IBN ଓଡ଼ିଶା ବ୍ୟୁରୋ

କ୍ରୋଧ କମାଉଛି ଓମେଗା-୩

କ ଖାଦ୍ୟ ପରିପୂରକ ଭାବେ ବ୍ୟବହୃତ ତଥା ମାଛ ତେଲରେ ରହିଥିବା ଓମେଗା-୩ ପରି ଚର୍ବିଳାମ୍ଳ ଆମର ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଠିକ୍‌ ରଖିବା ସହ ଆମର ଆକ୍ରମଣାତ୍ମକ ମନୋଭାବ କମାଇଥାଏ ବୋଲି ଏକ ସଦ୍ୟ ଅଧ୍ୟୟନରୁ ଜଣାଯାଇଛି। ପୂର୍ବରୁ ସିଜୋଫ୍ରେନିଆ ରୋଗର ପ୍ରତିରୋଧକ ଭାବେ ଏହି ଓମେଗା-୩କୁ ବିବେଚନା କରାଯାଉଥିଲା। ଏହି ଅବସରରେ କୌଣସି ପୋଷକତତ୍ତ୍ବର ଅଭାବକୁ ପୀଡ଼ିତର ଆକ୍ରମଣାତ୍ମକ ମନୋଭାବ ଓ ଅସାମାଜିକ ବ୍ୟବହାର ପାଇଁ ଦାୟୀ କରାଯାଉଥିଲା।

ଆମେ ଯାହା ଭକ୍ଷଣ କରୁଛୁ, ତାହା ଆମର ମସ୍ତିଷ୍କ ରସାୟନକୁ ପ୍ରଭାବିତ କରିଥାଏ ବୋଲି ସ୍ପଷ୍ଟ ହୋଇଥିଲା। ତେବେ ପେନ୍‌ସିଲ୍‌ଭାନିଆ ବିଶ୍ବବିଦ୍ୟାଳୟର ଗବେଷକମାନଙ୍କ ଅନୁଯାୟୀ, ଏହି ଓମେଗା-୩ ମଧ୍ୟ ଆକ୍ରମଣାତ୍ମକ କାର୍ଯ୍ୟକଳାପକୁ ପ୍ରଭାବିତ କରୁଛି। ୧୯୯୬ ମସିହାରୁ ୨୦୨୪ ମଧ୍ୟରେ ଏକ ଦୀର୍ଘମିଆଦୀ ଅନୁଧ୍ୟାନରେ ୩,୯୧୮ଜଣ ସ୍ବେଚ୍ଛାସେବୀଙ୍କୁ ସାମିଲ କରି ପ୍ରାୟ ୨୯ ପ୍ରକାର ନିୟନ୍ତ୍ରିତ ପରୀକ୍ଷା ନିରୀକ୍ଷା ଚଳାଇ ସେମାନେ ଏହି ନିର୍ଯାସରେ ପହଞ୍ଚିପାରିଛନ୍ତି।

ବୟସ-ଲିଙ୍ଗ ନିର୍ବିଶେଷରେ ପ୍ରାୟ ୧୬ ସପ୍ତାହର ଓମେଗା-୩ ପ୍ରୟୋଗ ଦ୍ବାରା ପ୍ରାୟ ୨୮ ପ୍ରତିଶତ ଆକ୍ରମଣାତ୍ମକ ମନୋଭାବ କମିପାରୁଛି ବୋଲି ଜାଣିବାକୁ ମିଳିଛି। ପେନ୍‌ସିଲ୍‌ଭାନିଆ ଗବେଷକମାନଙ୍କ ଏହି ନୂତନ ସିଦ୍ଧାନ୍ତ ଏକ ସକାରାତ୍ମକ ପରିଣାମ ଆଣିପାରିବାର ଆଶା ସଂଚାର କରିଛି। ବିଶେଷ କରି ଏପରି ଆକ୍ରମଣାତ୍ମକ ବ୍ୟବହାର ପ୍ରଦର୍ଶନ ଦେଖାଉଥିବା ଶିଶୁଙ୍କୁ ସପ୍ତାହକୁ ସ୍ବାଭାବିକଠାରୁ ଟିକେ ଅଧିକ ପରିମାଣର ମାଛ ଖାଇବାକୁ ଦେଇ ତାହାକୁ ନିୟନ୍ତ୍ରଣ କରିହେବ ବୋଲି ସେମାନେ ଆଶାବାଦୀ ଅଛନ୍ତି। ସେହିପରି ଶରୀରରେ ଏହି ଓମେଗା-୩ ଚର୍ବିଳାମ୍ଳର ସନ୍ତୁଳନ ହିଁ ସମାଜରେ ହିଂସାତ୍ମକ କାର୍ଯ୍ୟକଳାପ ରୋକିବାରେ ଅନ୍ୟତମ ଭୂମିକା ନିଭାଇବ ବୋଲି ଆଶା କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button