IBN ଓଡ଼ିଶା ବ୍ୟୁରୋ

କର୍ମଜୀବୀ ଲୋକ କିପରି ନେବେ ହୃଦୟର ଯତ୍ନ, ଜାଣନ୍ତୁ

ସମଗ୍ର ବିଶ୍ୱରେ ହୃଦରୋଗ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ବିଶେଷ କରି ଯୁବପିଢ଼ି ଏହି ରୋଗର ଶିକାର ହେବା ଚିନ୍ତାରେ ପକାଇଛି। ଖରାପ ଜୀବନଶୈଳୀ, ଖାଦ୍ୟ ଅଭ୍ୟାସ ଏବଂ ଚାପ ରୋଗକୁ ବଢ଼ାଉଛି। କୋଭିଡ୍ କାରଣରୁ ମଧ୍ୟ ହୃଦଘାତ ହେବାର ସମ୍ଭାବନା ଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଏସବୁ ମଧ୍ୟରେ ହୃଦରୋଗର ସବୁଠୁ ବଡ଼ କାରଣ ହେଉଛି ଚାପ। ଆଉ କର୍ମଜୀବୀ ଲୋକମାନେ ବିଶେଷ କରି ଚାପର ଶିକାର ହୁଅନ୍ତି। ତେଣୁ କାର୍ଯ୍ୟରତ ବ୍ୟକ୍ତିମାନେ କିପରି ହୃଦରୋଗକୁ ନିୟନ୍ତ୍ରଣ କରିବେ, ଜାଣନ୍ତୁ ଏହି ଆଲେଖ୍ୟରୁ…

ପର୍ଯ୍ୟାପ୍ତ ଶୁଅନ୍ତୁ
ଚାପ ହୃଦରୋଗ ପାଇଁ ଏକ ମୁଖ୍ୟ ବିପଦ କାରଣ। ଚାପ ବଢ଼ିବା ସହିତ ହୃଦୟ ସମ୍ବନ୍ଧୀୟ ରୋଗ ଆରମ୍ଭ ହୁଏ। କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରେ ଚାପ ଅତି ସାଧାରଣ। ଏଭଳି ପରିସ୍ଥିତିରେ ଏହି ଲୋକମାନଙ୍କର ହୃଦଘାତ ହେବାର ଆଶଙ୍କା ଅଧିକ ଥାଏ। ତେଣୁ ଯଥା ସମ୍ଭବ ଚାପରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ଚାପରୁ ରକ୍ଷା ପାଇବା ପାଇଁ ପର୍ଯ୍ୟାପ୍ତ ଶୋଇବା ଅଭ୍ୟାସ କରନ୍ତୁ। ଏହା ସହ ଧ୍ୟାନ ଏବଂ ସରଳ ଯୋଗ ମଧ୍ୟ କରନ୍ତୁ।

ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରାନ୍ତୁ
ନିୟମିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ଦ୍ୱାରା ହୃଦରୋଗ ହେବାର ଆଶଙ୍କା କମ୍ ହୋଇପାରେ। ଏହା ଦ୍ୱାରା ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ଚିହ୍ନଟ ହୋଇଥାଏ ଏବଂ ଚିକିତ୍ସା କରାଯାଇଥାଏ। ତେଣୁ କାର୍ଯ୍ୟରତ ଲୋକମାନେ ବର୍ଷକୁ ଥରେ ହୃଦୟ ପରୀକ୍ଷା କରାଇନେବା ଆବଶ୍ୟକ। ଏଥିପାଇଁ ବ୍ଲଡ ପ୍ରେସର, ବ୍ଲଡ ସୁଗାର ଏବଂ କୋଲେଷ୍ଟ୍ରଲ ଯାଞ୍ଚ କରିବା ଉଚିତ୍।

ଧୂମପାନଠୁ ଦୂରେଇ ରୁହନ୍ତୁ 
କାର୍ଯ୍ୟରତ ଲୋକମାନେ ପ୍ରାୟତଃ ଚାପ କିମ୍ବା ଚିନ୍ତା କମାଇବା ପାଇଁ ସିଗାରେଟ୍ ଟାଣନ୍ତି। କିନ୍ତୁ ସିଗାରେଟ୍ ଟାଣିବା ସାମଗ୍ରିକ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଏ। ଧୂମପାନ କେବଳ ଫୁସଫୁସକୁ ପ୍ରଭାବିତ କରେ ନାହିଁ, ବରଂ ହୃଦରୋଗର ଆଶଙ୍କାକୁ ମଧ୍ୟ ବଢ଼ାଇଥାଏ। ଏପରି ସ୍ଥିତିରେ, ସିଗାରେଟ୍ ଟାଣିବାଠାରୁ ଦୂରେଇ ରୁହନ୍ତୁ। ମଦ୍ୟପାନ କିମ୍ବା ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନରୁ ମଧ୍ୟ ନିବୃତ୍ତ ରହିବାକୁ ଚେଷ୍ଟା କରନ୍ତୁ।

ପର୍ଯ୍ୟାପ୍ତ ପାଣି ପିଅନ୍ତୁ
କାର୍ଯ୍ୟରତ ଲୋକମାନେ ବ୍ୟସ୍ତ ଥିବାରୁ ପାଣି ପିଇବା ଏବଂ ଖାଇବା ପ୍ରତି ଧ୍ୟାନ ଦେଇପାରନ୍ତିନି। ସୁସ୍ଥ ରହିବାକୁ ହେଲେ ଶରୀରକୁ ହାଇଡ୍ରେଟ୍ ରଖିବା ନିହାତି ଜରୁରୀ। ଯଦି ଏପରି ସ୍ଥଳରେ ଜଣେ ବ୍ୟକ୍ତି ଆବଶ୍ୟକୀୟ ଜଳ ଗ୍ରହଣ ନକରନ୍ତି ତେବେ ଏହା ସାମୂହିକ ସ୍ୱାସ୍ଥ୍ୟ ସହ ହୃଦୟ ସ୍ୱାସ୍ଥ୍ୟକୁ ମଧ୍ୟ ବିଗାଡ଼ିଦିଏ। ତେଣୁ ପ୍ରତିଦିନ ୮-୧୦ ଗ୍ଲାସ୍ ପାଣି ପିଇବା ଅଭ୍ୟାସ କରନ୍ତୁ।

ଅଫିସରେ ସକ୍ରିୟ ରୁହନ୍ତୁ
ଅନେକ ଲୋକ ଅଫିସରେ ପୂରା ସମୟର ବ୍ୟସ୍ତ ରୁହନ୍ତି। ଦୀର୍ଘ ସମୟ ବସି ରହି କାର୍ଯ୍ୟ କରିବା ଫଳରେ ହୃଦୟ ସ୍ୱାସ୍ଥ୍ୟ ପ୍ରଭାବିତ ହୁଏ। ଏଥିପାଇଁ କାର୍ଯ୍ୟ କରିବା ସମୟରେ ପ୍ରତି ଘଣ୍ଟାଏରେ ଚାଲିବା ଆବଶ୍ୟକ। ଆହୁରି ମଧ୍ୟ, ଖାଦ୍ୟ ଖାଇବା ପରେ, ନିଶ୍ଚିତ ଭାବରେ ୧୦-୧୨ ମିନିଟ୍ ପାଇଁ ଚାଲନ୍ତୁ। ଏହା ଶରୀରରେ ରକ୍ତ ସଞ୍ଚାଳନରେ ଉନ୍ନତି ଆଣି ହୃଦୟକୁ ସୁସ୍ଥ ରଖିବାରେ ସହାୟକ ହେବ।

ଏକ ସନ୍ତୁଳିତ ଖାଦ୍ୟ ଗ୍ରହଣ କରନ୍ତୁ
କାର୍ଯ୍ୟରତ ଲୋକମାନେ ଖାଦ୍ୟ ପ୍ରତି ସମ୍ପୂର୍ଣ୍ଣ ଅବହେଳା କରିଦିଅନ୍ତି। ଯେତେବେଳେ ଯାଆ ପାଆନ୍ତି ଖାଇଦିଅନ୍ତି। ଅନେକ ଲୋକ ମଧ୍ୟାହ୍ନ ଭୋଜନରେ ମଧ୍ୟ ଫାଷ୍ଟଫୁଡ୍ କିମ୍ବା ଜଙ୍କ ଫୁଡ୍ ଖାଆନ୍ତି। ଜଙ୍କ୍ ଫୁଡ୍ ହୃଦୟ ସ୍ୱାସ୍ଥ୍ୟକୁ ଅଧିକ ପ୍ରଭାବିତ କରିଥାଏ। ତେଣୁ ଏକ ସନ୍ତୁଳିତ ଖାଦ୍ୟ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଏଥିପାଇଁ ଖାଦ୍ୟରେ ଫାଇବର, ପ୍ରୋଟିନ୍, ପୋଟାସିୟମ୍ ଇତ୍ୟାଦି ଅନ୍ତର୍ଭୁକ୍ତ କରନ୍ତୁ।

Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରିବା ଉପାଦେୟ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button