ରାଜନୀତି

ହିମାଚଳରେ ରାଜନୈତିକ ସଂକଟ; ଡିକେ ଶିବକୁମାର, ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ଯ୍ୟବେକ୍ଷକ କରି ପଠାଇଲେ କଂଗ୍ରେସ ହାଇକମାଣ୍ଡ୍‌ – Ibnodisha

[ad_1]

ସିମ୍‌ଲା : ରାଜ୍ୟସଭା ନିର୍ବାଚନ ପରେ ହିମାଚଳ ପ୍ରଦେଶରେ ରାଜନୈତିକ ସଂକଟ ଦେଖିବାକୁ ମିଳିଛି । ବିଶେଷକରି କଂଗ୍ରେସ ଏଠାରେ କ୍ଷମତାସୀନ ଥିବା ସତ୍ତ୍ୱେ ଗୋଟିଏ ମାତ୍ର ରାଜ୍ୟସଭା ଆସନକୁ ସୁରକ୍ଷିତ ରଖିନପାରିବାକୁ ନେଇ ଏବେ କଂଗ୍ରେସକୁ ଚାରିଆଡୁ ସମାଲୋଚିତ ହେବାକୁ ପଡୁଛି । ପ୍ରଦେଶ କଂଗ୍ରେସର ୬ ବିଦ୍ରୋହୀ ବିଧାୟକ ବିଜେପିର ରାଜ୍ୟସଭା ପ୍ରାର୍ଥୀ ହର୍ଷ ମହାଜନ୍‌ଙ୍କୁୂ ଭୋଟ୍‌ଦେଇ କ୍ରସଭୋଟିଂ କରିବା ପରେ ଏପ୍ରକାର ପରିସ୍ଥିତି ଉତ୍ପନ୍ନ ହୋଇଛି ।

କେବଳ ସେତିକି ନୁହେଁ ବର୍ତ୍ତମାନ ସୁଦ୍ଧା ଏହି ୬ କଂଗ୍ରେସ ବିଧାୟକଙ୍କ ସମ୍ପର୍କରେ ମଧ୍ୟ ଖୋଜ ଖବର ମିଳୁନି । ଏମାନେ କାଲି ରାଜ୍ୟସଭା ପାଇଁ ଭୋଟ୍ ଦେବା ପରଠାରୁ କେଉଁଆଡେ ଅନ୍ତର୍ଦ୍ଧ୍ୟାନ ହୋଇଯାଇଛନ୍ତି । କଂଗ୍ରେସ ଏବେ ଏହି ୬ ବିଦ୍ରୋହୀଙ୍କୁ ଖୋଜିବାରେ ଲାଗିପଡିଥିବା ବେଳେ ପ୍ରଦେଶ ବିଜେପି ପକ୍ଷରୁ କଂଗ୍ରେସ ପାଖରେ ଆବଶ୍ୟକ ସମର୍ଥନ ନଥିବା ଅଭିଯୋଗ ଆଧାରରେ ଫ୍ଲୋରଟେଷ୍ଟ ଦାବି କରାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଇସ୍ତଫା ମଧ୍ୟ ଦାବି କରିଛି ବିଜେପି । ଏସବୁ ମଧ୍ୟରେ କଂଗ୍ରେସ ଏବେ ଭୟଭୀତ ହୋଇପଡି ହିମାଚଳରେ ନିଜ ସରକାରକୁ ବଞ୍ଚାଇବା ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେ, ଆଜି କର୍ଣ୍ଣାଟକ ପ୍ରଦେଶର ନେତା ଡିକେ ଶିବକୁମାର ଏବଂ ଭୂପିନ୍ଦର ସିଂହ ହୁଡ୍ଡାଙ୍କୁ ପର୍ଯ୍ୟବେକ୍ଷକ କରି ହିମାଚଳ ପଠାଇଥିବା ଜଣାପଡିଛି ।

ଇସ୍ତଫା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ମୁଖ୍ୟମନ୍ତ୍ରୀ: ମୁଖ୍ୟମନ୍ତ୍ରୀ ପଦରୁ ସୁଖବିନ୍ଦର ସିଂହ ସୁଖୁ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଥିବା ବେଳେ ଏସବୁ ଉପରେ ଆଜି ନିଜେ ସୁଖୁ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସୁଖୁ କହିଛନ୍ତି, ବର୍ତ୍ତମାନ ସମୟରେ ସେ ଇସ୍ତଫା ଦେବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ଅବାସ୍ତବ ଏବଂ ନିରାଧାର । ସେ ଇସ୍ତଫା ଦେଇନାହାନ୍ତି କିମ୍ବା ଦେବାର ଆବଶ୍ୟକତା ମଧ୍ୟ ନାହିଁ । କଂଗ୍ରେସ ସରକାରଙ୍କ ପାଖରେ ସଂଖ୍ୟା ଗରିଷ୍ଠତା ନଥିବା ନେଇ ବିଜେପି ପକ୍ଷରୁ ହେଉଥିବା ଅଭିଯୋଗ ମଧ୍ୟ ସମ୍ପୂର୍ଣ୍ଣ ଅମୂଳକ । ରାଜ୍ୟସଭା ନିର୍ବାଚନରେ କ୍ରସଭୋଟିଂ ହୋଇଛି ଏହା ସତ୍ୟ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସରକାରଙ୍କ ପାଖରେ ପୂର୍ଣ୍ଣ ବହୁମତ ନାହିଁ । ଚଳିତ ୫ବର୍ଷର ସରକାର ସହ ଆଗାମୀ ୫ବର୍ଷ ପାଇଁ ହିମାଚଳପ୍ରଦେଶରେ କଂଗ୍ରେସ ସରକାର ରହିବ ବୋଲି ସୁଖୁ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ତେବେ ଆବଶ୍ୟକ ସ୍ଥଳେ ସେ ଏବଂ ତାଙ୍କ ସରକାର ନିଶ୍ଚିତ ଭାବେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ଏବଂ ବିଜୟୀ ମଧ୍ୟ ହେବେ ।

ବିକ୍ରମାଦିତ୍ୟ ସିଂହ ପ୍ରତ୍ୟାହାର କରିନେଲେ ଇସ୍ତଫା: ରାଜନୈତିକ ହଟଚମଟ ମଧ୍ୟରେ ସୁଖୁ ସରକାରରେ ଜନସମ୍ପର୍କ ମନ୍ତ୍ରୀ ପଦରେ ଅବସ୍ଥିତ ଥିବା ବିକ୍ରମାଦିତ୍ୟ ସିଂହ ଆଜି ରାଜ୍ୟ କ୍ୟାବିନେଟ୍‌ରୁ ଆକସ୍ମିକ ଭାବେ ଇସ୍ତଫା ଦେଇଥିଲେ । ନିଜ ଇସ୍ତଫା ପତ୍ର ସେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ଏବଂ ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଥିଲେ । କିନ୍ତୁ କିଛି ଘଣ୍ଟାର ଅନ୍ତରାଳେ ନାଟକୀୟ ଘଟଣାକ୍ରମେ ନିଜ ଇସ୍ତଫାପତ୍ରାକୁ ସେ ପ୍ରତ୍ୟାହାର କରିନେଇଛନ୍ତି । ତେବେ ସେ କାହିଁକି ଇସ୍ତଫା ଦେଇଥିଲେ ସେସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । କିନ୍ତୁ ସେ ବେଶ୍ କିଛି ଦିନ ଧରି ଅସନ୍ତୁଷ୍ଟ ଥିଲେ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି । ବିକ୍ରମାଦିତ୍ୟ, ବରିଷ୍ଠ କଂଗ୍ରେସ ନେତା ତଥା ହିମାଚଳର ଏକାଧିକ ଥର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିଥିବା ବୀରଭଦ୍ର ସିଂହଙ୍କ ପୁଅ । ହିମାଚଳରେ ଦଳ ବିରୋଧରେ ଯାଇ ବିଜେପିର ରାଜ୍ୟସଭା ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିବା ୬ ବିଧାୟକଙ୍କ ମଧ୍ୟରେ ବିକ୍ରମାଦିତ୍ୟ ସିଂହ ନାହାନ୍ତି ବୋଲି କୁହାଯାଉଛି ।

ଜୟରାମଙ୍କ ସମେତ ୧୫ ବିଜେପି ବିଧାୟକଙ୍କୁ ନିଲମ୍ବିତ କଲେ ବାଚସ୍ପତି: ସମ୍ପ୍ରତି ହିମାଚଳ ବିଧାନସଭାରେ ବଜେଟ୍ ଅଧିବେଶନ ଜାରି ରହିଛି । ତେବେ ବୁଧବାର ଏହି ଅଧିବେଶନ କାଳରେ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହେବା ସମୟରେ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ଇସ୍ତଫା ଦାବିରେ ବିଜେପି ବିଧାୟକମାନେ ଗୃହରେ ହୋହଲ୍ଲା କରିବା ଆରମ୍ଭ କରିଦେଇଥିଲେ । ନାରାବାଜି ସହ ଗୃହକାର୍ଯ୍ୟକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥିଲେ । ବାରମ୍ବାର ତାଗିଦ୍ ସତ୍ତ୍ୱେ ବିଜେପି ବିଧାୟକମାନେ କିଛି ଶୁଣିନଥିଲେ । ଫଳରେ ବାଚସ୍ପତି କୁଲଦୀପ ସିଂହ ପଥାନିଆ, ହିମାଚଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସମେତ ବିଜେପିର ୧୫ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି । ବାଚସ୍ପତିଙ୍କ କହିବାନୁସାରେ ଗୃହରେ ଏହି ନିଲମ୍ବିତ ୧୫ ବିଧାୟକଙ୍କ ଆଚରଣ ଅତ୍ୟନ୍ତ ଅଶୋଭନୀୟ ଏବଂ ଅଗଣତାନ୍ତ୍ରିକ । ବିଧାନସଭା ଭଳି ସାମ୍ବିଧାନିକ ମନ୍ଦିରର ସମ୍ମାନ ଏବଂ ଗାରିମାକୁ ଏମାନଙ୍କ ବ୍ୟବହାର କ୍ଷତି ପହଞ୍ଚାଇଛି । କାର୍ଯ୍ୟାନୁଷ୍ଠାନ ଭାବେ ଚଳିତ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ ଏମାନଙ୍କୁ ନିଲମ୍ବିତ କରାଯାଉଛି । ଏଥିସହ ବାଚସ୍ପତି ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ଯାଏ ସାଇନ୍‌ଡାଏ ଘୋଷଣା କରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button