ରାଜ୍ୟ

ଡ଼େଙ୍ଗୁ ନିରାକରଣ ପାଇଁ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ

ଭଦ୍ରକ : ଡେଙ୍ଗୁ ଜ୍ୱର ରୋଗର ନିରାକରଣ ଉଦ୍ଦେଶ୍ୟରେ ରୋଗୀ ଚିହ୍ନଟ ପାଇଁ ପରୀକ୍ଷା, ଚିକିତ୍ସା ସହିତ ସଚେତନତା ଓ ସତର୍କତା ନେଇ ପଦକ୍ଷେପ ଗ୍ରହଣ କରାଯିବା ଉଦ୍ଦେଶ୍ୟରେ ଗତକାଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଓସୱାନ୍ ହଲରେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଡେଙ୍ଗୁ ଜ୍ୱରର କାରଣ ଓ ନିରାକରଣ ପାଇଁ ପରୀକ୍ଷା, ଚିକିତ୍ସା, ସଚେତନତା ଆଦି ସମ୍ବନ୍ଧରେ ଏକ ଉପସ୍ଥାପନ ପରେ ଜିଲ୍ଲାପାଳ ଏ ନେଇ ଜିଲ୍ଲାରେ ଗ୍ରହଣ କରାଯାଇଥିବା ପଦେକ୍ଷପ ସମ୍ବନ୍ଧରେ ସମୀକ୍ଷା କରିଥିଲେ । ସମସ୍ତ ପ୍ରକାର ଜ୍ୱରକୁ ସାଧାରଣ ଜ୍ୱର ନ ଭାବି ପରୀକ୍ଷା ଜରିଆରେ ରୋଗୀ କି ପ୍ରକାର ଜ୍ୱରରେ ଆକ୍ରାନ୍ତ ଚିହ୍ନଟ କରାଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ଡେଙ୍ଗୁ, ମ୍ୟାଲେରିଆ, ଫାଇଲେରିଆ, ଡ଼ାଇରିଆ, ଲେପ୍ରସି ଆଦି କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଥିବା ‘ଜିରୋ କାଜୁଆଲିଟି’କୁ ଆଖି ଆଗରେ ରଖି ଜୁଲାଇ ୧୦ ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଘର କୁ ଘର ବୁଲି ରୋଗୀ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥା ପ୍ରଦାନ ଦିଗରେ ସଂପୃକ୍ତ ଅଧିକାରୀ, କର୍ମଚାରୀ, ଆଶା, ଅଙ୍ଗବାଡ଼ି କର୍ମୀମାନଙ୍କୁ କାର୍ଯ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ପ୍ରଦାନ କରିଥିଲେ । ଏ ସବୁ ଜ୍ୱର ଓ ରୋଗ ପାଇଁ ଋତୁ ଆରମ୍ଭ ହୋଇଯାଇଥିବାରୁ ଗ୍ରାମାଞ୍ଚଳ, ସ୍କୁଲ ବିଶେଷ କରି ଆବାସିକ ସ୍କୁଲ, କଲେଜ, ଏନ୍‌.ସି.ସି, ସ୍କାଉଟ୍‌, ଗାଇଡ଼୍‌, ଶିଳ୍ପାଞ୍ଚଳ ଆଦିମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଦିଗରେ ପଦକ୍ଷେପ ନିଆଯିବା ନେଇ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା । ଏଡ଼ିସ୍ ମଶା ଯୋଗୁଁ ଡ଼େଙ୍ଗୁଜ୍ୱର ସୃଷ୍ଟି ହେବା, ଏହି ମଶା ସକାଳେ ଓ ସନ୍ଧ୍ୟା ପୂର୍ବରୁ କାମୁଡ଼ିବା, ମଣିଷ ରକ୍ତକୁ ଏହି ମଶା ଅଧିକ ଭଲ ପାଇବା, ସ୍ଥିର ଓ ସଫା ଜଳରେ ଏହି ମଶା ବାସକରିବା, ମଶା ଜନ୍ମ ରୋକିବା ପାଇଁ ନିଜ ଘର, ସ୍କୁଲ, ଅନୁଷ୍ଠାନ, ରାସ୍ତା ଘାଟ ଆଦିରେ ଟାୟାର, ପଇଡ଼ଖୋଳ, କପ୍‌, ଥାଳି, ଫୁଲକୁଣ୍ଡ, ପାଣି ଜମିଲା ଭଳି ବର୍ଜ୍ୟବସ୍ତୁ, ନାଳନର୍ଦ୍ଦମା ଆଦିରେ ଜଳ ଜମିବାକୁ ନଦେବା, ଜଳ ଜମୁଥିବା ନାଳ ନର୍ଦ୍ଦମାରେ ମଶା ମରା ଓ ମଶାଖାଉଥିବା ଗାଙ୍ଗୁସିଆ ମାଛ ଛାଡ଼ିବା, ଆଦି ସଂପୃକ୍ତ ବିଭିନ୍ନ ବିଷୟରେ ଆଲୋଚନା କରାଯାଇ  ଏ ଦିଗରେ ସଚେତନତା ଉଦ୍ଦେଶ୍ୟରେ ବିଶେଷ ପଦକ୍ଷେପ ନେବା ପାଇଁ ବୈଠକରେ ଉପସ୍ଥିତ ସଂପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ସଂଯୋଜକ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀ ଡ଼ା. ସନ୍ତୋଷ କୁମାର ପାତ୍ରଙ୍କ ସହ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନାର ଡ଼ିପିଏଚ୍ ଓ. ଡ଼ା ଭାରତୀ ସାହୁ, ଏ.ଡ଼ି.ଏମ୍‌.ଓ.ଏଫ୍‌. ଡ଼ବ୍ଲ୍ୟୁ ଡ଼ା ଜୟନ୍ତ ପଣ୍ଡା, ଭି.ବି.ଡ଼ି ଏ.ଡ଼ି.ଏମ୍‌.ଓ. ଡ଼ା. ମୂରଲୀ ନାୟକ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ସୁପ୍ରିୟା ପାଢ଼ୀ, ଡ଼ି.ପି.ଏମ୍‌. ସରିତା ମହାପାତ୍ର, ସଂପୃକ୍ତ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ପ୍ରକ୍ରିୟା ସମ୍ବନ୍ଧରେ ଉପସ୍ଥାପନ ରଖିଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଦୀପକ କୁମାର ପାଢ଼ୀ, ଡ଼ି.ଏସ୍‌.ଡ.ବ୍ଲ୍ୟୁ.ଓ. ପୁଷ୍ପଲତା ପାତ୍ର, ଜିଲ୍ଲାର ସମସ୍ତ ସି.ଏଚ୍‌.ସି.ମାନଙ୍କର ମେଡି଼କାଲ ଅଫିସର ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button