ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ଶିଶୁ ମୃତ, ୨୫ ଆହତ – Ibnodisha

[ad_1]
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ବାରବାଙ୍କିରେ ଏକ ଦୁଃଖଦ ଘଟଣା ଘଟିଛି । ଏକ ସ୍କୁଲ ବସ୍ ଓଲଟି ପଡିବାରୁ ଘଟଣାସ୍ଥଳରେ ୪ ଶିଶୁଙ୍କ ମୃତ୍ୟୁ ହୋଇଛି । ଜଣେ ବସ କର୍ମଚାରୀ ବି ମୃତ୍ୟୁବରଣ କରିଛନ୍ତି । ଏହି ଦୁର୍ଘଟଣାରେ ପ୍ରାୟ ୨୫ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ଆହତ ଶିଶୁମାନଙ୍କୁ ତୁରନ୍ତ ସ୍ଥାନୀୟ ଲୋକଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ସେମାନେ ଚିକିତ୍ସିତ ହେଉଛନ୍ତି । ଲକ୍ଷ୍ନୌ ଚିଡ଼ିଆଖାନାରୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିବା କୁହାଯାଉଛି ।
ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁମାନଙ୍କ ପରିବାରକୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେଇଛି । ସୂଚନା ଅନୁଯାୟୀ, ବାରାବାଙ୍କିର ଦେବା ଥାନା ଅନ୍ତର୍ଗତ ସଲାରପୁରରେ ଏହି ସଡ଼କ ଦୁର୍ଘଟଣା ଘଟିଛି । ବସରେ ଥିବା ସମସ୍ତ ପିଲା ବାରାବାଙ୍କିର ସୁରତଗଞ୍ଜ ବ୍ଲକର ହରକ୍କା ଗାଁର କମ୍ପୋଜିଟ୍ ସ୍କୁଲର ବୋଲି ଜଣାପଡ଼ିଛି । ଏହି ସମସ୍ତ ସ୍କୁଲ ପିଲା ଶିକ୍ଷକଙ୍କ ସହ ଷ୍ଟଡିଟୁରରେ ଲକ୍ଷ୍ନୌ ଯାଇଥିଲେ । ଲକ୍ଷ୍ନୌରୁ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଣେ ବାଇକ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସଟି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଓ ଓଲଟି ପଡ଼ିଥିଲା । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓ ଆହତମାନଙ୍କ ସମୁଚିତ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
[ad_2]




