IBN ଓଡ଼ିଶା ବ୍ୟୁରୋ

ତିଷ୍ଠି ପାରିଲାନି ୪ର୍ଥ ବିବାହ, ସ୍ଵାମୀଙ୍କୁ ଛାଡପତ୍ର ଦେବେ ଜେନିଫର୍ ଲୋପେଜ୍

ମୁମ୍ଵାଇ ୨୧।୦୮: ହଲିଉଡ୍ର ପପ୍ ଗାୟକ ତଥା ଆମେରିକୀୟ ଅଭିନେତ୍ରୀ ଜେନିଫର୍ ଲୋପେଜ୍ । ବର୍ତ୍ତମାନ ତାଙ୍କ ସ୍ୱାମୀ ବେନ୍ ଆଫ୍ଲେକ୍ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆମେରିକାର ଗଣମାଧ୍ୟମ ଅନୁଯାୟୀ ଜେନିଫର ଅଗଷ୍ଟ ୨୦ରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ଦୁହେଁ ୨୦୨୨ ମସିହାରେ ଲାସ୍ ଭେଗାସ୍ ରେ ବିବାହ କରିଥିଲେ ।

ଉଭୟେ ହଲିଉଡର ପାୱାର୍ ଦମ୍ପତି ଭାବରେ ଜଣାଶୁଣା ।

 

୨୦୦୩ ମସିହାରେ ଉଭୟ ପ୍ରଥମ ଥର ପାଇଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରିଥିଲେ । ଫିଲ୍ମର ସୁଟିଂ ସମୟରେ ଦୁହେଁ ସାକ୍ଷାତ ହୋଇଥିଲେ, ସେମାନଙ୍କ ଯୋଡି ଏତେ ପସନ୍ଦ ହୋଇଥିଲା ଯେ ଲୋକମାନେ ସେମାନଙ୍କୁ ‘ବେନିଫର୍’ ନାମରେ ନାମିତ କରିଥିଲେ । ୫୫ ବର୍ଷିୟ ହଲିଉଡ ତାରକା ଜେନିଫରଙ୍କ ଏହା ଥିଲା ଚତୁର୍ଥ ବିବାହ। ସେ ୨୦୨୨ରେ ଓସ୍କାର ବିଜେତା ଚଳଚ୍ଚିତ୍ର ତାରକା ବେନ ଆଫ୍ଲେକଙ୍କୁ ବିବାହ କରିଥିଲେ। ଏହା ବେନର ଦ୍ୱିତୀୟ ବିବାହ ଥିଲା ।ଲୋକମାନେ ଏହି ଯୋଡିକୁ ବହୁତ ପସନ୍ଦ କରିଥିଲେ । କିଛି ଦିନର ଡେଟିଂ ପରେ ଦୁହେଁ ନିଜ ବିବାହ ବନ୍ଧନରେ ଆବଦ୍ଧ ଘୋଷଣା କରିଥିଲେ। ଏହି ଖବର ପରେ ସେମାନଙ୍କ ପ୍ରଶଂସକମାନେ ବହୁତ ଉତ୍ସାହିତ ଥିଲେ ।

ଦୁହେଁ ୨୦୨୩ ମସିହାରେ ଲସ୍ ଆଞ୍ଜେଲସରେ ୬୦ ମିଲିୟନ୍ ଡଲାର ମୂଲ୍ୟର ଏକ ଘର କିଣିଥିଲେ। ଚଳିତ ବର୍ଷ ଆରମ୍ଭରେ ଦୁହିଁଙ୍କ ମଧ୍ୟରେ ମତଭେଦ ଖବର ଆସିବାକୁ ଲାଗିଲା।ବର୍ତ୍ତମାନ ଉଭୟେ ପାରସ୍ପରିକ ବୁଝାମଣା ସହିତ ନିଜ ଘର ବିକ୍ରି କରିଛନ୍ତି। କୁହାଯାଇଛି ଯେ ଛାଡପତ୍ର କାଗଜପତ୍ରରେ ଉଭୟଙ୍କ ଅଲଗା ହେବାର ତାରିଖ ଏପ୍ରିଲ ୨୬, ୨୦୨୪ ଭାବରେ ଉଲ୍ଲେଖ କରାଯାଇଛି। ହେଲେ ଉଭୟ ଏପର୍ଯ୍ୟନ୍ତ ଏ ସମ୍ପର୍କରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button