IBN ଓଡ଼ିଶା ବ୍ୟୁରୋରାଜନୀତି

ବଡଚଣା ରେ ବିଜେଡି ସ୍ଥିର, ବଢୁଛି କଂଗ୍ରେସ, ଖସୁଛି ବିଜେପି

ଅମରଙ୍କ ପାଇଁ ସୁଯୋଗ ସୃଷ୍ଟି କରିବ ବଡଚଣା ଭୋଟ ଧ୍ରୁବିକରଣ

ଯାଜପୁର(IBN ଓଡିଶା)(ସମ୍ପାଦକୀୟ)

ଯାଜପୁର ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ବଡ଼ଚଣା ନିର୍ବାଚନ ମଣ୍ଡଳୀ । ଯାଜପୁର ଜିଲ୍ଲାର ସୀମା ତଥା ମୁଖଶାଳା ହେଉଛି ବଡ଼ଚଣା ନିର୍ବାଚନ ମଣ୍ଡଳୀ । ପ୍ରାୟ ସବୁ ସମୟରେ ବଡ଼ଚଣା ରାଜନୀତିକୁ ନେଇ ରୋଚକ ଆଲୋଚନା ଦେଖିବାକୁ ମିଳିଥାଏ । ହେଲେ ଶାସକ ବିଜେଡି ଏହି ନିର୍ବାଚନ ମଣ୍ଡଳୀକୁ ନିଜର ଏକ ଅଭେଦ୍ୟ ଦୁର୍ଗ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆଉ ଯାହାର ସେନାପତି ସାଜିଛନ୍ତି ରାଜ୍ୟର ଅନ୍ୟତମ ଅଭିଜ୍ଞ ତଥା ଅନୁଭବୀ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଅମର ପ୍ରସାଦ ଶତପଥୀ । ଛାତ୍ର ରାଜନୀତି ବେଳୁ ରାଜନୀତି କରି ଆଜି ପର୍ଯ୍ୟନ୍ତ ବେଶ ସକ୍ରିୟ ରହିଛନ୍ତି ବରିଷ୍ଠ ଅମର । ତାଙ୍କ ନେତୃତ୍ୱ, ଲୋକ ସମ୍ପର୍କ ଓ ସାଙ୍ଗଠନିକ ଦକ୍ଷତା ତାଙ୍କୁ କେବଳ ବଡ଼ଚଣା ନୁହେଁ ସାରା ରାଜ୍ୟରେ ବେଶ ପରିଚିତ କରିଛି । ଦଳ ଓ ଦଳ ନେତୃକୁ ସମ୍ମାନ ଦେଇ ଦଳର ନୀତି ଆଦର୍ଶକୁ କର୍ମୀଙ୍କ ମଧ୍ୟରେ ବାଣ୍ଟି ନିଜ ନିର୍ବାଚନ ମଣ୍ଡଳୀର ବିକାଶକୁ ଗୁରୁତ୍ୱ ଦେଇ ବେଶ ଲୋକପ୍ରିୟ ହୋଇଛନ୍ତି ଅମର । ଦଳୀୟ ସଙ୍ଗଠନରେ ବରିଷ୍ଠ ଓ ଯୁବକଙ୍କୁ ସମାନ ଗୁରୁତ୍ୱ ଦେବା ତାଙ୍କ ନେତୃତ୍ୱ ଶୈଳୀର ଭିନ୍ନ ଦିଗ । ଆଉ ମାସ କେଇଟା ପରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିଲା ବେଳେ ପୁଣି ବଡ଼ଚଣା ନିର୍ବାଚନ ମଣ୍ଡଳୀକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ ସାଧାରଣ ନିର୍ବାଚନରେ ଦଳ ରାଜନୈତିକ ଓ ଭୋଟ ସମିକରଣକୁ ଦୃଷ୍ଟି ରେ ରଖି ଶେଷ ମୁହୂର୍ତ୍ତରେ ଅମର ପ୍ରସାଦ ଶତପଥୀ ଙ୍କୁ ଟିକେଟ ପ୍ରଦାନ କରିଥିଲା । ତାଙ୍କୁ କଡା ଟକର ଦେଇଥିଲେ ବିଜେପିର ଅମର ନାୟକ । ଦୁଇ ପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ କଡା ମୁକାବିଲା ହୋଇଥିଲା ବେଳେ ଶେଷକୁ ଅମର ଶତପଥୀ ବିଜୟୀ ହୋଇଥିଲେ । ସେ ମାତ୍ର ୧୪୦୦ରୁ ଉର୍ଦ୍ଧ୍ଵ ଭୋଟରେ ବିଜୟୀ ହୋଇଥିଲା ବେଳେ ତାଙ୍କ ଚତୁର ଗୋଟି ଚାଳନା ବିଜେପିକୁ ଶେଷ ମୁହୂର୍ତ୍ତରେ ନିରାଶ କରିଥିଲା । ଏକଦା କଂଗ୍ରେସର ଗଡ଼ ଥିବା ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସକୁ ତୃତୀୟ ସ୍ଥାନରେ ରହିବାକୁ ପଡିଥିଲା । ସେ ସମୟରେ ବିଜେଡିର ଗୋଟିଏ ଗୋଷ୍ଠି ଅମରଙ୍କୁ ବିରୋଧ କରୁଥିବା ନେଇ ବେଶ ଚର୍ଚ୍ଚା ହୋଇଥିଲା । ହେଲେ ନିର୍ବାଚନ ପରେ ଚୁପ ନବସି ଅମର ଦଳର ସଙ୍ଗଠନକୁ ସଜାଡି ଦଳକୁ ମଜବୁତ କରିବାକୁ ନିଷ୍ଠାପର ଉଦ୍ୟମ କରିଥିଲେ । ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବଡ଼ଚଣାରେ ବିଜେଡି ଧୂଳି ଚାଟିବ ଓ ଵିରୋଧି ପଞ୍ଚାୟତ ସମିତି ଗଠନ କରିବ ଏଭଳି ଢେର ଚର୍ଚ୍ଚା ହୋଇଥିଲା । ହେଲେ ସବୁ ଆଲୋଚନା, ସମାଲୋଚନା କୁ ପଛରେ ପକାଇ ବିଜେଡି ପଞ୍ଚାୟତ ସମିତି ଗଠନ କରିବା ସହିତ ସମସ୍ତ ଜିଲ୍ଲା ପରିଷଦ ଆସନ ରେ ବିଜୟୀ ହୋଇଥିଲା । ନିର୍ବାଚନରେ ଦଳର ଭୋଟ ବ୍ୟବଧାନ ଆଖିଦୃଶିଆ ହୋଇ ୩୨ ହଜାର ପାର କରିଥିଲା । ଯାହା ବିରୋଧୀଙ୍କ ଅବାକ କରିଥିଲା ବେଳେ ସମ୍ପୂର୍ଣ୍ଣ ନିରାଶ କରିଥିଲା । ଦଳର ଏହି ସଫଳତା ପାଇଁ ବଡ଼ଚଣାର ଅନ୍ୟତମ ଜିଲ୍ଲା ପରିଷଦ ବିଜୟୀ ଗଣେଶ୍ୱର ବରାଳ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ଆସନ୍ତା ନିର୍ବାଚନ ପୂର୍ବରୁ ବଡ଼ଚଣା ନିର୍ବାଚନ ମଣ୍ଡଳୀ ପାଣି ପାଗରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଗତ ସାଧାରଣ ନିର୍ବାଚନ ଭୋଟ ହାରରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ବିଜେଡି ସ୍ଥିର ଥିଲା ବେଳେ ଆଶ୍ଚର୍ଯ୍ୟ ଜନକ ଭାବେ କଂଗ୍ରେସର ଲୋକପ୍ରିୟତା ବଢିଛି । ହେଲେ ତମାମ ଜିଲ୍ଲା ଭଳି ବଡ଼ଚଣାରେ ବିଜେପି ଲୋକପ୍ରିୟତା ଠାରୁ ଦୂରକୁ ଚାଲି ଯାଇଛି । ଭୋଟ ଧ୍ରୁବିକରଣ ଫଳରେ ବିଜେପି ଭୋଟ ବ୍ୟାଙ୍କ ଖଣ୍ଡବିଖଣ୍ଡିତ ହୋଇ ଯାଇଛି । ମୁଖ୍ୟମନ୍ତ୍ରୀ ଓ ଅମରଙ୍କ ଲୋକପ୍ରିୟତା ସହିତ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ଭୋଟରଙ୍କୁ ଦଳ ସହିତ ଯୋଡି ରଖିଥିଲା ବେଳେ ବିଜେପିର କର୍ମୀ କଂଗ୍ରେସ ମୁହାଁ ହୋଇଛନ୍ତି । ପୂର୍ବତନ ମନ୍ତ୍ରୀ ତଥା ବର୍ଷିୟନ ରାଜନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ କ୍ୟାପଟେନ ରାଜ ନାରାୟଣ ମହାପାତ୍ର ଦଳକୁ ସଙ୍ଗଠିତ କରି ଆଗକୁ ବଢ଼ିଛନ୍ତି । ଫଳରେ ବର୍ତ୍ତମାନ ସମୟରେ କଂଗ୍ରେସ ବିଜେପି ଆଗକୁ ଯାଇଥିବା ଢେର ଚର୍ଚ୍ଚା ହେଉଛି । ହେଲେ କଂଗ୍ରେସ ଦଳ ମଧ୍ୟରେ ଯେ ଗୋଷ୍ଠି ବିବାଦ ଅଛି ତାକୁ ମଧ୍ୟ ସ୍ୱୀକାର କରିବାକୁ ପଡିବ । ଅନ୍ୟପକ୍ଷରେ କିଛି ଦିନ ତଳେ ବିଜେଡିର ଗୋଟିଏ ଗୋଷ୍ଠି ନେତୃତ୍ୱକୁ ନେଇ ବିରୋଧ କରୁଥିବା ଦେଖିବାକୁ ମିଳିଥିଲା । ହେଲେ ପ୍ରତି ସାଧାରଣ ନିର୍ବାଚନ ପୂର୍ବରୁ ଏହି ଗୋଷ୍ଠି ଏଭଳି ବିରୋଧ କରନ୍ତି ଓ ପୁଣି ଦଳକୁ ସମର୍ଥନ କରୁଥିବା ନଜିର ରହିଛି । ଅନ୍ୟ ଏକ ଦିଗକୁ ଦେଖିଲେ ବିଗତ ଦିନରେ କଂଗ୍ରେସ ଛାଡି ଜନ୍ମେଜୟ ଲେଙ୍କା ବିଜେଡିରେ ସାମିଲ ହୋଇ ଟିକେଟ ଆଶାୟୀ ଅଛନ୍ତି । ହେଲେ ଦଳର ତୃଣ ମୂଳ ସଂଗଠନ ନାଁ ତାଙ୍କୁ ସମର୍ଥନ କରୁଛନ୍ତି ନାଁ ସେ କର୍ମୀ ଙ୍କ ବିଶ୍ୱାସ ଭାଜନ ହୋଇ ପାରୁଛନ୍ତି । ଏପରି ସ୍ଥଳେ ଅନ୍ୟଏକ ରୋଚକ ଚର୍ଚ୍ଚା ବଡ଼ଚଣା ତଥା ଜିଲ୍ଲା ରେ ଘୁରି ବୁଲୁଛି । ଯାହା କଂଗ୍ରେସର ରାଜ ନାରାୟଣ ବିଜେଡିରେ ସାମିଲ ହେବେ । ହେଲେ କେବଳ ବିଜେଡି ନୁହେଁ କଂଗ୍ରେସ କର୍ମୀ ଏହି ଆଲୋଚନାକୁ ନାପସନ୍ଦ କରୁଛନ୍ତି । କଂଗ୍ରେସ କହିବା କଥା ସାରା ଜୀବନ କଂଗ୍ରେସର ଜଣେ ସଚ୍ଚା କର୍ମୀ, ନେତା ଓ ମନ୍ତ୍ରୀ ରହିଥିବା ସୀତାକାନ୍ତ ତାଙ୍କ ପୁଅ ବିଜେଡିରେ ମିଶୁ ଏହାକୁ ଗ୍ରହଣ କରିବେ ନାହିଁ । ଅନ୍ୟପକ୍ଷରେ ଦୀର୍ଘ ବର୍ଷ ହେଲା କଂଗ୍ରେସ ଦଳ ସହିତ ଲଢ଼ି ବଡ଼ଚଣାକୁ ବିଜେଡିର ଗଡ଼ କରିଥିବା ବିଜେଡି କର୍ମୀ କେବେ କଂଗ୍ରେସ ଦଳର ରାଜ ନାରାୟଣ ଙ୍କୁ ଗ୍ରହଣ କରିବେ ନାହିଁ । ଏପରି ସ୍ଥଳେ ଆଗକୁ ପୁଣି ବରିଷ୍ଠ ଅମର ବିଜେଡିର ଟ୍ରମ୍ପ କାର୍ଡ ହୋଇ ଦଳକୁ ସଫଳ କରିବେ ଏହା ବଡ଼ଚଣା ରାଜନୀତିରେ ଜୋର ଚର୍ଚ୍ଚା ସୃଷ୍ଟି କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button