IBN ଓଡ଼ିଶା ବ୍ୟୁରୋ

ପାପୀ ଲୋକଙ୍କୁ ପାପ କରୁଥିବାର ଦେଖି ଭଗବାନ କାହିଁକି ଚୁପ ରୁହନ୍ତି । ଜାଣନ୍ତୁ କାରଣ

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏହି ବିଷୟ ଏକ କାହାଣୀ ମାଧ୍ୟମରେ କହିବୁ । ଗୋଟିଏ ଗାଁରେ ଭଗବାନ ବିଷ୍ଣୁଙ୍କର ଏକ ମନ୍ଦିର ଥିଲା ଯେଉଁଠି ଗାଁର ଜଣେ ବ୍ୟକ୍ତି ପୂଜା ଅର୍ଚ୍ଚନା ଦେଖାଶୁଣା ସବୁକିଛି କରୁଥିଲେ । ସେ ନିର୍ଦ୍ଧନ ଥିଲେ ଏବଂ ଗରିବ , ନିଜ ଜୀବନର କୌଣସିବି ସମସ୍ୟାକୁ ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ଛିଡ଼ା ହୋଇ ଜଣାଉଥିଲେ । ଥରେ ସେ କହିଲେ ଯେ ଭଗବାନ ଖୁବ ସହଜ ଜୀବନ ବଞ୍ଚୁଛନ୍ତି । ବିନା କିଛି ପରିଶ୍ରମରେ ଲୋକେ ତାଙ୍କୁ ଭୋଗ ଲଗାଇ ଯାଉଛନ୍ତି । ତଥାପି ଭଗବାନ ଦୁଃଖୀଙ୍କ କଥା ବୁଝୁ ନାହାଁନ୍ତି । ଏଠାରେ ପାପୀ ଦିନ ସାରା ପାପ କରି ଖୁବ ମଉଜ ମଜଲିସରେ ଦିନ କାଟୁଥିବା ବେଳେ ଜଣେ ପୁଣ୍ୟ କରୁଥିବା ବ୍ୟକ୍ତି ଅଭାବ ଅନଟନରେ ଦିନ କାଟୁଛି ।

ନିଜ ଭକ୍ତର ଏଭଳି କଥା ଶୁଣି ଭଗବାନ ବାଧ୍ୟ ହୋଇ ପ୍ରକଟ ହେଲେ ଏବଂ କହିଲେ ଯେ ଯେଉଁ ଜୀବନକୁ ତାଙ୍କ ଭକ୍ତ ସହଜ ଭାବୁଛନ୍ତି ବାସ୍ତବରେ ତାହା ଖୁବ କଷ୍ଟକର । ଏମିତି ଅନେକ ବୁଝାଇବା ସତ୍ତ୍ୱେବି ଭକ୍ତ ବୁଝିଲେ ନାହିଁ । ଭକ୍ତ ଜଣକ ଏହା ମଧ୍ୟ କହିଲେ ଯେ ଏହାକୁ ବୁଝିବା ପାଇଁ କେବଳ ଗୋଟିଏ ଦିନ ସେ ଭଗବାନ ହୋଇ ଛିଡ଼ା ହୋଇ ରହିବେ ଏବଂ ଭଗବାନ ତାଙ୍କ ଜାଗାରେ ରହି ଦେଖିବେ । ଭଗବାନ ବିଷ୍ଣୁ ମଧ୍ୟ ରାଜି ହୋଇଗଲେ । କିନ୍ତୁ ଭଗବାନ ବିଷ୍ଣୁଙ୍କର ସର୍ତ୍ତ ଥିଲା ଯେ ମନ୍ଦିରକୁ ଆସୁଥିବା ସବୁ ବ୍ୟକ୍ତି କେବେ ଭଗବାନଙ୍କୁ ଭଲ କହନ୍ତି ନାହିଁ କିମ୍ବା ଖରାପ କହନ୍ତି ନାହିଁ । ତେଣୁ ସେସବୁକୁ ସହ୍ୟ କରିବା ସହିତ ମଣିଷ ଯିଏବି ହୋଇଥାଉ ନା କାହିଁକି ତାଙ୍କୁ କେବଳ ତାଙ୍କ କର୍ମ ଅନୁଯାୟୀ ହିଁ ଫଳ ଦେବାକୁ କହିଲେ । ଭକ୍ତ ତାଙ୍କ କଥାରେ ରାଜି ହୋଇଗଲେ ଏବଂ ଭଗବାନ ବିଷ୍ଣୁ ତାଙ୍କୁ ମୂର୍ତ୍ତି କରିବା ସହିତ ନିଜେ ସେବକ ହୋଇ ମନ୍ଦିରରେ କାମ କରିବାରେ ଲାଗିଲେ ।

କିଛି ସମୟ ପରେ ଜଣେ ଧନୀ ସେଠ ସେଠାକୁ ଆସି ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ପ୍ରଣାମ ଜଣାଇ ନିଜର କରିଥିବା ଏକ ବିଶାଳ ବିଜନେସରେ ଲାଭ ମିଳିବାକୁ ପ୍ରାର୍ଥନା କଲେ । ମୁଣ୍ଡ ନୁଆଁଇ ପ୍ରଣାମ କରିବା ସମୟରେ ତାଙ୍କ ପକେଟରୁ ଟଙ୍କା ଭର୍ତ୍ତି ମୁଣି ଖସି ପଡ଼ିଲା । ମୂର୍ତ୍ତି ଥିବା ଭକ୍ତ କିଛି ସମୟ ପାଇଁ ଭାବିଥିଲେ ଯେ ପାଟି ଖୋଲି ତାଙ୍କ ପର୍ସ ପଡ଼ି ଯାଇଥିବା କଥା କହିଦେବେ । କିନ୍ତୁ ଭଗବାନ ବିଷ୍ଣୁଙ୍କ ସର୍ତ୍ତ ମନେ ପଡ଼ିବା ପରେ ସେ ଚୁପ ରହିଗଲେ । କିଛି ସମୟ ପରେ ଜଣେ ଗରିବ ଲୋକ ଆସି ଭଗବାନଙ୍କ ମୂର୍ତ୍ତି ସାମ୍ନାରେ ଛିଡ଼ା ହୋଇ ନିଜ ଅଭାବ ବିଷୟରେ କହିଲେ ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ । ଯିବା ସମୟରେ ସେ ସେହି ଟଙ୍କା ମୁଣି ପାଇଗଲେ ଏବଂ ଭଗବାନଙ୍କୁ ଧନ୍ୟବାଦ କହି ସେଠାରୁ ଯିବାକୁ ଲାଗିଲେ । ଭକ୍ତ ଜଣକ ମନେ ମନେ ଇଚ୍ଛା କରୁଥିଲେ ଯେ ସେହି ମୁନି ସେଠଙ୍କର ଅଟେ । କିନ୍ତୁ ସର୍ତ୍ତ ଅନୁଯାୟୀ ସେ କେବଳ ଚୁପ ରହିଲେ ।

ତାପରେ ଜଣେ ସୈନିକ ଯୁଦ୍ଧକୁ ଯିବା ପୂର୍ବରୁ ଭଗବାନଙ୍କ ପାଖକୁ ଆସି କେବଳ ନିଜ ଯାତ୍ରା ସୁରକ୍ଷିତ ହେଉ ବୋଲି ପ୍ରାର୍ଥନା କରିବାରେ ଲାଗିଲେ । ଏତିକି ବେଳେ ସେହି ସେଠ ପୋଲିସ ନେଇ ମନ୍ଦିରରେ ପହଞ୍ଚିଲା ଏବଂ ସୈନିକକୁ ଦୋଷୀ କରି ତାଙ୍କ ପଇସା ମୁଣି ନେଇଥିବା କହିଲା । ପୋଲିସ ଯେତେବେଳେ ତାଙ୍କୁ ଗିରଫ କରିବାକୁ ଆସିଲେ ଭକ୍ତ ଜଣକ ଆଉ ଚୁପ ରହି ଏହି ଅନ୍ୟାୟ ଦେଖି ପାରିଲେ ନାହିଁ । ଏହା ଭାବି ସେ ମୁହଁ ଖୋଲି କହିଲେ ଯେ ସେଠଙ୍କ ଟଙ୍କା ମୁଣି ଏହି ସୈନିକ ନୁହେଁ ବରଂ ପୂର୍ବରୁ ଆସିଥିବା ଜଣେ ଗରିବ ଲୋକ ନେଇ ଯାଇଛନ୍ତି । ଏହା ଶୁଣି ପୋଲିସ ମାନେ ସୈନିକକୁ ଛାଡ଼ି ସେହି ଗରିବ ଲୋକ ଠାରୁ ଟଙ୍କା ନେଇ ଗଲେ । ଗରିବ ଲୋକ ଜଣକ ଖୁବ ଦୁଃଖୀ ହେଲେ । ଏତିକିରେ ଦିନର ଶେଷରେ ଯେତେବେଳେ ଭଗବାନ ମନ୍ଦିରକୁ ଆସିଲେ ଭକ୍ତ ଜଣକ ତାଙ୍କୁ ସବୁ ଘଟଣା କହିଲେ ଏବଂ କିଭଳି ସେ ଅନ୍ୟାୟ ସମୟରେ ସମାଧାନ କଲେ କହିଲେ ।

ଏହା ଶୁଣି ଭଗବାନ କହିଲେ ଯେ ସେହି ଗରିବ ଲୋକ ମୁହଁରୁ ଅନ୍ନ ଛଡ଼ାଇ ସେ ପାପ କରିଛନ୍ତି । ପୁଣି ସେହି ସେଠ ଅନ୍ୟଠାରୁ ପାପ ଉପାୟରେ ଟଙ୍କା ଲୁଟିଥିଲେ । ତେଣୁ ସେ ପାପର ଭାଗିଦାର ହେଲେ । ପୁଣି ସେହି ସୈନ୍ୟ ଯେଉଁ ରାଜାଙ୍କ ସହିତ ଯୁଦ୍ଧକୁ ଯାଉଥିଲେ ସେହି ରାଜା ଜଣେ କମଜୋର ରାଜ୍ୟକୁ ଅକ୍ତିଆର କରିବାକୁ ଯାଉଥିଲେ । ଯାହା ଆଦୋୖ ଠିକ ନଥିଲା । ଭକ୍ତ ଜଣକୁ ଏହା ଶୁଣି ଖୁବ ପଶ୍ଚାତାପ ହେଲା । ସେ କେବଳ ଆଖି ସାମ୍ନାରେ ଯାହା ଥିବା ତାହା ଦେଖି ପାରୁଥିଲେ କିନ୍ତୁ ଅନ୍ୟ ପାର୍ଶ୍ଵକୁ ନୁହେଁ । ତେଣୁ ସେ କହିଲେ ଯେ କେବଳ ଭଗବାନ ହିଁ ସୃଷ୍ଟିକୁ ଚଳାଇ ପାରିବେ ଆଉ କେହି ନୁହେଁ । ତେଣୁ ମନୁଷ୍ୟ କେବେବି କୌଣସି ଦୁଃଖରେ ଭାଙ୍ଗି ନପଡ଼ି ଏହା ଜାଣିବା ଉଚିତ ଯେ ଏହା ପଛରେ ଭଗବାନ କିଛି ତାଙ୍କର ମଙ୍ଗଳ କରିବାକୁ ଯାଉଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button