ଦେଶ

ଆଇଆଇଟି ଭଳି ଶିକ୍ଷାନୁଷ୍ଠାନର ଏପ୍ରକାର ସଂଘର୍ଷ କାହିଁକି? – Ibnodisha

[ad_1]

ନୂଆଦିଲ୍ଲୀ : ଦେଶର ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ମଧ୍ୟରୁ ସର୍ବଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ଭାବେ ବିବେଚିତ ହୋଇଆସୁଥିବା ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି)ରେ ପାଠ ପଢ଼ିବାର ସୁଯୋଗ ସବୁ ଛାତ୍ରଛାତ୍ରୀଙ୍କ ଭାଗ୍ୟରେ ଜୁଟିନଥାଏ । କାରଣ ଏଠାରେ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଏକ ପ୍ରତିଯୋଗୀତାମୂଳକ ପରୀକ୍ଷା ଦେବାକୁ ପଡିଥାଏ, ଯେଉଁଥିରେ ଅଧିକାଂଶ ଛାତ୍ରଛାତ୍ରୀ ବାରମ୍ବାର ପ୍ରୟାସ ସତ୍ତ୍ୱେ ସଫଳ ହୋଇପାରିନଥାନ୍ତି । କିନ୍ତୁ ଯେଉଁ କେତେକ ଛାତ୍ରଛାତ୍ରୀ ନିଜ ବୁଦ୍ଧିମତା ଏବଂ ଉଚିତ୍ ପରିଶ୍ରମ ବଳରେ ଏଠାରେ ପାଠ ପଢ଼ିବାକୁ ସୁଯୋଗ ପାଇଥାନ୍ତି ସେମାନଙ୍କ ଭବିଷ୍ୟତ ଏକପ୍ରକାର ସୁନିଶ୍ଚିତ ହୋଇଯାଇଥାଏ ବୋଲି ଭାରତରେ ଏକ ପ୍ରବାଦ ରହିଆସିଛି ।

ଏଠାରେ ନାମ ଲେଖାଇବାର ସୁଯୋଗ ମିଳିବା ସହ ଆଗାମୀ ଦିନରେ ଉଚ୍ଚବେତନଯୁକ୍ତ ନିଯୁକ୍ତି ମିଳିବାର ଆଶା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକଙ୍କ ମଧ୍ୟରେ ସଞ୍ଚାର ହୋଇଥାଏ । ତେବେ ବର୍ତ୍ତମାନ ସମୟରେ ଦେଶରେ ଏହି ଲବ୍ଧ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନଗୁଡ଼ିକ ଏବେ ଛାତ୍ରଛାତ୍ରୀମାନଙ୍କୁ ନିଯୁକ୍ତି ଦେବାରେ ଏକ ଅଜଣା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଚଳିତ ଶିକ୍ଷା ସିଜିନ୍‌ରେ ଦେଶର ପ୍ରାୟ ଅଧିକାଂଶ ଆଇଆଇଟି ଶିକ୍ଷାନୁଷ୍ଠାନଗୁଡ଼ିକ ଏହି ସମସ୍ୟା ସହ ଜୁଝୁଛନ୍ତି । ଟାଇମ୍ସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଚଳିତ ଶିକ୍ଷାବର୍ଷରେ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ବିଶ୍ୱସ୍ତରୀୟ କମ୍ପାନୀଗୁଡ଼ିକୁ କ୍ୟାମ୍ପସ୍ ସିଲେକ୍‌ସନ୍ ପାଇଁ ଆକର୍ଷିତ କରିବାରେ ବିଫଳ ହୋଇଛନ୍ତି ।

ଦେଶର ସର୍ବପୁରାତନ ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରାଯାଉଥିଲେ ମଧ୍ୟ ହାରାହାରି ୩୦-୩୫% ଛାତ୍ରଛାତ୍ରୀ ଆଇଆଇଟିରୁ ଡିଗ୍ରୀ ହାସଲ କରିବା ସତ୍ତ୍ୱେ ନିଯୁକ୍ତି ପାଇଁ ଅପେକ୍ଷା କରି ରହିଛନ୍ତି । ଏହାର ସିଧାସଳଖ ଅର୍ଥ ସେମାନଙ୍କୁ ଆଇଆଇଟି ପକ୍ଷରୁ ପର୍ଯ୍ୟାପ୍ତ କ୍ୟାମ୍ପସ୍ ସିଲେକ୍‌ସନ୍ ପ୍ରକ୍ରିୟା ଯୋଗାଇ ଦିଆଯାଇପାରିନାହିଁ । ସୂଚନାଯୋଗ୍ୟ ଆଇଆଇଟିରେ ମୁଖ୍ୟତଃ ବର୍ଷକରେ ଦୁଇ ଥର ନିଯୁକ୍ତି ପ୍ରକ୍ରିୟା (କ୍ୟାମ୍ପସ୍ ସିଲେକ୍‌ସନ) ଅନୁଷ୍ଠିତ ହୋଇଥାଏ । ପ୍ରଥମ କ୍ୟାମ୍ପସ୍ ସିଲେକ୍‌ସନ୍ ପ୍ରକ୍ରିୟା ଡିସେମ୍ବର ମାସରେ ଆୟୋଜିତ କରାଯାଉଥିବା ବେଳେ ଦ୍ୱିତୀୟ ନିଯୁକ୍ତି ପ୍ରକ୍ରିୟା ଜାନୁଆରୀ ଏବଂ ଜୁନ୍ ମାସ ମଧ୍ୟରେ ଆୟୋଜିତ ହୋଇଥାଏ ।

ରିପୋର୍ଟ ଅନୁସାରେ ଆଇଆଇଟି ବମ୍ବେ ଦେଶର ଅନ୍ୟତମ ପୁରୁଣା ଶିକ୍ଷାନୁଷ୍ଠାନ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ୩୬% ଛାତ୍ରଛାତ୍ରୀ ନିଯୁକ୍ତି ପାଇପାରିନାହାନ୍ତି । ପ୍ଲେସମେଣ୍ଟ ପାଇଁ ନିଜ ନାମ ପଞ୍ଜିକରଣ କରିଥିବା ୨୦୦୦ରୁ ପ୍ରାୟ ୭୧୨ ଛାତ୍ରଛାତ୍ରୀ ବର୍ତ୍ତମାନ ସୁଦ୍ଧା ନିଯୁକ୍ତିକୁ ଅପେକ୍ଷା କରିଛନ୍ତି । ଗ୍ଲୋବାଲ୍ ଆଇଆଇଟି ଆଲୁମନି ସପୋର୍ଟ ଗ୍ରୁପ୍ ପ୍ରତିଷ୍ଠାତା ତଥା କାନ୍‌ପୁର ଆଇଆଇଟିର ପୁର୍ବତନ ଛାତ୍ର ରହିଥିବା ଧୀରଜ ସିଂହ ଏହି ସୂଚନା ଦେଇଛନ୍ତି । ତେବେ ବମ୍ବେ ଆଇଆଇଟି ପ୍ଲେସମେଣ୍ଟ ସେଲ୍ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇ କୁହାଯାଇଛି ଯେ, ପ୍ରଥମ ଥର ପାଇଁ କମ୍ପ୍ୟୁଟର ସାଇନ୍ସ ଏବଂ ଇଂଜିନିୟରିଂ ବିଭାଗରୁ ଉତ୍ତୀର୍ଣ୍ଣ ହୋଇଥିବା ପଞ୍ଜିକୃତ ଛାତ୍ରଛାତ୍ରୀମାନେ ଶତପ୍ରତିଶତ ନିଯୁକ୍ତି ନପାଇବା ଦେଖିବାକୁ ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button