ଖେଳ

୨୧ ରନ୍‌ରେ ହାରିଲା ପଞ୍ଜାବ; ଲକ୍ଷ୍ନୌ ସୁପର ଜାଏଣ୍ଟ୍‌ସର ପ୍ରଥମ ବିଜୟ – Ibnodisha

[ad_1]

ଲକ୍ଷ୍ନୌ: ନିକୋଲାସ୍ ପୂରନ୍ ଓ କୃଣାଳ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ମୟଙ୍କ ଯାଦବଙ୍କ ଘାତକ ବୋଲିଂ ବଳରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ଚଳିତ ଆଇପିଏଲ୍ ସିଜନ୍‌ର ଏକାଦଶ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସକୁ ୨୧ ରନ୍‌ରେ ହରାଇ ପ୍ରଥମ ବିଜୟ ହାସଲ କରିଛି । ଟସ୍ ଜିତି ବ୍ୟାଟିଂ ନେଇଥିବା ଲକ୍ଷ୍ନୌ ୮ ୱିକେଟ୍ ବିନିମୟରେ ୧୯୯ ରନ୍ କରିଥିଲା । ୨୦୦ ରନ୍‌ର ଲକ୍ଷ୍ୟକୁ ପିଛା କରୁଥିବା ଶିଖର ଧୱନ୍‌ଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ ଜୋର୍‌ଦାର ଆରମ୍ଭ କରିଥିଲେ ମଧ୍ୟ ଶେଷ ଆଡ଼କୁ ଏହି ଧାରା ବଜାୟ ରଖିବାରେ ବିଫଳ ହୋଇ ୫ ୱିକେଟ୍ ବିନିମୟରେ ୧୭୮ ରନ୍ କରିବାକୁ ସମର୍ଥ ହୋଇଥିଲା । ଚଳିତ ସିଜନ୍‌ରେ ଦୁଇଟି ମ୍ୟାଚ୍‌ରୁ ଏହା ଲକ୍ଷ୍ନୌର ପ୍ରଥମ ବିଜୟ ହୋଇଥିବା ବେଳେ ୩ଟି ମ୍ୟାଚ୍‌ରୁ ପଞ୍ଜାବର ଦ୍ୱିତୀୟ ପରାଜୟ।

ଶନିବାର ସ୍ଥାନୀୟ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା ଷ୍ଟାଡିୟମ୍‌ରେ ୨୦୦ ରନ୍‌ର ପିଛା କରୁଥିବା ପଞ୍ଜାବ ପକ୍ଷରୁ କ୍ୟାପ୍‌ଟେନ୍ ଶିଖର ଧୱନ୍ ଓ ଜନ୍ନି ବେୟାରଷ୍ଟୋ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ । ଉଭୟ ପ୍ରଥମ ୱିକେଟ୍ ପାଇଁ ୭୦ ବଲ୍‌ରେ ୧୦୨ ରନ୍‌ର ଭାଗୀଦାରି କରିଥିବା ବେଳେ ବେୟାର୍‌ଷ୍ଟୋଙ୍କୁ ଷ୍ଟୋଇନିସ୍‌ଙ୍କ ଦ୍ୱାରା କ୍ୟାଚ୍ କରାଇ ଡେବ୍ୟୁଟାଣ୍ଟ୍ ମୟଙ୍କ ଯାଦବ ଏହି ଯୋଡ଼ି ଭାଙ୍ଗିଥିଲେ । ବେୟାର୍‌ଷ୍ଟୋ ୨୯ ବଲ୍‌ରେ ୩ଟି ଲେଖାଏଁ ଛକା ଓ ଚୌକା ସହ ୪୨ ରନ୍ କରିଥିଲେ । ଏହାପରେ କ୍ରିଜ୍‌ରେ ଧୱନ୍‌ଙ୍କ ସହ ଯୋଗ ଦେଇଥିବା ପ୍ରଭଶିମରନ୍ ସିଂହ ମଧ୍ୟ ବିସ୍ଫୋରକ ଅନ୍ଦାଜରେ ବ୍ୟାଟିଂ କରିଥିଲେ । ତେବେ ୭ ବଲ୍‌ରେ ଦୁଇଟି ଛକା ଓ ଗୋଟିଏ ଚୌକା ସହାୟତାରେ ୧୯ ରନ୍ କରିଥିବା ବେଳେ ମୟଙ୍କ ଯାଦବ ତାଙ୍କୁ କ୍ୟାଚ୍ ଆଉଟ୍ କରାଇ ଫେରାଇଥିଲେ ।

ଏହାପରେ ବ୍ୟାଟିଂ ପାଇଁ ଆସିଥିବା ଜିତେଶ ଶର୍ମା (୬)ଙ୍କୁ ନବୀନ ଉଲ୍ ହକ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇ ତୃତୀୟ ୱିକେଟ୍‌୍ ହାସଲ କରିଥିଲେ । ପରେ ଶିଖର ଧୱନ୍ (୭୦) ଓ ଅଲ୍‌ରାଉଣ୍ଡର୍ ସାମ୍ କରନ୍‌(୦)ଙ୍କୁ ଆଉଟ୍ କରି ମୋହସିନ୍ ଖାନ୍ ପଞ୍ଜାବର ରନ୍ ସଂଗ୍ରହରେ ଅଙ୍କୁଶ ଲଗାଇଥିଲେ । ଆଇପିଏଲ୍‌ରେ ନିଜର ୫୧ତମ ଅର୍ଦ୍ଧଶତକ ପୂରଣ କରିଥିବା ଧୱନ୍ ୫୦ ବଲ୍‌ରୁ ୭ ଚୌକା ଓ ୩ ଛକା ସହାୟତାରେ ୭୦ ରନ୍ କରିଥିଲେ । ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ ୨୮ ଏବଂ ଶଶାଙ୍କ ସିଂହ ୯ ରନ୍ କରି ଅପରାଜିତ ଥିଲେ । ମୟଙ୍କ ଏହି ମ୍ୟାଚ୍‌ରେ ଘଣ୍ଟା ପ୍ରତି ୧୫୬ କିମି ବେଗରେ ବୋଲିଂ କରିଥିଲେ, ଯାହା ଚଳିତ ସିଜନ୍‌ର ସବୁଠୁ ଦ୍ରୁତ ବଲ୍ ଥିଲା ।

ଟସ୍ ଜିତି ବ୍ୟାଟିଂ ନେଇଥିବା ଲକ୍ଷ୍ନୌକୁ ଚତୁର୍ଥ ଓଭର୍‌ରେ କେଏଲ୍ ରାହୁଲଙ୍କ ରୂପରେ ପ୍ରଥମ ଝଟ୍‌କା ଲାଗିଥିଲା । ଉନ୍ନତ ଲୟରେ ଥିବା ରାହୁଲ ୯ ବଲ୍‌ରେ ୧୫ ରନ୍ କରିଥିବା ବେଳେ ଅର୍ଶଦୀପ ସିଂହ ତାଙ୍କୁ ବେୟାର୍‌ଷ୍ଟୋଙ୍କ ହାତରେ କ୍ୟାଚ୍ କରାଇ ଫେରାଇଥିଲେ । ଏହାପରେ ବ୍ୟାଟିଂ ପାଇଁ ଆସିଥିବା ଦେବଦତ୍ତ ପାଡିକ୍କଲ୍ ପୁଣିଥରେ ବିଫଳ ହୋଇ ୯ ରନ୍‌ରେ ଆଉଟ୍ ହୋଇଥିଲେ । ସାମ୍ କରନ୍ ତାଙ୍କୁ କ୍ୟାପ୍‌ଟେନ୍ ଶିଖର ଧୱନ୍‌ଙ୍କ ହାତରେ କ୍ୟାଚ୍ କରାଇଥିଲେ । ୪୫ ରନ୍‌ରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ବେଳେ ମାର୍କସ୍ ଷ୍ଟୋଇନିସ୍ ଦୁଇଟି ଆକର୍ଷଣୀୟ ଛକା ମାରି ଟିମ୍ ପାଇଁ ବଡ଼ ସ୍କୋର୍‌ର ଆଶା ସୃଷ୍ଟି କରିଥିଲେ । ମାତ୍ର ସେ ୧୨ ବଲ୍‌ରେ ୧୯ ରନ୍ କରିଥିବା ବେଳେ ରାହୁଲ ଚହର୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ । ଏହାପରେ କ୍ରିଜ୍‌କୁ ଆସିଥିବା କ୍ୟାପ୍‌ଟେନ୍ ନିକୋଲାସ୍ ପୂରନ୍ ଓପ୍ନର୍ ଡି କକ୍‌ଙ୍କ ସହ ଦ୍ରୁତ ୪୭ ରନ୍‌ର ଭାଗୀଦାରୀ କରି ପଞ୍ଜାବର ଅଡ଼ୁଆ ବଢ଼ାଇଥିଲେ । ତେବେ ଡି କକ୍‌ଙ୍କୁ ଜିତେଶ ଶର୍ମାଙ୍କ ହାତରେ କ୍ୟାଚ୍ କରାଇ ଅର୍ଶଦୀପ ସିିଂହ ଟିମ୍ ପାଇଁ ଆଶ୍ୱସ୍ତି ଆଣିଥିଲେ । ଡି କକ୍ ୩୮ ବଲ୍‌ରେ ୫ ଚୌକା ଓ ଦୁଇଟି ଛକା ସହାୟତାରେ ୫୪ ରନ୍‌ର ଅର୍ଦ୍ଧଶକୀୟ ଇନିଂସ୍ ଖେଳିଥିଲେ ।

ଆୟୁଷ ବଡ଼ୋନି ମାତ୍ର ୮ ରନ୍‌ରେ କୁରାନ୍‌ଙ୍କ ଦ୍ୱାରା ଆଉଟ୍ ହେବାପରେ ଟିମ୍‌ର ସ୍କୋର୍ ୧୫ ଓଭର୍ ସୁଦ୍ଧା ୪ ୱିକେଟ୍ ବିନିମୟରେ ୧୪୬ ରନ୍ ହୋଇଥିଲା । ୧୬ଶ ଓଭର୍‌ର ପ୍ରଥମ ବଲ୍‌ରେ ପୂରନ୍‌ଙ୍କୁ କାଗିସୋ ରବାଡା ପ୍ୟାଭିଲିୟନ୍ ଫେରାଇଥିଲେ । ପୂରନ୍ ୩ଟି ଲେଖାଏଁ ଛକା ଓ ଚୌକା ବଳରେ ୨୧ ବଲ୍‌ରୁ ୪୨ ରନ୍ କରିଥିଲେ । ଏହାପରେ କୃଣାଳ ପାଣ୍ଡ୍ୟାଙ୍କ ଝଡ଼ ଦେଖିବାକୁ ମିଳିଥିଲା । କୌଣସି ବଲ୍‌କୁ ଛାଡ଼ିବା ମୁଡ୍‌ରେ ସେ ନଥିଲେ । ପାଣ୍ଡ୍ୟା ୨୨ ବଲ୍‌ରୁ ବିସ୍ଫୋରକ ୪୩ ରନ୍‌ର ଅପରାଜିତ ଇନିଂସ୍ ଖେଳି ଲକ୍ଷ୍ନୌ ସ୍କୋର୍ ୧୯୯ ରନ୍‌ରେ ପହଞ୍ଚାଇଥିଲେ । ଅନ୍ତିମ ୯ ଓଭର୍‌ରେ ପୂରନ୍ ଓ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଲକ୍ଷ୍ନୌ ୧୦୪ ରନ୍ ସଂଗ୍ରହ କରିଥିଲା । ପଞ୍ଜାବ ପକ୍ଷରୁ ସାମ୍ କରନ୍ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂହ ଦୁଇଟି, ରବାଡା ଓ ରାହୁଲ ଚହର ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button