୫ଦିନରେ ଫିଲ୍ମ ‘ଫାଇଟର’କୁ ପଛରେ ପକାଇଲା ‘ସ୍ତ୍ରୀ-୨’, ଏବେ ‘କଲକୀ ୨୮୯୮ଏଡି’ର ପାଳି

ମୁମ୍ବାଇ: ଅଗଷ୍ଟ ୧୫ରେ ପ୍ରେକ୍ଷାଳୟରେ ତିନୋଟି ବଡ ଚଳଚ୍ଚିତ୍ର ‘ସ୍ତ୍ରୀ-୨’, ‘ଖେଲ ଖେଲ ମେଁ’ ଏବଂ ‘ବେଦା’ ରିଲିଜ୍ ହୋଇଥିଲା। ସମସ୍ତ ତିନୋଟି ଚଳଚ୍ଚିତ୍ରରେ ବଲିଉଡର ବଡ଼ ବଡ଼ କଳାକାର କାମ କରିଥିବା ବେଳେ ଏବେ ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଜନ୍ ଆବ୍ରାହିମଙ୍କୁ ଟକ୍କର ଦେଇ ଆଗେଇ ଚାଲିଛନ୍ତି ରାଜକୁମାର ରାଓ।
ଅର୍ଥାତ୍ ତାଙ୍କ ଅଭିନୀତ ଫିଲ୍ମ ‘ସ୍ତ୍ରୀ-୨’ ଏବେ ଅନେକ ବଡ଼ ବଜେଟ ଫିଲ୍ମର ରେକର୍ଡ ଭାଙ୍ଗିଛି। କମ ବଜେଟରେ ନିର୍ମିତ ଫିଲ୍ମ ‘ସ୍ତ୍ରୀ-୨’ ରିଲିଜର ପ୍ରଥମ ଦିନରେ ୭୬.୫କୋଟି ଟଙ୍କା ଆୟ କରିଥିବା ବେଳେ ଦ୍ବିତୀୟ ଦିନରେ ୩୦କୋଟିରୁ ଅଧିକ ଆୟ କରିଥିଲା। ଏବେ ଫିଲ୍ମ ରିଲିଜକୁ ୫ଦିନ ବିତିଥିବା ବେଳେ ୫ଦିନର ଆୟ ଅନେକ ବଡ଼ ବଜେଟ ଫିଲ୍ମକୁ ପଛରେ ପକାଇଥିବା ଜଣାପଡ଼ିଛି।
ଫିଲ୍ମଟି ଏପର୍ଯ୍ୟନ୍ତ ୨୨୮.୪୮କୋଟି ଟଙ୍କା ଆୟ କରିଥିବା ବେଳେ ଏହି ଆୟ ସହିତ ଫିଲ୍ମ ‘ଫାଇଟର’ ପଛରେ ପଡିଛି। ୨୦୨୪ ମସିହାରେ ହିନ୍ଦୀ ବକ୍ସ ଅଫିସରେ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହେଉଛି ପ୍ରଭାସଙ୍କ ‘କଲକୀ ୨୮୯୮ଏଡି’ (ହିନ୍ଦୀ)। ଏହି ଚଳଚ୍ଚିତ୍ରଟି କେବଳ ହିନ୍ଦୀ ସଂସ୍କରଣରେ ମୋଟ ୨୯୩କୋଟି ଟଙ୍କା ସଂଗ୍ରହ କରିଥିଲା। ଏହା ପରେ ହ୍ରିତିକ ରୋଶନଙ୍କ ଫିଲ୍ମ ‘ଫାଇଟର୍’ ଥିଲା, ଯାହାର ମୋଟ ଆୟ ୨୧୨.୭୩ କୋଟି ଟଙ୍କା ଥିଲା। ହେଲେ ମାତ୍ର ୫ଦିନରେ ‘ସ୍ତ୍ରୀ-୨’ ୨୨୮.୪୮କୋଟି ଆୟ କରି ‘ଫାଇଟର୍’କୁ ପଛରେ ପକାଇବା ସହ ଚଳିତ ବର୍ଷର ଦ୍ୱିତୀୟ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ରରେ ପରିଣତ ହୋଇଛି। ଯେଉଁଭଳି ଭାବେ ଫିଲ୍ମକୁ ଦର୍ଶକଙ୍କ ଭଲପାଇବା ମିଳୁଛି, ଏହା କିଛି ଦିନ ମଧ୍ୟରେ ‘କଲକୀ ୨୮୯୮ଏଡି’ (ହିନ୍ଦୀ)ର ରେକର୍ଡ ବି ଭାଙ୍ଗିପାରେ ବୋଲି ଚର୍ଚ୍ଚା ହେଉଛି।