ଦେଶ

ପୁଣି କୁକୁର ଆତଙ୍କ: ୨୨ ମିଟର ଯାଏଁ ଘୋଷାଡ଼ି ନେଇ ଗୋଡ଼ରୁ ପୁଳେ ମାଂସ ନେଇଗଲା ରଟ୍‌ଓ୍ଵିଲର ବ୍ରିଡ୍‌ କୁକୁର, କରିବାକୁ ପଡ଼ିଲା ସର୍ଜରୀ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦରେ କୁକୁର କାମୁଡ଼ିବା ମାମଲା ଲଗାତର ସାମ୍ନାକୁ ଆସୁଛି। ଏଠାରେ ପ୍ରତିଦିନ କୁକୁର କାମୁଡ଼ିବା ଯୋଗୁ ଲୋକମାନେ ଗୁରୁତର ହେଉଛନ୍ତି। ତେବେ ଏଥରକ ଏଠାରେ କୁକୁର କାମୁଡ଼ିବାର ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ଦେଖିବାକୁ ମିଳିଛି, ଯାହା ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ସ୍ଥାନୀୟ କବିନଗର ଅଞ୍ଚଳର ଆଦିତ୍ୟ ଓ୍ଵାର୍ଲ୍ଡ ସିଟିର ଲଗ୍‌ଜରିୟା ଇଷ୍ଟେଟ୍‌ ସୋସାଇଟିର ଜଣେ ବ୍ୟକ୍ତିଙ୍କୁ ରଟ୍‌ଓ୍ଵିଲର (Rottweiler) ବ୍ରିଡ୍‌ କୁକୁର ଏତେ ଭୟଙ୍କର ଭାବେ କାମୁଡ଼ିଛି ଯେ ତାଙ୍କ ଅପରେସନ୍‌ କରିବାକୁ ପଡ଼ିଛି।

କୁକୁର କାମୁଡ଼ାର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାଁ ହେମନ୍ତ। ସୂଚନା ମୁତାବକ, ହେମନ୍ତ କିଛି ଦିନ ତଳେ ନିଜ ପୋଷା କୁକୁରକୁ ବୁଲାଇବାକୁ ସୋସାଇଟି ଗେଟ୍‌ ବାହାରକୁ ନେଇ ଥିଲେ। ସେଠାରେ ଦୁଇ ଜଣ ପିଲା ମଧ୍ୟ ନିଜ ରଟ୍‌ଓ୍ଵିଲର ଡଗିକୁ ବୁଲାଇବାକୁ ଆଣିଥିଲେ। ହେମନ୍ତ କହିଛନ୍ତି, ତାଙ୍କୁ ଦେଖି ରଟ୍‌ଓ୍ଵିଲର ଆକ୍ରମଣାତ୍ମକ ହୋଇପଡ଼ିଥିଲା ଓ ଆଖିପିଛୁଳାକେ ତାଙ୍କୁ କାମୁଡ଼ିବାକୁ ଗୋଡ଼ାଇଥିଲା।

ରଟ୍‌ଓ୍ଵିଲର ତାଙ୍କ ଗୋଡ଼କୁ କାମୁଡ଼ି ପାଖାପାଖି ୨୦ରୁ ୨୨ ମିଟର ଯାଏଁ ଘୋଷାଡ଼ି ନେଇଥିଲା। ଏହି ସମୟରେ ସେଠାରେ ଦୁଇଟି ବାଇକ୍‌ ଯାଉଥିଲେ। ସେମାନେ ତୁରନ୍ତ ବାଇକ୍‌ ଅଟକାଇ ସୋସାଇଟିର ସିକ୍ୟୁରିଟି ଗାର୍ଡ ସାହାଯ୍ୟରେ ହେମନ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେମନ୍ତ ମଧ୍ୟ ନିଜକୁ ବଞ୍ଚାଇବା ପାଇଁ କୁକୁରକୁ ମୁଥ ମାରିଥିଲେ। କିନ୍ତୁ ସେତେବେଳକୁ କୁକୁର ତାଙ୍କୁ ଗୁରୁତର କରିସାରିଥିଲା। କୁକୁର ହେମନ୍ତଙ୍କ ଗୋଡ଼ରୁ ପୁଳାଏ ମାଂସ ବି କାମୁଡ଼ି ବାହାର କରି ଦେଇଥିଲା। ପ୍ରବଳ ରକ୍ତସ୍ରାବ ହେବା କାରଣରୁ ହେମନ୍ତ ଘଟଣାସ୍ଥଳରେ ବେହୋସ୍‌ ହୋଇଯାଇଥିଲେ।

ପାଟିତୁଣ୍ଡ ଶୁଣି ସୋସାଇଟିର ଲୋକମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ତୁରନ୍ତ ହେମନ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ହେମନ୍ତଙ୍କ ଯନ୍ତ୍ରଣାକୁ କମ୍‌ କରିବା ପାଇଁ ତୁରନ୍ତ ୨୩ ଟି ଇଞ୍ଜେକ୍‌ସନ୍‌ ଦେଇଥିଲେ। କିନ୍ତୁ କ୍ଷତ ଏତେ ଗଭୀର ଥିଲା ସେ ଡାକ୍ତର ସିଲେଇ ବି କରିପାରିନଥିଲେ। ଗୋଡ଼ରୁ ପୁଳାଏ ମାଂସ ଗାଏବ ଥିଲା। ଏଣୁ ବାଧ୍ୟ ହୋଇ ଡାକ୍ତର ସର୍ଜରୀ କରିଥିଲେ। ହେମନ୍ତଙ୍କର ସ୍କିନ୍‌ ଗ୍ରାଫ୍ଟିଂ କରାଯାଇଛି। ଡାକ୍ତରଙ୍କ କହିବାନୁସାରେ, ହେମନ୍ତଙ୍କୁ ସୁସ୍ଥ ହେବାକୁ ଆହୁରି ମାସେ ଦୁଇ ମାସ ସମୟ ଲାଗିବ।

ସେହିପରି ହେମନ୍ତଙ୍କ ଅଭିଯୋଗ କ୍ରମେ କବିନଗର ଥାନା ପୋଲିସ ରଟ୍‌ଓ୍ଵିଲର ଡଗ୍‌ର ମାଲିକ ବିରୋଧରେ ମାମଲା ରୁଜୁ କରିଥିଲେ। ଏବେ ଘଟଣାର ତଦନ୍ତ ଜାରି ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button