ରାଜ୍ୟ

ରମ୍ଭା ମେଡିକାଲରେ ରୋଗୀଙ୍କ ଭିଡ଼, ଜଣେ ମାତ୍ର ଡାକ୍ତର

ଞ୍ଜାମ: ରମ୍ଭା ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉପରେ ସ୍ୱାସ୍ଥ୍ୟ ସେବା ପାଇଁ ଆଖପାଖ ଅଞ୍ଚଳର ଅଧିକାଂଶ ଲୋକେ ନିର୍ଭର କରୁଥିବାବେଳେ ଜଣେ ଡାକ୍ତର ଯୋଗୁଁ ବର୍ତ୍ତମାନ ସମସ୍ୟା ସୃଷ୍ଟି ହୋଇଛି। ଫଳରେ ଲୋକଙ୍କୁ ଧାଡ଼ିରେ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏହାକୁ ନେଇ ରୋଗୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ସୂଚନା ଯୋଗ୍ୟ ଯେ, ଏହି ମେଡିକାଲ ଉପରେ ୧୦ଟି ପଞ୍ଚାୟତ ଏବଂ ରମ୍ଭା ଏନଏସିର ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରନ୍ତି।

ଏଠାରେ ରହିଛନ୍ତି ଜଣେ ମାତ୍ର ବୟସ୍କ ଡାକ୍ତର। ଫଳରେ ରୋଗୀମାନେ ଦୀର୍ଘ ସମୟ ଧରି ଅପେକ୍ଷା କରନ୍ତି ତାଙ୍କୁ। ସପ୍ତାହେ ପୂର୍ବରୁ ଏହି ମେଡିକାଲରେ ଜଣେ ରହିଥିବା ଆୟୁଷ ଡାକ୍ତର ଅନ୍ୟତ୍ର ମେଡିକାଲକୁ ସ୍ଥାନାନ୍ତର ହେବାପରେ ସେହି ଘରେ ତାଲା ଝୁଲୁଛି। ହସ୍ପିଟାଲର ଶୌଚାଳୟ, ଲେବର ରୁମ୍ ଏବଂ ଡ୍ରେସିଂ ରୁମରେ ତାଲା ପଡ଼ିଥିବା ଦେଖିବାକୁ ମିଳିଛି।

ଗତ କିଛି ଦିନ ହେଲା ରୋଗୀମାନ ଧାଡ଼ିରେ ଘଣ୍ଟା ଘଣ୍ଟା ସମୟ ଠିଆ ହୋଇ ବିରକ୍ତି ହେଉଛନ୍ତି। ଜ୍ବର ହୋଇଥିବା ରୋଗୀ ଏବଂ ଛୁଆ ଧରିଥିବା ମହିଳା, ବୃଦ୍ଧ, ବୃଦ୍ଧା ଘଣ୍ଟା ଘଣ୍ଟା ସମୟ ଧାଡିରେ ଠିଆ ହେବା ବଡ଼ କଷ୍ଟ ଦାୟକ ହୋଇପଡିଛି। ଜଣେ ଡାକ୍ତର ଏତେ ସଂଖ୍ୟାରେ ରୋଗୀ ଦେଖିବା ମଧ୍ୟ ସମସ୍ୟା ସୃଷ୍ଟି କରୁଛି। ଡାକ୍ତର ବୟସ୍କ ହୋଇଥିବା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଠି୍କ ନ ଥିବା ଜଣାପଡୁଛି।

ସରକାରଙ୍କ ରୋଗୀକଲ୍ୟାଣ ଯୋଜନାରେ ଆସୁଥିବା ଅନେକ ପ୍ରକାର ମାଗଣା ଔଷଧ ଠିକ୍‌ରେ ଦିଆ ଯାଇପାରୁନି। ରୋଗୀକୁ ଡାକ୍ତର ଯେଉଁ ଔଷଧ ଲେଖୁଛନ୍ତି, ତାହା ଗଚ୍ଛିତ ନାହିଁ ବୋଲି କୁହାଯାଉଛି। ବର୍ତ୍ତମାନ ବର୍ଷା ଦିନ ଯୋଗୁଁ ଭାଇରାଲ ଜ୍ବର ସାଙ୍ଗକୁ ଝାଡାବାନ୍ତି ରୋଗୀ ଅଧିକ ଆସୁଛନ୍ତି। ମୁଖ୍ୟତଃ ରମ୍ଭା, ସାବୁଳିଆ, କନକା, ଡିମିରିଆ, ବାଣିଆ, ସାନ ରାମଚନ୍ଦ୍ରପୁର, ସୁବଳୟା, ପାଲଙ୍ଗ, ଝାରେଡି, ପାଲୁର ରାମଗଡ଼ ଭଳି ଅନେକ ଗ୍ରାମପଞ୍ଚାୟତର ଲୋକମାନେ ରମ୍ଭା ପ୍ରାଥମିକ ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି। ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ଡାକ୍ତର ବ୍ୟବସ୍ଥା କରାଇବା ପାଇଁ ସାଧାରଣରେ ଦାବି ହେଉଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button