IBN ଓଡ଼ିଶା ବ୍ୟୁରୋ

୨୦୨୭ ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତିର ଦେଶ ହେବ ଭାରତ; କାହିଁକି ଏପରି କହିଲେ IMF ଉପନିର୍ଦ୍ଦେଶିକା ଗୀତା ଗୋପୀନାଥନ ?

ନୂଆଦିଲ୍ଲୀ: ଭାରତ ଯେଉଁଭଳି ଅର୍ଥନୈତିକ ବିକାଶ କରୁଛି ସେଥିରେ ସେ ୨୦୨୭ ସୁଦ୍ଧା ବିଶ୍ୱର ତୃତୀୟ ବୃହତ ଅର୍ଥନୀତିର ଦେଶ ହେବ। ଭାରତର ଅର୍ଥନୀତି ଆଶା ଠାରୁ ଭଲ ପ୍ରଦର୍ଶନ କରୁଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାକୋଷ ବା ଆଇଏମ୍ଏଫ୍ ପ୍ରଥମ ଡେପୁଟି ମ୍ୟାନେଜିଂ ଡାଇରେକ୍ଟର ଗୀତା ଗୋପୀନାଥନ କହିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେକୁ ସାକ୍ଷାତକାର ଦେଇ ଏପରି କହିଛନ୍ତି ଗୋପୀନାଥନ।

ବିଭିନ୍ନ କ୍ଷେତ୍ରରେ ଭଲ ପ୍ରଦର୍ଶନ ଯୋଗୁ ଗତ ଆର୍ଥିକ ବର୍ଷରେ ଭାରତର ଅର୍ଥନୀତି ଆଶା ଠାରୁ ବହୁତ ଭଲ ପ୍ରଦର୍ଶନ କରିଛି। ତେଣୁ ଚଳିତ ବର୍ଷ ଆମର ଅର୍ଥନୈତିକ ପୂର୍ବାନୁମାନକୁ ଏହା ପ୍ରଭାବିତ କରିଛି। ଏହା ବ୍ୟତୀତ ସାମଗ୍ରୀର ଘରୋଇ ବ୍ୟବହାରର ଚାହିଦାରେ ସୁଧାର ଦେଖିବାକୁ ମିଳିଛି ବୋଲି ଗୀତା କହିଛନ୍ତି।

ଏଫଏମସିଜି ଓ ଟୁ-ହ୍ୱିଲର ବିକ୍ରିର ଡାଟା ଓ ଉନ୍ନତ ମୌସୁମୀ ଦେଖିବା ପରେ ଆଇଏମଏଫ୍ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ୭ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇଛି। ହେଲେ କେନ୍ଦ୍ର ସରକାର କିନ୍ତୁ ଦେଶର ଅଭିବୃଦ୍ଧି ୬.୫ ପ୍ରତିଶତ ହେବ ବୋଲି ଅନୁମାନ କରିଛନ୍ତି। ଭାରତ ସରକାରଙ୍କ ଠାରୁ ଆଇଏମଏଫ ଆକଳନ ଉତ୍ସାହଜନକ ରହିଛି।

ଭାରତର ଅନର୍ଥନୈତିକ ସ୍ଥିତି ନେଇ ଗୋପୀନାଥନ କହିଛନ୍ତି ଯେ ଗତବର୍ଷ ଭାରତର ଘରୋଇ ଚାହିଦା(ପ୍ରାଇଭେଟ କଞ୍ଜପସନ ଗ୍ରୋଥ) ପାଖାପାଖି ୪ ପ୍ରତିଶତ ଥିଲେ। ଆଞ୍ଚଳିକ ଚାହିଦାରେ ବୃଦ୍ଧି ଯୋଗୁ ମୋଟ ଚାହିଦା ବଢ଼ିବ ବୋଲି ଆଶା କରାଯାଉଥିଲା। ହେଲେ ଚଳିତ ବର୍ଷ ଆପଣ ଯଦି ଦୁଇ ଚକିଆ ଯାନ ଓ ଏଫଏମସିଜି ସାମଗ୍ରୀର ଘରୋଇ ଚାହିଦା ଦେଖିବେ ସ୍ଥିତି ଆଶା ଠାରୁ ସୁଧୁରୁଛି ବୋଲି ଆପଣ ଜାଣିପାରିବେ। ପୁଣି ଏଥର ମୌସୁମୀରେ ଭଲ ବର୍ଷା ହୋଇଥିବାରୁ ଏଥର ଅମଳ ଭଲ ହେବ ବୋଲି ଆଶା କରାଯାଉଛି। ଏଥିରେ କୃଷିଜାତ ଆୟ ଭଲ ହେବା ସହିତ ଆଞ୍ଚଳିକ ଚାହିଦା ବଢ଼ିବ। ଏହି ଦୁଇଟି ତଥ୍ୟ ପାଇଁ ଆମେ ଆମର ଅର୍ଥନୈତିକ ଅଭିବୃଦ୍ଧି ଆକଳନକୁ ସୁଧାରିଛୁ ବୋଲି ଗୋପୀନାଥନ କହିଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button