ଧର୍ମଶାଳାର ବିଜେପିର ତିନି ଟିକେଟ ଆଶାୟୀ, ଦ୍ଵନ୍ଦରେ କର୍ମୀ

ଯାଜପୁର(IBN ଓଡିଶା)(ସମ୍ପାଦକୀୟ)
ରାଜ୍ୟ ରାଜନୀତି ରେ ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ହେଉଛି ଅନ୍ୟତମ।ଏହି ଠାରେ ୨୮ବର୍ଷ ଧରି ସ୍ୱର୍ଗତ କଳ୍ପତରୁ ଦାସଙ୍କ ପରିବାର ହାତରେ ଶାସନ କ୍ଷମତା ରହିଛି।ନିର୍ବାଚନ ବର୍ଷ ଆସିଲେ ଯେତେ ଯେତେ ନୂଆ ପୁରୁଣା ନେତାମାନେ ଯେ କୌଣସି ଦଳରୁ ଠିଆ ହୁଅନ୍ତୁ ନା କାହିଁକି, ସେମାନଙ୍କୁ ସ୍ବର୍ଗତ କଳ୍ପତରୁ ଦାସ ଏବଂ ତାଙ୍କର ପୁତ୍ର ପ୍ରଣବ ବଳବନ୍ତରାୟଙ୍କ ଚତୁର ଗୋଟି ଚାଳନାରୁ କିଏ କେଉଁ ଆଡେ ଲିଭି ଯାଆନ୍ତି।ଏହି ନିର୍ବାଚନ ମଣ୍ଡଳୀରେ ବିଜେପି ଏବଂ କଂଗ୍ରେସର ଅପାରଗ ନେତୃତ୍ୱ ହେତୁ ଲଗାତାର ବିଜେଡି ବିଜୟର ଟୀକା ହାସଲ କରୁଛି।ନିର୍ବାଚନ ସମୟ ଆସିଲେ ମାଳ ମାଳ ନେତା ବିଧାୟକ ବଟିକା ଖାଇ ବାହାରନ୍ତି ପୁନଃ କୁଆଡେ ହଜି ଯାଆନ୍ତି।
ଏହାରି ଭିତରେ ବିଜେପି ଦଳର ସ୍ଥିତି ଧର୍ମଶାଳା ରେ ଭିନ୍ନ।୨୦୦୯ ମସିହାରେ ବିଜେପି ରେ ଯୋଗ ଦେଇଥିଲେ ରମେଶ ଚଦ୍ର ପରିଡା।ତିନି ତିନି ଥର ଯଥା ୨୦୦୯,୨୦୧୪ ଏବଂ ୨୦୧୯ ରେ ରମେଶ ଧର୍ମଶାଳାରେ ବିଜେପି ଟିକେଟ ହାତେଇବା ପରେ ଲଗାତାର ପରାଜୟ ହୋଇ ପରବର୍ତ୍ତୀ ସମୟରେ ୨୦୨୨ରେ ଦଳ ଛାଡି ସେ ବିଜେଡି ରେ ସାମିଲ ହୋଇଥିଲେ।ଧର୍ମଶାଳା ରେ ଅନ୍ୟ ଜଣେ ଟାଣୁଆ ଏବଂ ଦକ୍ଷ ନେତା ଭାବେ ରାଜ୍ୟ ରାଜନୀତି ରେ ପରିଚିତ ସେ ହେଉଛନ୍ତି ସର୍ବେଶ୍ୱର ବେହୁରା।ଶ୍ରୀ ବେହୁରା ୧୯୯୪ ମସିହାରୁ ଅଦ୍ୟାବଧି ଦଳରେ ବହୁ ଗୁରୁ ଦାଇତ୍ୱ ନେଇ ତାହାକୁ ସୁପରିଚାଳନା କରି ଆସୁଥିବା ବେଳେ ଏପର୍ଯ୍ୟନ୍ତ ବିଜେପି ଦଳରେ କାର୍ଯ୍ୟ କରୁଛନ୍ତି।ଦଳ କୁ ଆଗେଇ ନେବାକୁ ସେ ଅନେକ ସଂଘର୍ଷ କରିଛନ୍ତି।ଧର୍ମଶାଳା ରେ ଦୁର୍ନୀତି ଏବଂ ଭ୍ରଷ୍ଟାଚାର ବିରୁଦ୍ଧରେ ସର୍ବେଶ୍ୱର ଲଗାତାର ଲଢେଇ କରି ମାଫିଆ, ପୋଲିସ,ଶାସକ ନେତା ଏବଂ ଜିଲ୍ଲା ପ୍ରଶାସନର ଲଗାତାର ଆକ୍ରୋଶର ଶିକାର ହୋଇଛନ୍ତି।ଏହା ପରେ ବି ସେ ଭାଙ୍ଗି ଯାଇ ନାହଁନ୍ତି।ହେଲେ ତାଙ୍କୁ ଦଳ ବାରମ୍ବାର ଟିକେଟ ରୁ ବଞ୍ଚିତ କରିବାରୁ ସେ କେବେ ହେଲେ ଦଳ ଛାଡି ନାହଁନ୍ତି କି ଅନ୍ୟ ଦଳକୁ ପରିବର୍ତ୍ତନ କରି ନାହାଁନ୍ତି କିମ୍ବା କୌଣସି ଦଳ ସହ ସାଲିସ୍ କରି ନଥିବା ବେଳେ ବିଜେପି ଦଳ କିନ୍ତୁ ଅଧିଗ୍ରହଣ ନେତା ବା ଦଳ ଡିଆଁଙ୍କୁ ଭରସା କରିଥିବାରୁ ସାଧାରଣ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଥିବା ବେଳେ ଏବେ କିନ୍ତୁ ଧର୍ମଶାଳା ରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି।
୨୦୧୮ ମସିହାରେ କଂଗ୍ରେସ ରେ ଯୋଗ ଦେଇଥିବା ସ୍ମୁତିରେଖା ପହି ୨୦୧୯ ରେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ରୁ ଟିକେଟ ପାଇ ନିର୍ବାଚନ ଲଢ଼ିଥିଲେ।ନିର୍ବାଚନ ରେ ପରାଜିତ ହେବା ପରେ ୨୦୨୧ ମସିହା ଏପ୍ରିଲ ମାସ ୧୪ତାରିଖ ରେ କଂଗ୍ରେସ ଦଳ ଛାଡି ବିଜେପି ଦଳରେ ସାମିଲ ହୋଇଥିଲେ।ସେହିଦିନ ଠାରୁ ଦଳ ସ୍ମୁତିରେଖା ଙ୍କୁ ଧର୍ମଶାଳାର ନେତୃତ୍ୱ ଦେଇଥିବା ବେଳେ ସ୍ମୁତିରେଖାଙ୍କୁ କିନ୍ତୁ ସାଧାରଣରେ ଲୋକେ ଗ୍ରହଣ କରୁ ନଥିବାର ଦେଖିବାକୁ ମିଳେ।ସେହିପରି ୨୦୨୩ ଡିସେମ୍ବର ୧୪ରେ ବିଜେଡି ଛାଡି ବିଜେପି ରେ ଯୋଗ ଦେଇଥିଲେ ଅଂଶୁମାନ ମେମୋରିଆଲ ଟ୍ରଷ୍ଟ ର ସମ୍ପାଦକ ହିମାଂଶୁ ଶେଖର ସାହୁ।ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା କରିବା ସହ ଧର୍ମଶାଳାରେ ବିଜେପି ଟିକେଟ ଆଶାରେ ଦୈନିକ ମିଶ୍ରଣ ପର୍ବ ଠାରୁ ଆରମ୍ଭ କରି ଗାଁ ଗାଁ ରେ ମଧ୍ୟ ବଡ ବଡ ସଭା ର ଆୟୋଜନ କରୁଛନ୍ତି।ହିମାଂଶୁ ଙ୍କ ର ଲୋକପ୍ରିୟତା ଧର୍ମଶାଳା ରେ ବଢୁଥିବା ବେଳେ କର୍ମୀମାନେ କିନ୍ତୁ ଦ୍ୱନ୍ଦ ରେ ପଡି ଯାଇଛନ୍ତି।ଗୋଟିଏ ପଟେ ସର୍ବେଶ୍ୱର ପ୍ରତ୍ୟକ ଯୋନରେ ଦଳୀୟ କାର୍ଯ୍ୟକ୍ରମ କରୁଥିବା ବେଳେ ସର୍ବେଶ୍ୱର ଙ୍କ ପ୍ରତି ଲୋକଙ୍କ ଭଲ ପାଇବା ଏବଂ ବିଶ୍ୱାସ ରହିଛି। ପୁନଃ ସ୍ମୁତିରେଖା ମଧ୍ୟ ଦଳ ର ସମସ୍ତ କାର୍ଯ୍ୟକ୍ରମ କୁ କରୁଛନ୍ତି।ହେଲେ ସ୍ମୁତିରେଖା ଙ୍କ ନିକଟରେ ପଂଚାୟତ ର ଲିଡିଂ ନେତା କେହି ନାହଁନ୍ତି।
୨୦୨୪ ନିର୍ବାଚନ ରେ ବିଜେପି ଟିକେଟ ଆଶାରେ ଧର୍ମଶାଳା ରୁ ସର୍ବେଶ୍ୱର ବେହୁରା, ସ୍ମୁତିରେଖା ପହି ଏବଂ ହିମାଂଶୁ ଶେଖର ସାହୁ ଥିବା ବେଳେ କାର୍ଯ୍ୟକର୍ତା ଏବଂ କର୍ମୀମାନେ ଏ ତିନି ଜଣଙ୍କ ମଧ୍ୟରୁ କାହାକୁ ଗ୍ରହଣ କରିବେ ଏନେଇ ସେମାନେ ବେଶ୍ ଚିନ୍ତିତ।କାରଣ ଏ ତିନି ଜଣ ଦୈନିକ ଭିନ୍ନ ଭିନ୍ନ ଭାବରେ ବିଜେପି ର କାର୍ଯ୍ୟକ୍ରମ କରୁଥିବା ବେଳେ ରାଜ୍ୟ ବିଜେପି ବି ତାଜୁବ।ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ବିଜେପି ଦଳର କିନ୍ତୁ ଚିନ୍ତା ନାହିଁ।ଅଦ୍ୟାବଧି ଏ ତିନି ଜଣଙ୍କ ମଧ୍ୟରୁ ଠିକ ସେ କାହାକୁ ନିର୍ବାଚନ ଦାଇତ୍ୱ ରେ ନିୟୋଜିତ କରିବା ଏବଂ କାହାକୁ ଧର୍ମଶାଳାରେ ଗୁରୁ ଦାଇତ୍ୱ ଦେବା ତାହା ଦଳ ଠିକ କରି ପାରୁନି।ଯାହା ଫଳରେ ସାଧାରଣ ଲୋକେ ବିଜେପି ଦଳକୁ ଏବେ ସନ୍ଦେହ ଚକ୍ଷୁରେ ଦେଖିବାକୁ ଆରମ୍ଭ କଲେଣି।ତେବେ ଧର୍ମଶାଳା ରେ ବିଜେପି ର ଏପରି ଗୋଠ ଖଣ୍ଡିଆ ସ୍ଥିତିକୁ ଦେଖି ଅନ୍ୟ ଦଳର ନେତାମାନେ ନାକରେ କାଠି ପୁରାଇ ଛିଙ୍କୁଛନ୍ତି।




