ଦେଶ

ଦେଶରେ ଲାଗୁ ହେଲା ସିଏଏ; ବିଧିବଦ୍ଧ ବିଜ୍ଞପ୍ତି ଜାରି କଲା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ – Ibnodisha

[ad_1]

ନୂଆଦିଲ୍ଲୀ: ଯାହା ଅନୁମାନ କରାଯାଉଥିଲା, ଶେଷରେ ତାହା ହିଁ ହୋଇଛି । ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଦେଶବ୍ୟାପୀ ନାଗରିକତା ସଂଶୋଧନ ଆଇନ୍ (ସିଏଏ)-୨୦୧୯ କୁ ଲାଗୁ କରିଛନ୍ତି । ସୋମବାର ଏସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ ଜାରି କରାଯାଇଛି । ତେବେ ଆଗକୁ ଲୋକସଭା ନିର୍ବାଚନ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏପ୍ରକାର ଘୋଷଣାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଦେଶରେ ପୂର୍ବ ପ୍ରଚଳିତ ନାଗରିକତା ଆଇନ୍‌ରେ କେତେକ ସଂଶୋଧନ କରିବା ସହ ୨୦୧୯ରେ ନୂଆକରି ସିଏଏ ଆଇନ୍‌କୁ ପ୍ରସ୍ତୁତ କରାଯାଇଥିଲା । ସେହିବର୍ଷ ଡିସେମ୍ବରରେ ସଂସଦରେ ମଧ୍ୟ ଏହି ବିଲ୍‌କୁ ପାରିତ କରିଦିଆଯାଇଥିଲା । ଏପରିକି ଏହାକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ମିଳିଯାଇଥିଲା । ସେବେଠାରୁ ଏହାକୁ ନାଗରିକତା ସଂଶୋଧନ ଆଇନ୍‌-୨୦୧୯ ଭାବେ ବିବେଚନା କରାଯାଉଛି ।

୨୦୧୯ରୁ ଏହି ସଂଶୋଧିତ ନାଗରିକତା ଆଇନ୍ ପ୍ରସ୍ତୁତ ହୋଇସାରିଥିଲେ ମଧ୍ୟ ଏହାକୁ ନେଇ ବିବାଦ ସୃଷ୍ଟିହେବାରୁ କେନ୍ଦ୍ର ସରକାର ଏହାକୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ । ସିଏଏ ଅଧିନିୟମ ଲାଗୁ ହେଲେ ଦେଶର ମୁସଲିମ୍‌ଙ୍କ ନାଗରିକତା ପ୍ରଭାବିତ ହେବ ବୋଲି ଅପପ୍ରଚାର ମଧ୍ୟ ସେସମୟରେ ଜୋର ଧରିଥିଲା । ସିଏଏକୁ ବିରୋଧ କରିବାକୁ ଯାଇ ଦେଶର ଅଧିକାଂଶ ଅଞ୍ଚଳରେ ଜଳାପୋଡା, ଦଙ୍ଗା, ବିକ୍ଷୋଭ, ବିଦ୍ରୋହ ଭଳି ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ସୁତରାଂ ସେତେବେଳେ କେନ୍ଦ୍ର ସରକାର ଏହାକୁ ଲାଗୁ କରାଯିବା ପ୍ରକ୍ରିୟାରୁ ପଛକୁ ହଟିବାକୁ ଉଚିତ୍ ମଣିଥିଲେ । ତେବେ ନିକଟରେ ଏକ ନିର୍ବାଚନୀ ପ୍ରଚାର ରାଲିରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା, ଲୋକସଭା ନିର୍ବାଚନ ପୂର୍ବରୁ ଦେଶବ୍ୟାପୀ ସିଏଏ ଲାଗୁ କରାଯିବ ବୋଲି ଘୋଷଣା କରିଥିଲେ । ସେବେଠାରୁ ସିଏଏ ଲାଗୁ ହେବା ନେଇ ନିୟମିତ ଚର୍ଚ୍ଚା ହୋଇଆସୁଥିଲା ।

୨୦୧୪ ଡିସେମ୍ବର ୩୧ ପୂର୍ବରୁ ବେଆଇନ୍ ଭାବେ ଭାରତକୁ ଚାଲିଆସି ଏଠାରେ ଶରଣାର୍ଥୀ ବା ପ୍ରବାସୀ ଭାବେ ବସବାସ କରୁଥିବା ୩ ପଡୋଶୀ ମୁସଲିମ୍ ବହୁଳ ରାଷ୍ଟ୍ର ଯଥା ଆଫଗାନିସ୍ତାନ, ପାକିସ୍ତାନ ଏବଂ ବାଂଲାଦେଶର ପ୍ରାୟ ୩ଲକ୍ଷ ସଂଖ୍ୟକ ସଂଖ୍ୟାଲଘୁ ଅଣମୁସଲିମ୍ ବ୍ୟକ୍ତିବିଶେଷ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବା ସିଏଏ ଅଧିନିୟମର ମୂଳ ଉଦ୍ଦେଶ୍ୟ ରହିଛି । ସରଳ ଭାଷାରେ କହିଲେ, ଏହି ୩ ଦେଶମାନଙ୍କରୁ ନିର୍ଯ୍ୟାତିତ, ନିଷ୍ପେସିତ ତଥା ପ୍ରତାଡିତ ହୋଇ ଭାରତ ଚାଲିଆସିଥିବା ୩ ଲକ୍ଷ ହିନ୍ଦୁ, ଖ୍ରୀଷ୍ଟିଆନ୍‌, ଶିଖ, ଜୈନ, ପାର୍ସି ଓ ବୌଦ୍ଧ ଧର୍ମର ନାଗରିକମାନଙ୍କୁ ଏଣିକି ଭାରତ ସରକାର ବିଧିବଦ୍ଧ ଭାବେ ଭାରତୀୟ ନାଗରିକତା ପ୍ରଦାନ କରିବେ ।

ବହୁ ପୂର୍ବରୁ ଏସବୁ ନାଗରିକମାନଙ୍କ ଚିହ୍ନଟ ପ୍ରକ୍ରିୟା ଶେଷ ହୋଇସାରିଥିବା ବେଳେ ଏବେ ଏସମସ୍ତ ବର୍ଗର ବ୍ୟକ୍ତିବିଶେଷଙ୍କୁ ସିଏଏ ନିୟମ ମୁତାବକ ଭାରତୀୟ ନାଗରିକତା ପାଇଁ ଆବେଦନ କରିବାକୁ ହେବ । ଭାରତ ସରକାର ଆଜି ସିଏଏ ସମ୍ପର୍କୀତ ଜାରି କରିଥିବା ବିଜ୍ଞପ୍ତି ଏନେଇ ସୁନିଶ୍ଚିତ କରିଦେଇଛି । ତେବେ ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ଏକ ପୋର୍ଟାଲ ମଧ୍ୟ ଉନ୍ମୋଚନ କରାଯାଇସାରିଛି । କେବଳ ପୋର୍ଟାଲ ମାଧ୍ୟମରେ କରାଯାଇଥିବା ଆବେଦନକୁ ବିଚାରକୁ ନିଆଯିବ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏସବୁର ଯାଞ୍ଚ୍ ପରେ ଉକ୍ତ ବ୍ୟକ୍ତିବିଶେଷଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବ । ସିଏଏ ଅଧିନିୟମ ଅନୁସାରେ ଏସବୁ ଶରଣାର୍ଥୀ ତଥା ପ୍ରବାସୀ ନାଗରିକଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରାଯିବାର ସମ୍ପୂର୍ଣ୍ଣ ଉତ୍ତରଦାୟିତ୍ୱ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ ରହିବ । ସୂଚନାଯୋଗ୍ୟ, ତେବେ ଏହି ଅଧିନିୟମ ଅନୁସାରେ ଭାରତୀୟ ମୁସଲିମ୍‌ଙ୍କ ବା ସଂଘ୍ୟାଲଘୁଙ୍କ ନାଗରିକତା ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଭାରତ ସରକାର ବହୁ ପୂର୍ବରୁ ହିଁ ସ୍ପଷ୍ଟ କରିସାରିଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button