ରାଜନୀତି

ଦେଶକୁ ଗଢ଼ିଛି କଂଗ୍ରେସ, ବିକୁଛନ୍ତି ମୋଦି: ଜୟରାମ ରମେଶ – Ibnodisha

[ad_1]

– ଘରୋଇ ଓ ସରକାରୀ ଶିଳ୍ପ ଉଦ୍ୟୋଗଗୁଡିକୁ ନିଜ ପୁଞ୍ଜିପତି ବନ୍ଧୁମାନଙ୍କୁ ବିକୁଛନ୍ତି ମୋଦି
– ଦେଶ ଓ ରାଜ୍ୟରେ ବେକାରୀ ସମସ୍ୟା ବଢ଼ି ଚାଲିଛି
– ଓଡ଼ିଶାର ଶ୍ରମିକ ଓ କୃଷକମାନେ ଭିଟାମାଟି ଛାଡ଼ି ଦାଦନ ଖଟିବାକୁ ଯାଉଛନ୍ତି
– ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍, ଜନସାଧାରଣଙ୍କୁ ଲୁଟିବାକୁ ହାତ ମିଳାଇଛନ୍ତି ଉଭୟ ସରକାର
– ଓଡ଼ିଶାରେ ଖଣି ଓ ଚିଟ୍‌ଫଣ୍ଡ୍ ଭଳି ବଡ଼ ଦୁର୍ନୀତି ହୋଇଥିଲେ ମଧ୍ୟ ଇଡି କିମ୍ବା ସିବିଆଇ ତଦନ୍ତ ହେଉନି
ଭୁବନେଶ୍ୱର : ସ୍ୱାଧୀନତାର ପରବର୍ତୀ ସମୟରେ ଦେଶକୁ ବିକାଶର ପଥରେ ଅଗ୍ରଣୀ କରାଇବାରେ ଭାରତୀୟ ଜାତୀୟ କଂଗ୍ରେସ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଦେଶରୁ ଗରିବୀ ଓ ବେରୋଜଗାର ହଟାଇବା ନିମନ୍ତେ କଂଗ୍ରେସ ଯେଉଁ ସୁଚିନ୍ତିତ ପଦକ୍ଷେପମାନ ଗ୍ରହଣ କରିଥିଲା ତାହା ଅଦ୍ୟାବଧି କେହି କରିନାହାନ୍ତି । ଓଡ଼ିଶା ଭଳି ରାଜ୍ୟରେ ରାଉରକେଲା ଷ୍ଟିଲ ପ୍ଲାଂଟ, ଇସ୍ପାତ କାରଖାନା, ହିରାକୁଦ ବନ୍ଧ, ତୈଳ ବିଶୋଧନାଗାର, ପରବର୍ତୀ ସମୟରେ ଆଲୁମିନିୟମ କାରଖାନା ନାଲ୍‌କୋ, ତାଳଚେରରେ ଥିବା ଏନ୍‌ଟିପିସି ଆଦି ଶିଳ୍ପ କାରଖାନା ଭଳି ସାରା ଦେଶରେ ଏଭଳି ବହୁ ଉଦ୍ୟୋଗ ଗଢ଼ି ଗରିବ ଜନସାଧାରଣଙ୍କୁ ରୋଜଗାର ଦେଇଥିଲା କଂଗ୍ରେସ । ଏସବୁ ଘରୋଇ ଓ ସରକାରୀ ଉଦ୍ୟୋଗ ଆମ ଦେଶକୁ ଗଢ଼ିବାରେ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇଥିଲେ । ମାତ୍ର ବର୍ତମାନ ଏହି ଶିଳ୍ପ କାରଖାନାଗୁଡିକ ପ୍ରମାଦ ଗଣୁଛନ୍ତି । ମୋଦି ସରକାର ଏସବୁ ଉଦ୍ୟୋଗଗୁଡିକୁ ବିକ୍ରି କରି ନିଜର ନିର୍ଦ୍ଦିଷ୍ଟ କେତେକ ପୁଞ୍ଜିପତି ବନ୍ଧୁମାନଙ୍କୁ ଶକ୍ତିଶାଳୀ କରିବାକୁ ଚକ୍ରାନ୍ତ ଚଳାଇଛନ୍ତି । ଆଶ୍ଚର୍ଯ୍ୟର କଥା ଏଭଳି ଅନ୍ୟାୟ ଚାଲିଥିଲେ ମଧ୍ୟ ଓଡ଼ିଶାର ବିଜେଡି ସରକାର ଏହାକୁ ବିରୋଧ କରୁନାହିଁ । ରାଜ୍ୟର ସମ୍ପତି, ପ୍ରାକୃତିକ ବିଭବ, ଜମି, ଜଳ ଓ କଳକାରଖାନାଗୁଡିକୁ ମୋଦି ସରକାରଙ୍କ ସହ ମିଶି ଲୁଟ୍ କରିବାକୁ ହାତ ମିଳାଇଛନ୍ତି ନବୀନ ସରକାର । ଯଦି ତୃତୀୟ ଥର ପାଇଁ ମୋଦି ନିର୍ବାଚିତ ହୋଇ ଆସନ୍ତି, ତେବେ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ଗୌରବ କୁହାଯାଉଥିବା ରାଉରକେଲାକୁ ମଧ୍ୟ ଏମାନେ ବିକି ଦେବେ । ହେଲେ କଂଗ୍ରେସ ଏଭଳି ହେବାକୁ ଦେବନି । ଏଭଳି ଅନ୍ୟାୟ ବିରୋଧରେ ଲଢ଼ିବା ପାଇଁ ଏବଂ ରାଜ୍ୟର ଗରିବ ଜନସାଧାରଣ, କୃଷକ, ଶ୍ରମିକ, ବେକାର ଯୁବବର୍ଗ ଓ ମହିଳାମାନଙ୍କୁ ନ୍ୟାୟ ଦେବା ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ ବୋଲି କଂଗ୍ରେସ ସାଂସଦ ଶ୍ରୀଯୁକ୍ତ ଜୟରାମ ରମେଶ କହିଛନ୍ତି ।
ବୁଧବାର ଓଡ଼ିଶାରେ ଭାରତ ଯୋଡୋ ନ୍ୟାୟ ଯାତ୍ରାର ଦ୍ୱିତୀୟ ଦିବସରେ ରାଉରକେଲାଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରମେଶ କହିଲେ ଯେ ବିଜେପି ଓ ବିଜେଡି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ । ସେମାନଙ୍କ ମଧ୍ୟରେ କେବଳ ‘ପି’ ଆଉ ‘ଡି’ର ଫରକ ରହିଛି, ବାକି ‘ବିଜେ’ ସମାନ । ବାସ୍ତବରେ କହିବାକୁ ଗଲେ ଗୋଟିଏରେ ଦୁଇଟି ‘ପି’ ଅଛି, ଯିଏ ଆଜିକାଲି ଓଡ଼ିଶା ଚଳାଉଛନ୍ତି । ଗୋଟିଏ ‘ପି’ ଇସାରାରେ ଆଉ ଗୋଟିଏ ‘ପି’ ଓଡ଼ିଶାରେ ଶାସନ କରୁଛନ୍ତି । ଜନସାଧାରଣଙ୍କୁ ଲୁଟିବାକୁ ସେମାନେ ହାତ ମିଳାଇଛନ୍ତି । ମୋଦି ସରକାରର ଅନ୍ୟାୟ ଓ ଏକଛତ୍ରବାଦ ବିରୋଧରେ ସ୍ୱର ଉଠାଇବା ପରିବର୍ତେ ସଂସଦରେ ବିଜେଡିର ଜନପ୍ରତିନିଧିମାନେ ନିସର୍ତ ସମର୍ଥନ କରୁଛନ୍ତି । ଏଠାରେ କେବଳ ଲୋକଦେଖାଣିଆ ଭାବେ ସେମାନେ ପରସ୍ପର ବିରୋଧରେ କହୁଛନ୍ତି ବୋଲି ଶ୍ରୀ ରମେଶ ପ୍ରକାଶ କରିଥିଲେ ।
ସାମ୍ବାଦିକ ସମ୍ମିଳନୀରେ କହ୍ନେୟା କୁମାର ଭାରତ ଯୋଡୋ ନ୍ୟାୟ ଯାତ୍ରାର ଉଦ୍ଦେଶ୍ୟ ସମ୍ପର୍କରେ କହିଲେ ଯେ ପ୍ରଥମ ଭାରତ ଯୋଡୋ ଯାତ୍ରା ସମୟରେ ଜନସାଧାରଣଙ୍କ ଅନେକ ସମସ୍ୟା ଓ ସେମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଆମର ନେତା ରାହୁଲ ଗାନ୍ଧୀଙ୍କ ନଜରକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ୫ ପ୍ରକାର ଅନ୍ୟାୟ ବିରୋଧରେ ସ୍ୱର ଉତୋଳନ କରିବା ନିମନ୍ତେ ଦ୍ୱିତୀୟ ପର୍ଯ୍ୟାୟ ଭାରତ ଯୋଡୋ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ବିଶେଷକରି ଦେଶର ଯୁବବର୍ଗ, ମହିଳା, କୃଷକ ଓ ଶ୍ରମିକମାନଙ୍କୁ ନ୍ୟାୟ ପ୍ରଦାନ, ୧୪୦ କୋଟି ଦେଶବାସୀଙ୍କ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ସ୍ୱରୋତଳନ ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ । ମୋଦି ସରକାରଙ୍କ ‘ପକୋଡୋନୋମୀ’ ନୀତି ଯୋଗୁ ଗତ ୪୫ବର୍ଷ ମଧ୍ୟରେ ବର୍ତମାନ ଦେଶରେ ସବୁଠୁ ଅଧିକ ବେରୋଜଗାର ସମସ୍ୟା ସୃଷ୍ଟି ହୋଇଛି । ୧୦ ଲକ୍ଷରୁ ଅଧିକ ସରକାରୀ ପଦବି ଖାଲିପଡ଼ିଥିଲେ ମଧ୍ୟ ଯୁବବର୍ଗଙ୍କୁ ନିଯୁକ୍ତି ଦିଆଯାଉନାହିଁ । ଦରଦାମ ଏତେ ବଢ଼ିଚାଲିଛି ଯେ ସାଧାରଣ ଲୋକ ଅଂଟା ସଳଖି ଛିଡ଼ା ହୋଇପାରୁନାହାନ୍ତି । ତେଣୁ ଏସବୁ ବିରୋଧରେ ଦେଶର ଯୁବପିଢ଼ି ସ୍ୱରୋତଳନ କରିବାର ସମୟ ଆସିଛି ।
ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ କହିଲେ ଯେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ପ୍ରତି ଓଡ଼ିଶାରେ ସାଧାରଣ ଜନତା ଓ ଯୁବବର୍ଗଙ୍କ ସମର୍ଥନ ଦଳୀୟ କର୍ମକର୍ତାଙ୍କୁ ଉତ୍ସାହିତ କରିଛି । ରାଜ୍ୟରେ ପ୍ରତିଦିନ ବହୁ ମହିଳା ନିର୍ଯାତନାର ଶିକାର ହେଉଛନ୍ତି । ଛାତ୍ରଛାତ୍ରୀ, ଯୁବପିଢ଼ିଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରାଯାଉଛି । କୃଷକମାନେ ସେମାନଙ୍କ ହକ୍ ପାଇପାରୁନାହାନ୍ତି । ଦୁର୍ନୀତି ଚରମ ସୀମାରେ ପହଂଚିଛି । ଏହା ବିରୋଧରେ କଂଗ୍ରେସ ଲଢ଼େଇ କରି ରାଜ୍ୟବାସୀଙ୍କୁ ସେମାନଙ୍କ ଅଧିକାର ଓ ନ୍ୟାୟ ପ୍ରଦାନ କରିବ । ଆଗାମୀ ଦିନରେ ଓଡ଼ିଶାରେ ନବୀନ-ପାଣ୍ଡିଆନ ଜଙ୍ଗଲରାଜର ଅବସାନ ଘଟାଇ କଂଗ୍ରେସ ନିଶ୍ଚିତ ଭାବେ ଶାସନକୁ ଆସିବ ।
କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର କହିଲେ ଯେ ପୂର୍ବରୁ ସ୍ୱର୍ଗତ ବିଜୁବାବୁଙ୍କ ଫଟୋକୁ ବିଜେଡି ନିଜ ପୋଷ୍ଟରରେ ସ୍ଥାନ ଦେଉଥିଲା । ମାତ୍ର ବର୍ତମାନ ବିଜୁବାବୁଙ୍କ ଫଟୋ ହଟାଇ ଏହି ସ୍ଥାନରେ ଜଣେ ତାମିଲଙ୍କ ଫଟୋ ଲାଗୁଛି । ସେହି ବ୍ୟକ୍ତି ଦିଲ୍ଲୀ ଯାଇ ଅମିତ ଶାହାଙ୍କ ସହ ବୁଝାମଣା କରିଦେଇଛନ୍ତି । ଫଳରେ ଓଡ଼ିଶାରେ ଖଣି ଦୁର୍ନୀତି, ଚିଟ୍‌ଫଣ୍ଡ୍ ଦୁର୍ନୀତି ଆଦି ବଡ଼ ବଡ଼ ଘୋଟାଲା ହୋଇଥିଲେ ମଧ୍ୟ ଇଡି କିମ୍ବା ସିବିଆଇ ତଦନ୍ତ କରାଯାଉନି । ଦେଶର ସବୁଠାରୁ ଅଧିକ ଖଣିଜ ସମ୍ପଦ ଓଡ଼ିଶାରେ ଅଛି । ଏଠାରେ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ ରହିଥିଲେ ମଧ୍ୟ ଏଠାକାର ଲୋକ ରୋଜଗାର ସୁଯୋଗ ନପାଇ ବାଧ୍ୟହୋଇ ରାଜ୍ୟ ବାହାରକୁ କାମ କରିବାକୁଯାଉଛନ୍ତି । ବିଜେପି ଓ ବିଜେଡି ହାତ ମିଳାଇ ରାଜ୍ୟର ସମ୍ପତିକୁ ୩୦ ପୁଞ୍ଜିପତି ଲୁଟେରାଙ୍କ ହାତକୁ ଟେକି ଦେଇଛନ୍ତି । ଓଡ଼ିଶାରେ ମହିଳା ନିର୍ଯାତନା ଓ ବଳାତ୍କାର ବଢ଼ିଚାଲିଛି । ମାତ୍ର ଦୋଷୀ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି । ତେଣୁ ଏସବୁ ବିଷୟରେ ରାଜ୍ୟବାସୀ ବିଚାର କରିବା ଆବଶ୍ୟକ ।
ସାଂସଦ ସପ୍ତଗିରି ଉଲାକା ଆଦିବାସୀଙ୍କ ଜଙ୍ଗଲ ଜମି ଅଧିକାର ଓ ସାମାଜିକ ଅଧିକାରକୁ ଗୁରୁତ୍ୱ ଦେଇ କହିଲେ ଯେ ରାଜ୍ୟ ସରକାର ଓଡ଼ିଶାର ଖଣି, ପାଣି, ପାହାଡ ଆଦି ପ୍ରାକୃତିକ ସମ୍ପଦକୁ ବିକ୍ରି କରି ଲୁଟ୍ କରୁଛନ୍ତି ।
ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଗଣମାଧ୍ୟମ ଓ ଯୋଗାଯୋଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି, ଜାତୀୟ ଗଣମାଧ୍ୟମ ସଂଯୋଜକ ବବିତା ଶର୍ମା ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button