
ଅନୁଗୁଳ: ଦିନକୁ ଦିନ କମିବାର ନାଁ ଧରୁନି ଅପରାଧ।ସେହିପରି କାଲ୍ ସିଟରେ ନାମ ଲେଖାଇ ଦେବାକୁ କହି ବଡ଼ ଧରଣର ଠକେଇ କରିଥିବା ଠକକୁ ବନ୍ଧିଛି ପୁଲିସ। ସାଙ୍ଗଙ୍କ ମେଳରେ କୋଣାର୍କକୁ ଶିବ ମନ୍ଦିରରେ ଜଳଲାଗି ପାଇଁ ଯାଇଥିବା ବେଳେ ଅନୁଗୁଳ ଟାଉନ ଥାନା ପୁଲିସ ତାକୁ ସେଠାରୁ ଉଠାଇ ଆଣିଛି। ତା’ଠାରୁ ଗୋଟିଏ ଲାପ୍ଟପ୍ ସହିତ ତିନୋଟି ମୋବାଇଲ୍ ବି ଧରାପଡ଼ିଛି। ତା’ ନାଁ ହୀରକ କୁମାର ପରିଡ଼ା। ଘର କେନ୍ଦ୍ରାପଡ଼ା ଜିଲ୍ଲା ମର୍ଶାଘାଇ ଥାନା ଶିଳିପୁର ଗାଁରେ ବୋଲି ପୁଲିସ କହିଛି। ସେ ପୂର୍ବତନ ବ୍ଲକ୍ ଅଧ୍ୟକ୍ଷାଙ୍କର ପୁଅ। ବିଟେକ୍ ଇଞ୍ଜିନିୟରିଂ କଲା ପରେ ଏମିତି ଉପାୟ କରି ଲୋକଙ୍କୁ ଲୁଟୁଥିଲା ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। ଅନୁଗୁଳର ବରିଷ୍ଠ ଡାକ୍ତର ଗୌରୀଶଙ୍କର ବଳଙ୍କ ପୁଅକୁ ମେଡିକାଲ୍ ପି.ଜି ସିଟ୍ରେ ନାଁ ଲେଖାଇ ଦେବ ବୋଲି କହି କୋଟିଏ ଟଙ୍କା ଚଳୁ କରିଥିଲା। ଏନେଇ ଡାକ୍ତର ବଳ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଡାକ୍ତରଙ୍କ ଏତଲା ପରେ ଅନୁରୂପ ଠକେଇ ମାମଲା ଅନୁଗୁଳର ଜଣେ ଆଇନ୍ଜୀବୀ ଆଣିଛନ୍ତି। ମ୍ୟାନେଜମେଣ୍ଟ୍ କୋଟାରେ କୌଣସି ଏକ ବଡ଼ ମେଡିକାଲ କଲେଜରେ ଝିଅର ଏମ୍ବିବିଏସ୍ ନାମ ଲେଖାଇ ଦେବାର ପ୍ରତିଶ୍ରୁତି ଦେଇ ହୀରକ ତାଙ୍କୁ ୨୦ଲକ୍ଷ ଟଙ୍କାର ଚୂନ ଲଗାଇଛନ୍ତି ବୋଲି ହାକିମ୍ପଡ଼ାର ଆଇନ୍ଜୀବୀ ଶ୍ରୀନିବାସ ସାହୁ ଅନୁଗୁଳ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।