ୍ଲକ୍ରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କରିପାରିଥାନ୍ତେ । ଏ ଅଞ୍ଚଳରେ ଏମ୍ସିଏଲ, ଏନ୍ଟିପିସି, ନାଲ୍କୋ ଭଳି ସଂସ୍ଥା ରହିଛି । ଦକ୍ଷତା ବିକାଶ ହୋଇଥିଲେ ଅନୁଗୁଳ, ଢେଙ୍କାନାଳ, ସୁନ୍ଦରଗଡ଼ ଆଦି ଅଞ୍ଚଳର ଯୁବପିଢି ଭଲ ଭଲ ଚାକିରି ପାଇପାରିଥାନ୍ତେ । ମାତ୍ର ସେ କାହିଁକି ଏଠାରେ ଦକ୍ଷତା ବିକାଶ କେନ୍ଦ୍ର ପ୍ରତିଷ୍ଠା କଲେନାହିଁ ।
୫୫ ନମ୍ବର ଜାତୀୟ ରାଜପଥ ପ୍ରସଙ୍ଗ କଥା ଉଠାଇ ଶ୍ରୀ ପାଣ୍ଡିଆନ କହିଛନ୍ତି ଯେ କଟକରୁ ଅନୁଗୁଳ ଦେଇ ସମ୍ବଲପୁର ଯିବା ପାଇଁ ଥିବା ୫୫ ନମ୍ବର ଜାତୀୟ ରାଜପଥ ଏମିତି ବିପଦଜନକ ହୋଇଛି ଯେ ପ୍ରତିଦିନ ଦୁର୍ଘଟଣାରେ ଲୋକେ ପ୍ରାଣ ହରାଉଛନ୍ତି । ତଥାପି ବର୍ଷ ବର୍ଷ ଧରି ଠିକ ହୋଇ ପାରୁନି ରାସ୍ତା । ଓଡ଼ିଶା ଭିତରେ ସବୁ ରାସ୍ତା ଭଲ । ଏପରିକି ଓଡ଼ିଶା ଭିତରେ ଥିବା ଭାରତ ସରକାରଙ୍କର ସବୁ ରାସ୍ତା ମଧ୍ୟ ଭଲ । କିନ୍ତୁ କେବଳ ଧର୍ମେନ୍ଦ୍ର ବାବୁଙ୍କ ଅଞ୍ଚଳ ଦେଇ ଯାଇଥିବା ଏହି ଗୋଟିଏ ଜାତୀୟ ରାଜପଥ କାହିଁକି ଅବହେଳିତ ଏବଂ ସାତ ଆଠ ବର୍ଷ ହେଲା ତାହା ଅଧପନ୍ତରିଆ ହୋଇ ରହିଛି । କେବେ କାମ ସରିବ ତାହା କାହାକୁ ଜଣାନାହିଁ । ଯଦି ଜିଲ୍ଲାପାଳମାନେ ରାସ୍ତା ଠିକ୍ କରିଦେଇ ପାରୁଛନ୍ତି ତାହେଲେ କେନ୍ଦ୍ରମନ୍ତ୍ରୀ କାହିଁକି ଏହା କରି ପାରୁନାହାନ୍ତି ।
ଶ୍ରୀ ପାଣ୍ଡିଆନ ପୁଣି କହିଛନ୍ତି ଯେ ଗତ ବର୍ଷେ ଭିତରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ବାବୁ ୪୦ ଥର ଅନୁଗୁଳ ଜିଲ୍ଲା ଆସିଛନ୍ତି । ପ୍ରତିଥର ଟିକିଏ ଟିକିଏ ବିକାଶମୂଳକ କାର୍ଯ୍ୟ ହାତକୁ ନେଇଥିଲେ ଅନୁଗୁଳର ପ୍ରଭୂତ ବିକାଶ ହୋଇପାରିଥାନ୍ତା । କିନ୍ତୁ ସେ ତାହା କରିନାହାନ୍ତି । ଅପରପକ୍ଷରେ ସେ (ପାଣ୍ଡିଆନ୍) ଜୁନ ମାସରେ ଥରଟିଏ ଅନୁଗୁଳ ଜିଲ୍ଲା ଆସିଥିଲେ । ତାପରେ ୧୦୦ କୋଟି ଟଙ୍କା ଅନୁଗୁଳ ନିର୍ବାଚନ ମଣ୍ଡଳୀକୁ ପ୍ରଦାନ କରାଯାଇଛି । ରାଜନୀତିରେ ତାଙ୍କର ଦୀର୍ଘ ଅନୁଭୂତି ନାହିଁ, କେନ୍ଦ୍ରମନ୍ତ୍ରୀଙ୍କୁ ପରାମର୍ଶ ଦେବା ଭଳି ଯୋଗ୍ୟତା ମଧ୍ୟ ତାଙ୍କର ନାହିଁ । କେବଳ ସେ ବିନମ୍ରତାର ସହ ଅନୁରୋଧ କରିପାରିବେ । ନିଜ ଅଞ୍ଚଳ ପାଇଁ ନିଜର କର୍ତ୍ତବ୍ୟ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆତ୍ମସମୀକ୍ଷା କରନ୍ତୁ । ତେବେ ଏବେବି ସମୟ ଅଛି, ଏ ଅଞ୍ଚଳର ଲୋକ ଆଶା ରଖିଛନ୍ତି ସର୍ବୋପରି ସେ ନିଜେ ଆଶା ରଖିଛନ୍ତି ଯେ ଧର୍ମେନ୍ଦ୍ର ପ୍ରଧାନ ବିଳମ୍ବରେ ହେଲେ ମଧ୍ୟ ଏ ଅଞ୍ଚଳ ପାଇଁ କିଛି କରିବେ । ଯଦି ଏଅଞ୍ଚଳରେ ଲୋକମାନଙ୍କ ପାଇଁ ଠିକ କାମ କରନ୍ତି ତାହେଲେ କେବଳ ନାମାଙ୍କନ ପତ୍ର ଦାଖଲ କରି ଘରେ ବସିଲେ ମଧ୍ୟ କେନ୍ଦ୍ରମନ୍ତ୍ରୀ ୨ ଲକ୍ଷ ଭୋଟ୍ରେ ବିଜୟୀ ହୋଇପାରନ୍ତେ ବୋଲି କଟାକ୍ଷ କରିଥିଲେ ଶ୍ରୀ ପାଣ୍ଡିଆନ ।
ଗଡସନ୍ତ୍ରୀ ପରେ ପାଣ୍ଡିଆନ ପାଲଲହଡା ନିର୍ବାଚନମଣ୍ଡଳିର ଖମାର ଠାରେ ପହଞ୍ଚିଥିଲେ । ସେଠାରେ ଖମାର ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ବାଣ୍ଟିବା ସହ ଗୋପବନ୍ଧୁ ମହାବିଦ୍ୟାଳୟର ବିକାଶ ପାଇଁ ୫ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ସୂଚନା ଦେଇଥିଲେ । ଏଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ କହିଥିଲେ । ରୂପାନ୍ତରଣ ଯାତ୍ରାରେ ଦୌଡୁଛି ଅନୁଗୁଳ । ଗତ ଜୁଲାଇ ୧୧ ତାରିଖରେ ଜିଲ୍ଲା ଗସ୍ତ କରିଥିଲେ ୫-ଟ ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ସେତେବେଳେ ଲୋକେ ଦେଇଥିବା ୨୨୭ଟି ଦରଖାସ୍ତ ମଧ୍ୟରୁ ପ୍ରାୟ ୨ଶହ ଦରଖାସ୍ତର ସମାଧାନ ହୋଇସାରିଛି । ମନ୍ଦିର, ମସଜିଦ୍, କମ୍ୟୁନିଟି ସେଣ୍ଟର ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ସେସବୁକୁ ସ୍ୱଚ୍ଛତାର ସହ ଖର୍ଚ୍ଚ କଲେ ଆହୁରି ଅନୁଦାନ ପାଇବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଛଅ ମାସ ଭିତରେ ଦ୍ୱିତୀୟ ଥର ଅନୁଗୁଳ ଯାଇଛନ୍ତି ୫-ଟି ଅଧ୍ୟକ୍ଷ । କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି ମୁଖ୍ୟମନ୍ତ୍ରୀ ।
ଛଅମାସ ଭିତରେ ଅଞ୍ଚଳ ପାଇଁ ୨ଶହ କୋଟି ଟଙ୍କାର ପ୍ରକଳ୍ପ ଅନୁମୋଦନ କରିଛନ୍ତି । ବ୍ରାହ୍ମଣୀ ନଦୀ ଉପରେ ଥିବା ସେତୁକୁ ପବିତ୍ର ମୋହନ ପ୍ରଧାନ ସେତୁ କରିବାକୁ ସ୍ଥାନୀୟ ଲୋକେ ଅନୁରୋଧ କରିଥିଲେ । ଅନୁରୋଧ ରକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସିବିଡାରୁ ଖଡ଼କା ରାସ୍ତା ପାଇଁ ୪୨ କୋଟି ଟଙ୍କା ମଞ୍ଜୁର ହୋଇ ଟେଣ୍ଡର ପ୍ରକ୍ରିୟା ସରିଛି । ପାଲଲହଡ଼ା ସହରରୁ ମାଙ୍କଡ଼ା ନାଳ ଦେଇ ନାଇକାଣିପାଲି ପର୍ଯ୍ୟନ୍ତ ରାସ୍ତା ପାଇଁ ୨୦କୋଟି, ଦାଡ଼ଗଡ଼ିଆ ସିଆରିଆ ରାସ୍ତା ପାଇଁ ୧୪ କୋଟି ୯୦ ଲକ୍ଷ, ମାଙ୍କିଡିଆ ନାଳ ଉପରେ ସେତୁ ପାଇଁ ୫ କୋଟି ୪୦ଲକ୍ଷ, ଅନ୍ଧାରୀ ନାଳ ଉପରେ ଓଡ଼ଶରୁ କୋଚିଆବେଡ଼ାକୁ ସଂଯୋଗ କରୁଥିବା ସେତୁ ପାଇଁ ୪କୋଟି, ପବିତ୍ର ମୋହନ ପ୍ରଧାନ ମେମୋରିଆଲ୍ ପାଇଁ ପ୍ରାୟ ୩କୋଟି ଅନୁମୋଦନ ହୋଇଛି । ଜିଲ୍ଲାର ସବୁ କଲେଜ, ସ୍କୁଲକୁ ୫-ଟିରେ ସାମିଲ କରାଯାଇଛି । ବଡ଼ ସହରର ପିଲାଙ୍କ ଭଳି ଏହି ଅଞ୍ଚଳର ପିଲା ବି ପାଠ ପଢିବେ । ଖମାର କଲେଜ ରୂପାନ୍ତରଣ ପାଇଁ ୫କୋଟି ଟଙ୍କା ମଞ୍ଜୁର କରାଯାଇଛି । ଫେବ୍ରୁଆରୀରେ ଅନୁଗୁଳରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରାଯିବ । ଫେବ୍ରୁଆରୀ ସୁଦ୍ଧା ଜିଲ୍ଲାର ସବୁ ପଞ୍ଚାୟତରେ ମିଳିବ ବ୍ୟାଙ୍କ ସୁବିଧା । ପ୍ରତି ପଞ୍ଚାୟତରେ ଥିବା ଜଗନ୍ନାଥ ମନ୍ଦିରର ଉନ୍ନତି ପାଇଁ ମଧ୍ୟ ଟଙ୍କା ଦିଆଯାଇଛି।
ଢେଙ୍କାନାଳ ପରଜଙ୍ଗରେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ କରିଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ । ପୁଣିଥରେ ୩ଟି ପ୍ରସଙ୍ଗକୁ ନେଇ ସିଧାସଳଖ ପ୍ରଶ୍ନ କରିଥିଲେ । ଧର୍ମେନ୍ଦ୍ର ବାବୁଙ୍କୁ ଲକ୍ଷ୍ୟ କରି ପାଣ୍ଡିଆନ କହିଥିଲେ ଯେ ଆପଣ ମାଟି ପାଇଁ ଧ୍ୟାନ ଦିଅନ୍ତୁ । ନିଜ ଘରକୁ କେବେବି ଭୁଲିବେନି । ଆପଣ ଚେଷ୍ଟା କଲେ ମୁଖ୍ୟମନ୍ତ୍ରୀ ସବୁ ସହାୟତା କରିବେ । ଲୋକେ ସବୁ ମନେ ରଖିବେ କାହା ହାତରେ କେତେ କ୍ଷମତା ରହିଛି । ଆପଣ ବଡ଼ କ୍ଷମତାରେ ଅଛନ୍ତି । ଆପଣ ପିଲାଙ୍କ ପାଇଁ କାହିଁକି କିଛି କରୁନାହାନ୍ତି । ଢେଙ୍କାନାଳବାସୀ କେଉଁ ପାପ କଲେ ବୋଲି ପଚାରିଥିଲେ ପଣ୍ଡିଆନ । ଏହି ଅବସରରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସଂପର୍କରେ ସୂଚନା ଦେଇ ଶ୍ରୀ ପାଣ୍ଡିଆନ କହିଥିଲେ ଯେ ବର୍ଷକ ମଧ୍ୟରେ ସେ ଏଠାକୁ ଦୁଇ ଥର ଆସିଛିନ୍ତି । ଜୁଲାଇ ୧୨ରେ ପ୍ରଥମେ ଆସିଥିଲେ ।
୫୨୬ ଦରଖାସ୍ତ ପାଇଥିଲେ । ସେଥିମଧ୍ୟରୁ ୪୫୦ ଦରଖାସ୍ତର ସମାଧାନ ହୋଇଛି । ଅଞ୍ଚଳର ବିକାଶ ଲାଗି ହଜାରେ କୋଟି ଟଙ୍କା ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସୁକାଟିନି ପାଖରେ ଆଡିବନ୍ଧ ନିର୍ମାଣ ଲାଗି ୯୦୦ କୋଟି ଅନୁମୋଦନ କରିଛନ୍ତି । ସେହିପରି ଲୋ ଭୋଲଟେଜ୍ ସମସ୍ୟା ଦୂର କରିବାକୁ ଦୁଇଟି ସବଷ୍ଟେସନ ନିର୍ମାଣ ହବ । ଜହ୍ନପଡ଼ା ପାଖରେ ହେବାକୁ ଥିବା ସବ୍ଷ୍ଟେସନ ଲାଗି ୫୦ କୋଟି ମଞ୍ଜୁର ହୋଇଛି । ମୁକ୍ତାପଶି ପାଖରେ ଆଉ ଏକ ସବ୍ଷ୍ଟେସନ ଲାଗି ୧୨ କୋଟି ମଞ୍ଜୁର ହୋଇଛି । ଅଷ୍ଟଶମ୍ଭୁ ମନ୍ଦିରର ଉନ୍ନତି ଲାଗି ୨ କୋଟି ୨୦ ଲକ୍ଷ ମଞ୍ଜୁର ହୋଇଛି । ଜିଲ୍ଲାରେ ୬ ମାସ ମଧ୍ୟରେ ସବୁ ସ୍କୁଲ, ଉଚ୍ଚମାଧ୍ୟମିକ ସ୍କୁଲ ଓ କଲେଜର ରୂପାନ୍ତରଣ ସରିବ । ପରଜଙ୍ଗ ପିଲା ମଧ୍ୟ ଭଲ ସ୍କୁଲର ପାଠ ପଢିବେ । ଏଠାକାର ଲୋକଙ୍କ ସ୍ୱପ୍ନ ସାକାର ହେଲେ ନୂଆ ଓଡ଼ିଶା ଗଠନ ହେବ ବୋଲି କହିଥିଲେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।
[ad_2]




