
ଯାଜପୁର:ଧର୍ମଶାଳା :ଧର୍ମଶାଳା ବ୍ଲକ କୋତପୁର ପଞ୍ଚାୟତର ସରପଞ୍ଚ ସୁନାକର ବେହେରାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ହୋଇଛି। ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏନେଇ ସେ ଧର୍ମଶାଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଜଣକୁ ଅଟକ ରଖିଛି। ଅନ୍ୟଜଣେ ଫେରାର୍ ହୋଇଯାଇଛି।ପଦ୍ମଶ୍ରୀ ଅଜୟ କୁମାର ପରିଡ଼ାଙ୍କ ମରଶରୀରକୁ ଗତ ୨୦ତାରିଖରେ ଜନ୍ମମାଟି ଭଗବାନପୁରକୁ ନିଆଯାଉଥିବା ବେଳେ କୋତପୁର ଜାଗୁଳାଇ ହାଇସ୍କୁଲ ନିକଟରେ ସରପଞ୍ଚ ସୁନାକର ଓ ସହଯୋଗୀମାନେ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଅପେକ୍ଷା କରିଥିଲେ। ସେଠାରେ ଏକ ବାଇକ ଦ୍ରୁତଗତିରେ ଆସି ତାଙ୍କୁ ଧକ୍କା ଦେଇଥିଲା। ଏଥିରେ ସେ ଓ ତାଙ୍କ ସମର୍ଥକ ମଳୟ କୁମାର ସାମଲ, କିଶୋର ଜେନା, ପ୍ରଭାସ ରାଉତ, ପ୍ରତାପ ସେଠୀ, ନଟବର ରାଉତ ଆହତ ହୋଇଥିଲେ। ଏହି ସମୟର ଏକ ଭିଡିଓ କ୍ଲିପ୍ ଏବେ ଭାଇରାଲ୍ ହେବାରେ ଲାଗିଛି। ପୁଲିସ୍ ବାଇକ୍ ଚାଳକକୁ ଅଟକ ରଖିଛି। ବ୍ୟବହୃତ ବାଇକ୍ (ଓଡି୦୪ଏଲ୍-୧୫୩୮)କୁ ଜବତ କରିଛି। ଗତ ପଞ୍ଚାୟତ ନିର୍ବାଚନରେ ହାରଜିତକୁ କେନ୍ଦ୍ରକରି ଉଭୟ ଗୋଷ୍ଠୀ ମଧ୍ୟରେ ତିକ୍ତତା ଲାଗିରହିଛି। ତେଣୁ ବିରୋଧୀ ଗୋଷ୍ଠୀ ତାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିବା ସରପଞ୍ଚ ଅଭିଯୋଗରେ ଦର୍ଶାଇଛନ୍ତି।