ଦେଶ

ୱାୟନାଡ଼ ଭୂସ୍ଖଳନ: ଚତୁର୍ଥ ଦିନରେ ୪ ଜୀବିତ ଉଦ୍ଧାର, ମାଟିତଳେ ଜୀବନ ଖୋଜୁଛି ଥର୍ମାଲ୍‌ ସ୍କାନର

ୱାୟନାଡ଼: କେରଳର ୱାୟନାଡ଼ ଭୂସ୍ଖଳନ ମୃତ୍ୟୁସଂଖ୍ୟା‌ ଆଜି ୩୩୪ରେ ପହଞ୍ଚିଛି। ୨୮୧ ଜଣ ଏବେ ବି ନିଖୋଜ ଥିବାବେଳେ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଆଜି ଚତୁର୍ଥ ଦିନରେ ଉଦ୍ଧାର ଅଭିଯାନ ତ୍ବରାନ୍ବିତ ହୋଇଥିବା ବେଳେ ଗୋଟିଏ ପରିବାରର ୪ ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଚୁରାଲମାଲାଠାରୁ ୩ କିମି ଦୂର ପଦଭେଟ୍ଟିକୁନ୍ନୁ ନାମକ ଏକ ସ୍ଥାନରେ ଗୋଟିଏ ପରିବାରର ଦୁଇ ଜଣ ପୁରୁଷ ଓ ଦୁଇ ଜଣ ମହିଳାଙ୍କୁ ସେମାନଙ୍କ ଘରର ଭଗ୍ନାବଶେଷ ମଧ୍ୟରୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କ ଘର ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯିବା ଫଳରେ ସେମାନେ ୪ ଦିନ ଧରି ଅତଡ଼ା ଭିତରେ ଫସି ରହିଥିଲେ। ଆଜି ସେନା ସେମାନଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ସେନା ପକ୍ଷରୁ ମାଟିତଳୁ ଜୀବନ ଖୋଜିବାପାଇଁ ଥର୍ମାଲ ସ୍କାନର ବ୍ୟବହାର କରାଯାଉଛି। ଥର୍ମାଲ ସ୍କାନର ଓ ଅନ୍ୟ ଅତ୍ୟାଧୁନିକ ଉପକରଣ ବ୍ୟବହାର କରି ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବାକୁ ପ୍ରୟାସ ଜାରି ରହିଥିବା ସେନା କହିଛି। ‘ବ୍ୟାପକ ଅଂଚଳର ଧ୍ବଂସସ୍ତୂପ ଭିତରେ ଥର୍ମାଲ ସ୍କାନର ବ୍ୟବହାର କରି ଆମେ ଏବେ ଜୀବନ ଖୋଜୁଛୁ। ଆଜି ଭୁସ୍ଖଳନ ସ୍ଥଳରେ ଗୋଟିଏ ଦୋକାନ ନିକଟରୁ ସିଗନାଲ୍‌ ମିଳିଥିଲା। କେହି ଜଣେ ବ୍ୟକ୍ତି ସେଠାରେ ଫସି ରହିଛନ୍ତି ବୋଲି ଜଣାପଡ଼ିବାପରେ ଉକ୍ତ ଅଞ୍ଚଳରେ ସେନା ଦ୍ବାରା ଉଦ୍ଧାର କାର୍ଯ୍ୟ ତ୍ବରାନ୍ବିତ କରାଯାଇଥିଲା। ୱାୟନାଡ଼ର ୬ଟି ଜୋନ୍‌ରେ ୪୦ଟି ସର୍ଚ୍ଚ ଟିମ୍‌ ଏହି ଅପରେସନ୍‌ରେ ନିୟୋଜିତ ହୋଇଛନ୍ତି’ ବୋଲି ଉଦ୍ଧାର ଅଭିଯାନର ଜଣେ କମାଣ୍ଡିଂ ଅଫିସର୍‌ କହିଛନ୍ତି।ୱାୟନାଡ଼ର ୬ଟି ଜୋନ୍‌ରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉଦ୍ଧାର ଅଭିଯାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କେରଳ ସବ୍‌ ଏରିଆ ମେଜର ଜେନେରାଲ୍‌ ଭିଟି ମାଥ୍ୟୁ ଚୁରାଲମାଲା ଏବେ ଉଦ୍ଧାର ଅଭିଯାନ ଦାୟିତ୍ବରେ ଅଛନ୍ତି। ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ଭୂସ୍ଖଳନ କ୍ଷତିଗ୍ରସ୍ତ ଅଞ୍ଚଳ ୱାୟନାଡ଼ ଯାଇ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି। ଆଜି ମଧ୍ୟଅନେକ କାରଣ ପାଇଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା। କିଛି ସ୍ଥାନରେ ରାସ୍ତା ଏବଂ ପୋଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବାରୁ ଏବଂ ଅନ୍ୟ କିଛି ସ୍ଥାନରେ ଉପକରଣର ଅଭାବ ରହୁଥିବାରୁ ଉଦ୍ଧାର କାର୍ଯ୍ୟରେ ସମସ୍ୟା ହେଉଛି। ଉଦ୍ଧାର ଅପରେସନ୍‌ରେ ସେନା ଏବଂ ଅନ୍ୟାନ୍ୟ ସଂସ୍ଥାର ୧୩୦୦ରୁ ଅଧିକ ସଦସ୍ୟ ମୁତୟନ ହୋଇଛନ୍ତି। ଜିଲ୍ଲାରେ ୯୧ଟି ରିଲିଫ୍‌ ଶିବିରରେ ୯,୩୨୮ ଲୋକଙ୍କୁ ଥଇଥାନ କରାଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button