ରାଜ୍ୟ

ପ୍ରଥମଥର ପାଇଁ ରାଜ୍ୟରେ ଦୃଷ୍ଟିବାଧିତଙ୍କ ଲାଗି ଯୁକ୍ତଦୁଇ କଲେଜ ଖୋଲାଯିବ

ଭୁବନେଶ୍ୱର : ରାଜ୍ୟରେ ପ୍ରଥମଥର ପାଇଁ ଦୃଷ୍ଟିବାଧିତଙ୍କ ଲାଗି ଯୁକ୍ତଦୁଇ କଲେଜ ଜୁଲାଇ ୩ ତାରିଖରେ ଭୁବନେଶ୍ୱରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ଖୋଲାଯିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥିର କରିଛନ୍ତି ବୋଲି ଭୁବନେଶ୍ୱରର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ପ୍ରକାଶ କରିଛନ୍ତି ।

ରବିବାର ସ୍ଥାନୀୟ ବୁଦ୍ଧ ମନ୍ଦିରଠାରେ ଲୁଇସ୍ ବ୍ରେଲୀ ଫାଉଣ୍ଡେସନ ପକ୍ଷରୁ ୧୦ମ ଶ୍ରେଣୀରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଓଡ଼ିଶାର ପ୍ରତ୍ୟେକ ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ଦେଇ ବିଧାୟକ ଶ୍ରୀ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ଦୃଷ୍ଟିବାଧିତ ମାନଙ୍କର ସମସ୍ୟା ପ୍ରତି ସଚେତନ ଅଛନ୍ତି ଏବଂ ସେମାନଙ୍କର ସମସ୍ତ ସମସ୍ୟାକୁ ସମାଧାନ କରିବା ପାଇଁ ଉଦ୍ୟମ କରୁଛନ୍ତି । ଦୃଷ୍ଟିବାଧିତଙ୍କ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସକୁ ବୃଦ୍ଧି କରାଗଲେ ସେମାନେ ମଧ୍ୟ ସଫଳତାର ଶୀର୍ଷ ସ୍ଥାନରେ ପହଞ୍ôଚ ପାରିବେ ବୋଲି କହିଥିଲେ ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ଅଧ୍ୟକ୍ଷତା କରି ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଶିିରିଶ ଚନ୍ଦ୍ର ଦାସ ଦୃଷ୍ଟିବାଧିତ ମାନଙ୍କର ମନୋବଳ ଅତ୍ୟନ୍ତ ଦୃଢ ବୋଲି କହି ସେମାନଙ୍କୁ ପ୍ରଥମଥର ପାଇଁ ମାଟ୍ରିକ ପରୀକ୍ଷାରେ ଉଲ୍ଲେଖନୀୟ କୃତିତ୍ୱ ନିମିତ୍ତ ସମ୍ବର୍ଦ୍ଧନା ଦିଆଯିବା ଦ୍ୱାରା ଭବିଷ୍ୟତରେ ଅନ୍ୟ ଦୃଷ୍ଟିବାଧିତମାନେ ଅନୁପ୍ରାଣିତ ହେବେ ବୋଲି କହିଥିଲେ । ଦୀର୍ଘବର୍ଷ ଧରି ରାଜ୍ୟର ସମସ୍ତ ଦୃଷ୍ଟିବାଧିତ ବିଦ୍ୟାଳୟରେ କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ପାଇଁ ଲୁଇସ୍ ବ୍ରେଲୀ ଫାଉଣ୍ଡେସନ ଉଦ୍ୟମ କରିଆସୁଛି ବୋଲି କହିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟଦେବବିହାର ବିକାଶ ପରିଷଦର ସଭାପତି ମିହିର ରଞ୍ଜନ ରଥ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରି ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରାଯିବା ସହ ସମାଜସେବା କ୍ଷେତ୍ରକୁ ମଧ୍ୟ ପ୍ରବେଶ କରିବା ପାଇଁ ସୁଯୋଗ ସୃଷ୍ଟି କରାଯିବା ଉଚିତ ବୋଲି କହିଥିଲେ । ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ସାମ୍ବାଦିକ କଲ୍ୟାଣ ବୋର୍ଡ଼ର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇ ଦୃଷ୍ଟିବାଧିତମାନଙ୍କୁ ଦୟା ନଦେଖାଇ ସେମାନଙ୍କର ପ୍ରାପ୍ୟ ଓ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ସୁଯୋଗ ସୃଷ୍ଟି କରାଗଲେ ସମାଜରେ ସେମାନେ ମଧ୍ୟ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିପାରିବେ ବୋଲି କହିଥିଲେ ।

ଲୁଇସ୍ ବ୍ରେଲୀ ଫାଉଣ୍ଡେସନର ପ୍ରତିଷ୍ଠାତା ଯୁଧିଷ୍ଠିର ସାହୁ ନିଜର ବ୍ୟକ୍ତିଗତ ପେନସନ ଅର୍ଥରେ ୭୦ଜଣ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା ଉପକରଣ ଓ ବ୍ରେଲୀ ସରଞ୍ଜାମ ଯୋଗାଇବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା କରିବା ଏବଂ କରୋନା ସଂକ୍ରମଣ ସମୟରେ ପ୍ରବାସୀ ଫେରନ୍ତାଙ୍କ ଲାଗି ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦେଇଥିଲେ । ଏହି ଅବସରରେ ଦଶମ ଶ୍ରେଣୀ ପାସ୍ କରିଥିବା ଭୁବନେଶ୍ୱରର ଲୁଇସ୍ ବ୍ରେଲୀ ସ୍କୁଲ୍ର ରାଜକିଶୋର ସାହୁ, ସୁନ୍ଦରଗଡର ଦୃଷ୍ଟିହୀନ ବିଦ୍ୟାଳୟର ମନୁତା ସାହୁ, ଭବାନୀପାଟଣା ଦୃଷ୍ଟିହୀନ ବିଦ୍ୟାଳୟର ତୁଷାର ସିଖୁ, ବାଲିଗୁଡ଼ା ଦୃଷ୍ଟିହୀନ ବିଦ୍ୟାଳୟର ଶ୍ରବଣ କୁମାର ପାତ୍ର, କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟର କୁନା ମଣ୍ଡାଙ୍ଗୀ, ବାରିପଦା ଦୃଷ୍ଟିହୀନ ବିଦ୍ୟାଳୟର ସନ୍ତୋଷିନୀ ତୁଙ୍ଗ, କଟକ ଦୃଷ୍ଟିହୀନ ବିଦ୍ୟାଳୟର ଦୟାନିଧି ସାହୁ, ଭୁବନେଶ୍ୱରର ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ଲୋପାମୁଦ୍ରା ଗଡ଼ନାୟକ ଓ ଜଗତସିଂହପୁର ଆଶ୍ରା ସ୍ପେଶାଲ ସ୍କୁଲ୍ର ଯାଜ୍ଞସେନୀ ଦାସ ପ୍ରମୁଖ ୯ଜଣ ଛାତ୍ରଛାତ୍ରୀଙ୍କୁ ନଗଦ ୨୫୦୦ ଟଙ୍କା ଏବଂ ଫଳକ, ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିବା ବେଳେ ଭୀମଭୋଇ ଦୃଷ୍ଟିହୀନ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଆଶାଲତା ମହାପାତ୍ର ଏବଂ ଦୃଷ୍ଟିହୀନ ସମାଜସେବୀ ବିନୋଦ ବିହାରୀ ସାହୁଙ୍କୁ ନଗଦ ୫ ହଜାର ଟଙ୍କା, ଉପଢୌକନ ଓ ମାନପତ୍ର ପ୍ରଦାନ ପୂର୍ବକ ମୁଖ୍ୟଅତିଥି ବିଧାୟକ ଶ୍ରୀ ଜେନା ସମ୍ବର୍ଦ୍ଧିତ କରିଥିଲେ । ଦୃଷ୍ଟିବାଧିତ ପ୍ରଫୁଲ୍ଲ ରାଉତ, ସହଦେବ ଦାସ, ସୁଧାଂଶୁ କୁମାର ବଳ ଓ ଶରତ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ଭୀମଭୋଇ ସ୍କୁଲ୍ର ଶିକ୍ଷକ ମୁରଲୀଧର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button