ଏସିଆର ସବୁଠୁ ଧନୀ ଗାଁ ‘ମାଡଭାଗ୍’, ପରିବାର ପିଛା ଆୟ ୮୦ ଲକ୍ଷ.

ନୂଆଦିଲ୍ଲୀ: ସମସ୍ତେ ଜାଣିଛନ୍ତି ଧନୀ ଲୋକ ବିଶେଷ ଭାବେ ସହରରେ ରହୁଥାନ୍ତି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଭାରତରେ ଏମିତି ଏକ ଗାଁ ରହିଛି ଯାହାର ଲୋକମାନେ ବେଶ ଧନୀ। କେବଳ ଧନୀ ନୁହଁନ୍ତି ସେମାନଙ୍କର ଚାଲିଚଳଣି ଏବଂ ଜୀବନଶୈଳୀ ମଧ୍ୟ ବେଶ ଉନ୍ନତ। ଆମେ ଏଠାରେ ଦିଲ୍ଲୀଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଥିବା ‘ମାଡଭାଗ୍’ କଥା ହିଁ ଆଲୋଚନା କରୁଛେ।
‘ମାଡଭାଗ୍’ କେବଳ ଭାରତର ନୁହେଁ ଏସିଆର ସବୁଠାରୁ ଧନୀ ଗ୍ରାମ। ଏହାର ପ୍ରତ୍ୟେକ ପରିବାର କୋଟିପତି। ସେମାନଙ୍କ ମଧ୍ୟରୁ କେତେକଙ୍କ ବାର୍ଷିକ ଆୟ ୮୦ ଲକ୍ଷ ଟଙ୍କା ହେବ।
‘ମାଡଭାଗ୍ ଗାଁ’ର ଲୋକମାନେ ସାଧାରଣ ଚାଷୀଙ୍କ ପରି ସାଧାରଣ କିନ୍ତୁ ବେଶ ବିଳାସପୂର୍ଣ୍ଣ ଜୀବନ ବିତାଉଛନ୍ତି। ସେମାନଙ୍କର ମହଙ୍ଗା ଆଭୂଷଣ ଏବଂ ଲକ୍ଜ୍ୟୁରୀ ଗାଡ଼ିିକୁ ଦେଖିଲେ ଆପଣଙ୍କୁ ଜଣାପଡିଯିବ ଯେ ସେମାନେ କେତେ ଆଧୁନିକ। ଏହି ଗାଁକୁ ଗଲେ ଜଣକୁ ମେଟ୍ରୋ ସହରର ଅନୁଭବ ହେବ। ଗାଁର ଲୋକେ କୌଣସି ବଡ ବ୍ୟବସାୟ କିମ୍ବା ବାଣିଜ୍ୟ କରନ୍ତି ନାହିଁ, ବରଂ ଏଠାରେ ଥିବା ସମସ୍ତ ଲୋକ ସେଓ ଚାଷ କରିଥାନ୍ତି। ‘ମାଡଭାଗ୍’ ଗାଁରେ ୨୩୦ ପରିବାର ବାସ କରନ୍ତି। ସମସ୍ତେ ସେଓ ଚାଷ କରନ୍ତି। ଏହି ଗାଁର ଲୋକମାନେ ପୂର୍ବରୁ ଆଳୁ ଚାଷ କରୁଥିଲେ। ସେତେବେଳେ ଗାଁ ଟି ସେପରି ବିକଶିତ ହୋଇ ନ ଥିଲା | ୧୯୫୩-୫୪ ମସିହାରେ ଗାଁର ଚାୟାନ୍ ରାମ ମେହେଟ୍ଟା ସେଓ ଚାଷ ଆରମ୍ଭ କରିଥିଲେ। ଏହାପରେ ଅନ୍ୟମାନେ ତାଙ୍କ ରୋଜଗାରରେ ପ୍ରଭାବିତ ହୋଇ ସେଓ ଚାଷ ଆରମ୍ଭ କରିଥିଲେ। ଏହି କାରଣରୁ ଗାଁର ସମ୍ପୂର୍ଣ୍ଣ ଢ଼ାଞ୍ଚା ବଦଳିଗଲା। ଏହି ଗାଁରୁ ଏବେ ବର୍ଷକୁ ୧୭୫ କୋଟି ଟଙ୍କା ପର୍ଯ୍ୟନ୍ତ ସେଓ ବ୍ୟବସାୟ କରାଯାଉଛି। ଗୁଣବତ୍ତା ଦୃଷ୍ଟିରୁ ଏହି ଗାଁର ସେଓଗୁଡିକ ଜାମ୍ମୁର ସେଓ ତୁଳନାରେ ବେଶ ଉନ୍ନତମାନର, ଯେଉଁଥିପାଇଁ ତାହାର ଚାହିଦା ମଧ୍ୟ ବହୁତ ଅଧିକ। ଏଠାରେ ଥିବା ପରିବାରଗୁଡିକ ପ୍ରତିବର୍ଷ ସେଓ ବ୍ୟବସାୟରୁ ୩୦ ଲକ୍ଷରୁ ୮୦ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ଯେଉଁଥିପାଇଁ ଏଠାକାର କୃଷକମାନେ କୋଟିପତି ହୋଇପାରିଛନ୍ତି।



