ଦେଶ

ଲୋକସଭା ନିର୍ବାଚନ-୨୦୨୪; ୪୩ ଜଣିଆ ଦ୍ୱିତୀୟ ପ୍ରାର୍ôଥ ତାଲିକା ଘୋଷଣା କଲା କଂଗ୍ରେସ – Ibnodisha

[ad_1]

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଆଜି ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ କଂଗ୍ରେସ ୪୩ ଲୋକସଭା ଆସନ ପାଇଁ ଚୂଡାନ୍ତ  ୪୩ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହାପୂର୍ବରୁ କଂଗ୍ରେସ ୩୯ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଥିଲା । ସୁତରାଂ ଦେଶର ମୋଟ୍ ୫୪୩ ଲୋକସଭା ଆସନ ମଧ୍ୟରୁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ମିଶାଇ କଂଗ୍ରେସ ବର୍ତ୍ତମାନ ସୁଦ୍ଧା  ୮୨ଟି ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଜାରି କରିଛି । ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖର୍ଗେଙ୍କ ନେତୃତ୍ୱରେ କଂଗ୍ରେସର ନିର୍ବାଚନ କମିଟି (ସିଇସି) ବୈଠକ ବସିଥିବା ବେଳେ ଏଥିରେ ଏହି ୪୩ଜଣିଆ ପ୍ରାର୍ଥୀ ତାଲିକାକୁ ଚୂଡାନ୍ତ କରାଯାଇଥିଲା । ଆଜି ଅନ୍ୟ ନେତାଙ୍କ ଉପସ୍ଥିତିରେ, ପ୍ରାର୍ଥୀ ତାଲିକା ସମ୍ପର୍କରେ କଂଗ୍ରେସର ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ବିଧିବଦ୍ଧ ଘୋଷଣା କରିଛନ୍ତି ।

ରିପୋର୍ଟ ଅନୁସାରେ ନିଜର ଏହି ୨ୟ ପର୍ଯ୍ୟାୟ ତାଲିକାରେ କଂଗ୍ରେସ ରାଜସ୍ଥାନର ମୋଟ୍ ୨୫ ଲୋକସଭା ଆସନରୁ ୧୦ଟି ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକାକୁ ଜାରି କରିଛି । ସେହିପରି ମଧ୍ୟପ୍ରଦେଶର ମୋଟ୍ ୨୯ ଲୋକସଭା ଆସନରୁ ମଧ୍ୟ ୧୦ଟି ଆସନ ପାଇଁ, ଆସାମର ମୋଟ୍ ୧୪ ଆସନରୁ ୧୨ଟି ଆସନ ପାଇଁ, ଗୁଜରାଟର ମୋଟ୍ ୨୬ ଆସନରୁ ୭ଟି ଆସନ ପାଇଁ, ଉତ୍ତରାଖଣ୍ଡର ମୋଟ୍ ୫ ଆସନ ମଧ୍ୟରୁ ୩ଟି ଆସନ ପାଇଁ, ଡାମନଡିୟୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି କଂଗ୍ରେସ । ମୋଟାମୋଟି କଂଗ୍ରେସ ପକ୍ଷରୁ ୨ୟ ପର୍ଯ୍ୟାୟରେ ୬ଟି ରାଜ୍ୟରୁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଜାରି କରାଯାଇଥିବା ଦେଖିବାକୁ ମିଳିଛି । ତେବେ କଂଗ୍ରେସର ଏହି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅନୁସାରେ ମଧ୍ୟପ୍ରଦେଶର ଛିନ୍ଦୱାଡା ଆସନରୁ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ପୁଅ ନକୁଳ ନାଥଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି କଂଗ୍ରେସର ବରିଷ୍ଠ ତଥା ଦିବଂଗତ ନେତା ତଥା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ପୁଅ ଗୌରବ ଗୋଗୋଇଙ୍କୁ ଆସାମର ଜୋରହାଟ ଆସନ ପାଇଁ ଏବଂ ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ଙ୍କ ପୁଅ ବୈଭବ ଗେହଲଟ୍‌ଙ୍କୁ ଜାଲୋର ଆସନ ପାଇଁ ଦଳ ଟିକେଟ୍ ଦେଇଛି ।

ମଧ୍ୟପ୍ରଦେଶର ୧୦ ଆସନ ପାଇଁ ଆଜି ଜାରି କରାଯାଇଥିବା ପ୍ରାର୍ଥୀ ତାଲିକା ଅନୁସାରେ ଏଠାରେ ୮ ନୂଆ ଚେହେରାଙ୍କୁ ପ୍ରାର୍ଥୀ ଭାବେ କଂଗ୍ରେସ ସୁଯୋଗ ଦେଇଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ, ଏହାପୂର୍ବରୁ କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ଛତିଶଗଡର ୬ଟି ଆସନ, କର୍ଣ୍ଣାଟକର ୭ଟି ଆସନ, କେରଳର ୧୬ଟି ଆସନ, ତେଲେଙ୍ଗାନାର ୪ଟି ଲୋକସଭା ଆସନ, ମେଘାଳୟର ୨ଟି ଆସନ ଏବଂ  ଲାକ୍ଷାଦ୍ୱୀପ, ନାଗାଲାଣ୍ଡ, ସିକ୍କିମ ଏବଂ ତ୍ରିପୁରା ଭଳି ରାଜ୍ୟରୁ ଗୋଟିଏ ଲେଖାଏ ଲୋକସଭା ଆସନ ପାଇଁ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ତେବେ କଂଗ୍ରେସ ପ୍ରଥମ ପର୍ଯ୍ୟାୟ ଭଳି ଦ୍ୱିତୀୟ ପର୍ଯ୍ୟାୟରେ ମଧ୍ୟ ଓଡ଼ିଶା କିମ୍ବା ଉତ୍ତରପ୍ରଦେଶର କୌଣସି ଗୋଟିଏ ହେଲେ ଲୋକସଭା ଆସନକୁ ନିଜ ଚୂଡାନ୍ତ ପ୍ରାର୍ଥୀ ତାଲିକାରେ ସାମିଲ ନକରିବା ଅନେକଙ୍କୁ ବିସ୍ମିତ କରିଛି ।

ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କଂଗ୍ରେସର ଦୁଇ ବରିଷ୍ଠ ନେତା କେସି ବେଣୁଗୋପାଳ ଏବଂ ଅଜୟ ମାକେନ୍ କହିଛନ୍ତି, କଂଗ୍ରେସର ଏହି ୪୩ ଜଣିଆ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୧୩ ଓବିସି ନେତାଙ୍କୁ ସୁଯୋଗ ମିଳିଥିବା ବେଳେ ଜଣେ ମୁସଲିମ୍ ବର୍ଗର ପ୍ରାର୍ଥୀଙ୍କୁ ସାମିଲ କରାଯାଇଛି । ଏତଦ୍‌ବ୍ୟତୀତ ସାଧାରଣ ବର୍ଗର ୧୦ ପ୍ରାର୍ଥୀଙ୍କୁ, ଏସ୍‌ସି ବର୍ଗର ୧୦ ପ୍ରାର୍ଥୀଙ୍କୁ, ଏସ୍‌ଟି ବର୍ଗର ୯ ପ୍ରାର୍ଥୀଙ୍କୁ ଏବଂ ୪ ମହିଳା ପ୍ରାର୍ଥୀଙ୍କୁ ଏହି ପର୍ଯ୍ୟାୟରେ ପ୍ରାର୍ଥୀ ଭାବେ ଟିକେଟ୍ ଦିଆଯିବାକୁ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଛି । ଏତଦ୍‌ବ୍ୟତୀତ ଏହି ୪୩ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୨୫ ପ୍ରାର୍ଥୀ ଏପରି ଅଛନ୍ତି ଯେଉଁମାନଙ୍କ ବୟସ ୫୦ବର୍ଷ ବୟସରୁ କମ୍ ରହିଛି । ସେହିପରି ୫୧ରୁ ୬୦ ବର୍ଷ ମଧ୍ୟରେ ୮ଜଣ ଏବଂ ୬୧ରୁ ୭୨ ବର୍ଷ ମଧ୍ୟରେ ୧୦ ପ୍ରାର୍ଥୀ ରହିଛନ୍ତି । ଉଭୟ ପ୍ରଥମ ପର୍ଯ୍ୟାୟ ଏବଂ ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାକୁ ତୁଳନା କଲେ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଟିକେଟ୍ ଚୂଡାନ୍ତ କରିଥିବା ମୋଟ୍ ୮୨ ପ୍ରାର୍ଥୀଙ୍କ ମଧ୍ୟରୁ ପ୍ର୍ରାୟ ୭୬.୭% ପ୍ରାର୍ଥୀଙ୍କ ବୟସ ୫୦ ବର୍ଷ ବୟସରୁ କମ୍ ବୟସ ରହିଥିବା ଜଣାପଡିଛି । ସୁତରାଂ କଂଗ୍ରେସ ଆଗାମୀ ଲୋକସଭା ନିର୍ବାଚନରେ ପୁରୁଣା ନେତାଙ୍କ ବଦଳରେ ନୂଆ ତଥା ଯୁବନେତାଙ୍କ ଭରସାରେ ମୈଦାନକୁ ଓହ୍ଲାଇବାକୁ ଚାହୁଁଥିବା ସ୍ପଷ୍ଟ ହୋଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button