ରାଜ୍ୟ

୧୮ ଲୋକସଭା ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେପି – Ibnodisha

[ad_1]

ଭୁବନେଶ୍ବର: ୨୦୧୪ରେ କେନ୍ଦ୍ରରେ ବିଜେପି କ୍ଷମତାକୁ ଆସିଲା ପରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦବ୍‌ଦବା ଦିଲ୍ଲୀ ଦରବାରରେ ରହିଥିଲା। ସେ ଓଡ଼ିଶା ବିଜେପିର ଚେହେରା ପାଲଟିଥିଲେ। ଏଥର ସେ ପ୍ରତ୍ୟକ୍ଷ ନିର୍ବାଚନକୁ ଓହ୍ଲାଇଛନ୍ତି। ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦଳ ତାଙ୍କୁ ପ୍ରାର୍ଥୀ କରିଛି। ବିଜେପିର ୪ ଜଣ ସାଂସଦ ଟିକେଟ୍‌ ବଜାୟ ରଖିଛନ୍ତି। ସେମାନେ ହେଲେ ସୁନ୍ଦରଗଡ଼ର ଜୁଏଲ୍‌ ଓରାମ, ଭୁବନେଶ୍ବରର ଅପରାଜିତା ଷଡ଼ଙ୍ଗୀ, ବଲାଙ୍ଗୀରର ସଙ୍ଗୀତା ସିଂହଦେଓ ଓ ବାଲେଶ୍ବରର ପ୍ରତାପ ଷଡ଼ଙ୍ଗୀ। ଏହି ଚାରି ଜଣଙ୍କ ଉପରେ ଦଳ ପୁଣି ଆସ୍ଥା ସ୍ଥାପନ କରିଛି। ଅନ୍ୟପକ୍ଷରେ ଜଣେ କେନ୍ଦ୍ର ମନ୍ତ୍ରୀ ଓ ତିନି ଜଣ ସାଂସଦଙ୍କ ଟିକେଟ୍‌ କାଟିଦେଇଛନ୍ତି ବିଜେପି ସୁପ୍ରିମୋ। ସେମାନେ ହେଲେ ମୟୂରଭଞ୍ଜ ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ, ବରଗଡ଼ର ସୁରେଶ ପୂଜାରୀ, କଳାହାଣ୍ଡିର ବସନ୍ତ ପଣ୍ଡା ଓ ସମ୍ବଲପୁରର ନୀତିଶ ଗଙ୍ଗଦେବ। ଦଳ ସେମାନଙ୍କ ଟିକେଟ୍ କାହିଁକି କାଟିଛି ତା’ର କାରଣ ଜଣାପଡ଼ିନାହିଁ। ଏମାନଙ୍କ ମଧ୍ୟରୁ କେତେଜଣ ବିଧାନସଭା ପ୍ରାର୍ଥୀ ହୋଇପାରନ୍ତି ବୋଲି ଗୋଟିଏ ସୂତ୍ରରୁ ସୂଚନା ମିଳିଛି।

ଏଥିସହିତ ଆଜି ରାତିରେ ବିଜେପି ଓଡ଼ିଶା ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯାଜପୁର, କଟକ ଓ କନ୍ଧମାଳକୁ ବାଦ୍ ଦେଇ ଆଉ ୧୮ଟି ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ବିଜେପିର ଟିକେଟ୍‌ ଘୋଷଣା ହେଲା ପରେ ଦଳୀୟ ମହଲରେ ବେଶ୍‌ ତତ୍ପରତା ପ୍ରକାଶ ପାଇଛି। ରାତିରୁ ହିଁ ପ୍ରାର୍ଥୀମାନେ ଆରମ୍ଭ କରିଦେଇଛନ୍ତି ରଣନୀତି। ସେପଟେ ଏହି ତାଲିକା ସଙ୍କେତ ଦେଉଛି ଯେ ମେଣ୍ଟ ନେଇ ଉଭୟ ବିଜେଡି-ବିଜେପି ମଧ୍ୟରେ ସହମତି ନ ହେବା ପରେ ଗେରୁଆ ଦଳ ବଡ଼ ଲଢ଼େଇ ପାଇଁ ପାଗ ଭିଡ଼ିଛି। ଦଳର ବଛା ବଛା ନେତାଙ୍କୁ ଲୋକସଭାରେ ଲଢ଼ାଇଛି ଦଳ।

ସମ୍ବଲପୁରରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ବରରୁ ଅପରାଜିତା, ପୁରୀରୁ ସମ୍ବିତ ପାତ୍ର
କେନ୍ଦ୍ରାପଡ଼ାରୁ ବୈଜୟନ୍ତ, ବାଲେଶ୍ବରରୁ ପ୍ରତାପ
ବିଶ୍ବେଶ୍ବର, ସୁରେଶ, ବସନ୍ତ, ନୀତିଶଙ୍କ ଟିକେଟ୍‌ ନାହିଁ
ବ୍ରହ୍ମପୁରରୁ ପ୍ରତିଦ୍ବନ୍ଦ୍ବିତା କରିବେ ପ୍ରଦୀପ ପାଣିଗ୍ରାହୀ

ବିଜେପି ତାଲିକା ଅନୁସାରେ, କେନ୍ଦୁଝର ଲୋକସଭା ନିର୍ବାଚନମଣ୍ଡଳୀରେ ଅନନ୍ତ ନାଏକ, ଭଦ୍ରକରେ ଅଭିମନ୍ୟୁ ସେଠୀ, ଢେଙ୍କାନାଳରେ ରୁଦ୍ର ନାରାୟଣ ପାଣି, ନବରଙ୍ଗପୁରରେ ବଳଭଦ୍ର ମାଝୀ ନିର୍ବାଚନ ଲଢ଼ିବେ। ସେହିଭଳି କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡା, ଜଗତସିଂହପୁରରେ ବିଭୁ ପ୍ରସାଦ ତରାଇ, ପୁରୀରେ ସମ୍ବିତ ପାତ୍ର ଓ ଆସ୍କାରେ ଅନିତା ଶୁଭଦର୍ଶିନୀଙ୍କୁ ଦଳ ଟିକେଟ୍ ଦେଇଛି। ଗତଥର ଏମାନେ ପ୍ରାର୍ଥୀ ହୋଇ ପରାଜିତ ହୋଇଥିଲେ ହେଁ, ଏଥର ଏହି ୮ ଜଣ ନେତାଙ୍କୁ ପୁଣି ବିଜେପି ଶୀର୍ଷ ନେତୃତ୍ବ ଭରସା କରିଛନ୍ତି।
ସବୁଠାରୁ ବଡ଼ କଥା ହେଲା, ନିକଟରେ ବିଜେପିରେ ଯୋଗ ଦେଇଥିବା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ବିଜେପି ବଡ଼ ଗେମ୍‌ ଖେଳିଛି। ତାଙ୍କୁ ବ୍ରହ୍ମପୁର ଲୋକସଭା ଆସନରେ ପ୍ରାର୍ଥୀ କରାଯାଇଛି। ବ୍ରହ୍ମପୁରର ସବୁ ନିର୍ବାଚନମଣ୍ଡଳୀରେ ସେ ବିଜେଡି ବିରୋଧରେ ଷ୍ଟାର୍‌ ପ୍ରଚାରକ ସାଜି ଜନମତକୁ ପ୍ରଭାବିତ କରିବେ ବୋଲି ଦଳ ଆଶା ରଖିଛି।

ବରଗଡ଼ରେ ସୁରେଶ ପୂଜାରୀଙ୍କ ସ୍ଥାନରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରାଯାଇଛି। ମୟୂରଭଞ୍ଜରେ କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ବଦଳରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କୁ ଦଳ ଚୟନ କରିଛି। କଳାହାଣ୍ଡିରେ ସାଂସଦ ବସନ୍ତ ପଣ୍ଡାଙ୍କ ସ୍ଥାନ ନେବେ ମାଳବିକା କେଶରୀ ଦେଓ। ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବଙ୍କ ସ୍ଥାନରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ମଇଦାନକୁ ଓହ୍ଲାଇଛନ୍ତି। କୋରାପୁଟରେ ଏଥର ନୂଆ ପ୍ରାର୍ଥୀ ଭାବେ ଟିକେଟ୍‌ ପାଇଛନ୍ତି କାଲେରାମ ମାଝୀ। ସୂଚନାଯୋଗ୍ୟ ଯେ ଗତକାଲି ବଳମ୍ବିତ ରାତି ପର୍ଯ୍ୟନ୍ତ ବିଜେପି ମୁଖ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ବସିଥିଲା। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଓଡ଼ିଶାର ସମ୍ଭାବ୍ୟ ପ୍ରାର୍ଥୀମାନଙ୍କ ତାଲିକା ତର୍ଜମା କରାଯାଇଥିଲା। ଏଯାଏ ବିଜେଡି କିମ୍ବା କଂଗ୍ରେସ ତାଙ୍କର ପ୍ରାର୍ଥୀ ତାଲିକା ଘୋଷଣା କରିନାହାନ୍ତି। ଟିକେଟ୍ ଘୋଷଣାରେ ବିଜେପି ଅନ୍ୟମାନଙ୍କୁ ପଛରେ ପକାଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button