IBN ଓଡ଼ିଶା ବ୍ୟୁରୋ

ଦୂର ହେଲା ଭ୍ରାନ୍ତି, ଅଳ୍ପ ମଦ୍ୟପାନ ବି ହାନିକାରକ

ଦଶନ୍ଧି ଦଶନ୍ଧି ଧରି ଏକ ଧାରଣା ରହି ଆସିଥିଲା ଯେ ମଧ୍ୟମ ଧରଣର ମଦ୍ୟପାନ ଲୋକଙ୍କୁ ସୁସ୍ଥ ତଥା ଦୀର୍ଘଜୀବୀ କରିଥାଏ। ଏପରିକି ଫ୍ରାନ୍‌ସରେ ‘ଫ୍ରେଞ୍ଚ ପାରାଡକ୍ସ’ ନାମକ ଏକ ଦୃଢ଼ ଧାରଣା ରହିଛି କି, ରେଡ୍‌ ଵାଇନ୍‌ ସେବନ କରୁଥିବା ଲୋକଙ୍କର ହୃଦ୍‌ରୋଗ ହାର କମ୍‌ ରହିଥାଏ। ମାତ୍ର ଏକ ସଦ୍ୟ ଅନୁଧ୍ୟାନ ଅନୁଯାୟୀ, ଯେକୌଣସି ପରିମାଣର ହେଉ ପଛେ, ମଦ୍ୟପାନ ଆଦୌ ସ୍ବାସ୍ଥ୍ୟପ୍ରଦ ନୁହେଁ। ଏପରିକି ଅଳ୍ପରୁ ମଧ୍ୟମ ଧରଣର ମଦ୍ୟପାନ କରୁଥିବା ଲୋକଙ୍କର ବହୁବିଧ କର୍କଟ ହେବାର ଆଶଙ୍କା ରହିଛି। ସେଥିପାଇଁ ମଦ୍ୟପାନ ମନୁଷ୍ୟ ସ୍ବାସ୍ଥ୍ୟ ପାଇଁ କଦାପି ନିରାପଦ ନୁହେଁ ବୋଲି ଗତବର୍ଷ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ଡବଲ୍ୟୁଏଚ୍‌ଓ) ପକ୍ଷରୁ ଘୋଷଣା କରାଯାଇଛି। ମଧ୍ୟମ ଧରଣର ମଦ୍ୟପାନ ସ୍ବାସ୍ଥ୍ୟପ୍ରଦ ବୋଲି ରହିଥିବା ଭ୍ରାନ୍ତ ଧାରଣାର ଆଧାର ହେଉଛି ଅତୀତରେ ହୋଇଥିବା କେତେକ ବୈଜ୍ଞାନିକ ଅଧ୍ୟୟନ। କିନ୍ତୁ ଭିକ୍ଟୋରିଆ ବିଶ୍ବବିଦ୍ୟାଳୟ ଅନ୍ତର୍ଗତ ‘କାଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଫର ସବ୍‌ଷ୍ଟାନ୍‌ସ ୟୁଜ୍‌ ରିସର୍ଚ’ର ଗବେଷକମାନେ ପୂର୍ବରୁ ପ୍ରକାଶିତ ୧୦୭ ପ୍ରକାର ତଥ୍ୟଭିତ୍ତିକ ଅନୁସନ୍ଧାନକୁ ତର୍ଜମା କରି ଉକ୍ତ ଗବେଷଣାଗୁଡ଼ିକ ତ୍ରୁଟିକୁ ଠାବ କରି ସେଗୁଡ଼ିକର ନିଷ୍କର୍ଷ ଭ୍ରମାତ୍ମକ ବୋଲି ପ୍ରମାଣିତ କରିଛନ୍ତି।

ମଦ ପିଉଥିବା ଲୋକଙ୍କ କ୍ଷେତ୍ରରେ ମୁଖଗହ୍ବର କର୍କଟ, ଗଳା କର୍କଟ, ସ୍ତନ କର୍କଟ ଓ ଅନ୍ତ୍ରାଶୟ କର୍କଟ ପରି ସାତ ପ୍ରକାରର କର୍କଟ ରୋଗ ଆଶଙ୍କା ଅଧିକ

ମଦ୍ୟପାନଠାରୁ ସଂପୂର୍ଣ୍ଣ ଦୂରେଇ ରହିଥିବା ଲୋକଙ୍କ ତୁଳନାରେ ଦିନକୁ ଦୁଇଥର ଅଥବା ସପ୍ତାହକୁ ଥରେ ମଦ୍ୟପାନ କରୁଥିବା ଲୋକଙ୍କର ମୃତ୍ୟୁ ଆଶଙ୍କା ୧୪ ପ୍ରତିଶତ କମ୍‌ ବୋଲି ପୂର୍ବ ଗବେଷଣାରୁ ନିଷ୍କର୍ଷ ମିଳିଥିଲା। ମାତ୍ର ସେସବୁ ତଥ୍ୟଭିତ୍ତିକ ଅନୁଧ୍ୟାନ କେବଳ ବୟସ୍କ ଲୋକଙ୍କ ମଧ୍ୟରେ ସୀମିତ ରହିଥିଲା। ସେଥିରେ ଜୀବନ ତମାମ ମଦ ପିଉଥିବା ଲୋକଙ୍କୁ ସାମିଲ କରାଯାଇ ନଥିଲା। ଅର୍ଥାତ୍‌ ସେଥିରେ ମଧ୍ୟମ ଧରଣର ମଦ୍ୟପାନ କରୁଥିବା ଲୋକଙ୍କ ସହିତ ମଦଠାରୁ ସଂପୂର୍ଣ୍ଣ ଦୂରେଇ ରହିଥିବା ଓ କୌଣସି ସ୍ବାସ୍ଥ୍ୟ ସମସ୍ୟା ପରେ ମଦ୍ୟପାନ କମାଇ ଦେଇଥିବା ଅଥବା ତ୍ୟାଗ କରିଥିବା ଲୋକଙ୍କ ସହ ତୁଳନା କରାଯାଇଥିଲା। ସୁତରାଂ ତୁଳନାତ୍ମକ ଭାବେ ମଦ୍ୟପାନ ଜାରି ରଖିଥିବା ଲୋକେ ଅଧିକ ସୁସ୍ଥ ବୋଲି ସେଥିରୁ ନିଷ୍କର୍ଷ ବାହାରିଥିଲା। ମାତ୍ର ଭିକ୍ଟୋରିଆ ବିଶ୍ବବିଦ୍ୟାଳୟର ଏହି ଗବେଷକମାନଙ୍କ ସଦ୍ୟତମ ଅନୁଧ୍ୟାନରେ ୫୫ ବର୍ଷରୁ କମ୍‌ ବୟସ୍କ ଲୋକଙ୍କୁ ସାମିଲ କରାଯାଇଥିଲା। ଏଥି ସହିତ ପୂର୍ବରୁ ମଦ ପିଇ ଏବେ ଛାଡ଼ିଦେଇଥିବା ଏବଂ ବେଳେ ବେଳେ ମଦ ପିଉଥିବା ଲୋକଙ୍କୁ ମଦ୍ୟନିବୃତ୍ତ ଶ୍ରେଣୀରେ ରଖାଯାଇନଥିଲା। ଏଥିରୁ ମଧ୍ୟମ ଧରଣର ମଦ୍ୟପାନ କରୁଥିବା ଲୋକଙ୍କର ଜୀବନଧାରଣ କ୍ଷମତା ଉନ୍ନତ ଥିବା କଥା ଆଦୌ ନିରୂପିତ ହୋଇନଥିଲା। ସେହିପରି ରେଡ୍‌ ଵାଇନ୍‌ରେ ‘ରେସଭେରାଟ୍ରଲ୍‌’ ନାମକ ଏକ ପ୍ରକାର ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ରକ୍ତରେ କୋଲେଷ୍ଟ୍ରୋଲ୍‌ ସ୍ତର ଓ ରକ୍ତଚାପ କମାଇବାରେ ସହାୟକ ହୋଇଥାଏ। ତେଣୁ ରେଡ୍‌ ଵାଇନ୍‌ ହୃଦ୍‌ରୋଗ କମାଇଥାଏ ବୋଲି ବିଶ୍ବାସ ରହିଛି। ମାତ୍ର କେତେ ପରିମାଣର ‘ରେସଭେରାଟ୍ରଲ୍‌’ ଆମ ପାଇଁ ନିରାପଦ, ସେ ସମ୍ପର୍କରେ କିଛି ସୂଚନା ମିଳିପାରିନାହିଁ। ଅପରପକ୍ଷେ, ମଦ ପିଉଥିବା ଲୋକଙ୍କ କ୍ଷେତ୍ରରେ ମୁଖଗହ୍ବର କର୍କଟ, ଗଳା କର୍କଟ, ସ୍ତନ କର୍କଟ ଓ ଅନ୍ତ୍ରାଶୟ କର୍କଟ ପରି ସାତ ପ୍ରକାରର କର୍କଟ ରୋଗର ଆଶଙ୍କା ଅଧିକ ବୋଲି ଜଣାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button