ରାଜ୍ୟ

ଶ୍ରାବଣରେ ୪ ଜଳଭଣ୍ଡାର ଶୁଖିଲା

ଞ୍ଜନଗର: ଦିନ କେଇଟା ପରେ ଶ୍ରାବଣ ସରିଯିବ। ତଥାପି ଭଞ୍ଜନଗର ଉପଖଣ୍ଡ ଅଧୀନରେ ଥିବା ୪ଟି ପ୍ରମୁଖ ଜଳଭଣ୍ଡାରର ଜଳସ୍ତର ଆଶାନୁରୂପ ବୃଦ୍ଧି ପାଇନି। ଦୁଇ ଦୁଇଟି ଲଘୁଚାପ ସତ୍ତ୍ବେ ପର୍ଯ୍ୟାପ୍ତ ପରିମାଣର ବର୍ଷା ନଥିବାରୁ ଏଭଳି ପରିସ୍ଥିତି ଉପୁଜିଛି। ପ୍ରାୟତଃ ଏହି ସମୟରେ ଜଳଭଣ୍ଡାର ଗୁଡ଼ିକରେ ପାଣି ଭର୍ତ୍ତି ହୋଇଥାଏ। କିନ୍ତୁ ଚଳିତବର୍ଷ ଏଥିରେ ବ୍ୟତିକ୍ରମ ଦେଖାଦେଇଛି।

ଭଞ୍ଜନଗର ଜଳସେଚନ ବିଭାଜନ ଅଧୀନରେ ଥିବା ଭଞ୍ଜନଗର, ଡହ, ସୋରଡ଼ା ଓ ବାଘୁଆ ଜଳଭଣ୍ଡାରର ଜଳସ୍ତର ଗତବର୍ଷ ତୁଳନାରେ ବହୁ ପରିମାଣର କମ୍‌ ରହିଛି। ଯେଉଁ ନଈନାଳ ଗୁଡିକ ଜଳଭଣ୍ଡାରକୁ ସଂଯୋଗ ହୋଇଛି ସେଥିରେ ମଧ୍ୟ ଆବଶ୍ୟକ ପରିମାଣର ପାଣି ପ୍ରବାହିତ ହେଉନି। ସମସ୍ତ ଜଳଭଣ୍ଡାରରେ ପ୍ରାୟ ୩୦ ପ୍ରତିଶତରୁ କମ୍ ପାଣି ରହିଛି। ଭଞ୍ଜନଗର ଜଳଭଣ୍ଡାରରର ଜଳଧାରଣ କ୍ଷମତା ୫୭୬୬ ହେକ୍ଟୋମିଟର ରହିଥିବା ବେଳେ ଗତବର୍ଷ ଏହି ସମୟରେ ୪୫୯୨ ହେକ୍ଟୋମିଟରରୁ ଅଧିକ ପାଣି ଥିଲା। ଚଳିତବର୍ଷ ମାତ୍ର ମାତ୍ର ୧୫୧୪.୬୮ ହେକ୍ଟୋମିଟର ପାଣି ତଥା ୨୬.୨୭ ପ୍ରତିଶତ ପାଣି ଗଚ୍ଛିତ ରହିଛି। ଯାହାକି ପିଇବା ପାଇଁ ଯୋଗାଣ ହେଉଛି। ସୋରଡ଼ା ଜଳଭଣ୍ଡାରର କ୍ଷମତା ୪୯୭୫ ହେକ୍ଟୋମିଟର ରହିଥିବା ବେଳେ ଗତବର୍ଷ ୨୮୬୪ ହେକ୍ଟୋମିଟର ରହିଥିଲା। ବର୍ତ୍ତମାନ ମାତ୍ର ୧୫.୨୫ ପ୍ରତିଶତ ଅର୍ଥାତ୍‌ ୭୫୮.୯୧ ହେକ୍ଟୋମିଟର ପାଣି ରହିଛି।

ଡହ ଜଳଭଣ୍ଡାରରେ ୨୧୯୫ ହେକ୍ଟୋମିଟର ଜଳଧାରଣ କ୍ଷମତା ରହିଥିବା ବେଳେ ଗତବର୍ଷ ୧୦୮୭ ହେକ୍ଟୋମିଟର ରହିଥିଲା। ଚଳିତବର୍ଷ ୧୬.୩୮ ପ୍ରତିଶତ ତଥା ୩୫୯.୬୦ ହେକ୍ଟୋମିଟର ପାଣି ରହିଛି। ବୁଗୁଡ଼ାରେ ଥିବା ବାଘୁଆ ଜଳଭଣ୍ଡାରରେ ଜଳଧାରଣ କ୍ଷମତା ୩୧୦୦ ହେକ୍ଟୋମିଟର ହୋଇଥିବା ବେଳେ ଗତବର୍ଷ ୧୦୦୭ ହେକ୍ଟୋମିଟର ରହିଥିଲା। ଚଳିତବର୍ଷ ମାତ୍ର ୭.୪୪ ପ୍ରତିଶତ ଅର୍ଥାତ୍‌ ୨୩୦.୫୭ ହେକ୍ଟୋମିଟର ପାଣି ରହିଛି। ଉପର ମୁଣ୍ଡରେ ବର୍ଷା ହେଲେ ସେହି ପାଣିକୁ ଜଳଭଣ୍ଡାର ଗୁଡ଼ିକରେ ଗଚ୍ଛିତ କରାଯାଉଛି। କିନ୍ତୁ ବର୍ଷାଭାବ ଯୋଗୁ ଜଳଭଣ୍ଡାର ଗୁଡ଼ିକର ଜଳସ୍ତର ବୃଦ୍ଧି ପାଉନାହିଁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button