ଭୁଶୁଡିଲା ନିର୍ମାଣାଧୀନ କାନ୍ଥ: ୬ ମହିଳା ଶ୍ରମିକ ମୃତ – Ibnodisha

[ad_1]
ଚେନ୍ନାଇ: ତାମିଲନାଡୁ ଓଟିରେ ଏକ ନିର୍ମାଣାଧୀନ କାନ୍ଥ ଭୁଶୁଡି ପଡିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତ ୬ ମୃତକ ମହିଳା ଓ ସେମାନେ ସମସ୍ତେ ସେହି ନିର୍ମାଣକାର୍ଯ୍ୟରେ ଶ୍ରମିକ ଭାବେ ନିୟୋଜିତ ଥିଲେ । ଅନ୍ୟ କିଛି ଶ୍ରମିକ ଏଥିରେ ଆହତ ମଧ୍ୟ ହୋଇଛନ୍ତି । ୪ ଜଣ ଆହତଙ୍କୁ ମାଟି ଅତଡ଼ା ତଳୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ ଘଟଣାସ୍ଥଳରେ ଅପରେସନ ଜାରି ରଖିଛନ୍ତି । ନୀଳଗିରି ଜିଲ୍ଲା ଓଟି ଲଭଡାଲେ ଏରିଆରେ ଏହି ନିର୍ମାଣ କାର୍ଯ୍ୟ ଜାରି ରହିଥିଲା । ଏକ ବିଶାଳ କଂକ୍ରିଟ ପାଚେରୀ ନିର୍ମାଣରେ ବହୁ ଶ୍ରମିକ ନିୟୋଜିତ ଥିଲେ । ଆଜି ପୂର୍ବାହ୍ନରେ ହଠାତ ମାଟି ଅତଡା ଧସିଥିଲା । କାମ କରୁଥିବା ଶ୍ରମିକମାନେ ମାଟି ଅତଡା ତଳେ ପୋତି ହୋଇଯାଇଥିଲେ । ତେବେ ସ୍ଥାନୀୟ ଲୋକେ ଉଦ୍ଧାର ଅପରେସନ ଆରମ୍ଭ କରିବା ସହ ପୋଲିସ ଓ ପ୍ରଶାସନକୁ ସୂଚନା ଦେଇଥିଲେ ।
ସ୍ଥାନୀୟ ଅଗ୍ନିଶମ ଟିମ୍ ସହ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଅପରେସନ ଆରମ୍ଭ କରିଥିଲେ । ୪ ଜଣ ଶ୍ରମିକ ମାଟି ଅତଡା ମଧ୍ୟରୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଥିବା ସୂଚନା ମିଳିଛି । ଏବେ ମଧ୍ୟ ଖୋଳା କାମ ଜାରି ରହିଛି । ସଂଧ୍ୟା ସୁଦ୍ଧା ଏହି ଅପରେସନ ଶେଷ କରାଯିବାକୁ ଲକ୍ଷ୍ଯ ରଖାଯାଇଛି । ଏହା ପରେ ମୃତାହତଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରେ । ଏହି ନିର୍ମାଣ କାର୍ଯ୍ୟରେ ମୋଟ୍ କେତେ ସଂଖ୍ଯକ ଶ୍ରମିକ ନିୟୋଜିତ ଥିଲେ, କେତେ ସଂଖ୍ୟକ ମୃତାହତ ହୋଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ହୋଇନି । ଉଦ୍ଧାର ହୋଇଥିବା ୬ ମହିଳା ଶ୍ରମିକଙ୍କ ମୃତଦେହକୁ ସ୍ଥାନୀୟ ହସ୍ପିଟାଲରେ ରଖାଯାଇଛି । ସମସ୍ତ ମୃତକଙ୍କ ବୟସ ୩୦ ରୁ ୩୮ ବର୍ଷ ମଧ୍ୟରେ ରହିଛି । ସେମାନଙ୍କୁ ଚିହ୍ନଟ କରାଯାଇ ପରିଜନଙ୍କୁ ପୋଲିସ ସୂଚନା ଦେଇଛି । ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ନିର୍ମାଣ କାର୍ଯ୍ୟରେ ସଠିକ ନିରାପତ୍ତା ମାନକ ଅନୁପାଳନ କରାଯାଇଥିଲା କି ନାହିଁ, ତାହା ଏବେ ତଦନ୍ତ ପରିସରଭୁକ୍ତ ରହିଛି । ସେହି ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ସ୍ଥାନୀୟ ଜିଲ୍ଲା ଅଧିକାରୀ କହିଛନ୍ତି ।
[ad_2]