ମନୋରଞ୍ଜନ

ରାଜନୀତିରେ ଥଲାପତି ବିଜୟ, ଉନ୍ମୋଚନ କଲେ ଦଳର ପତକା

ଭିନୟ ପରେ ଏବେ ରାଜନୀତିରେ ଏଣ୍ଟ୍ରି କରିଛନ୍ତି ତାମିଲ ମେଗାଷ୍ଟାର ଥଲାପତି ବିଜୟ। ପୂର୍ବରୁ ସେ ତାଙ୍କ ଦଳର ନାଁ ଘୋଷଣା କରିସାରିଥିବା ବଳେ ଆଜି ସେ ନିଜର ଦଳୀୟ ପତକାକୁ ଉନ୍ମୋଚନ କରିଛନ୍ତି।

ଚେନ୍ନାଇରେ ପାୟାନୁର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ନିଜର ଦଳ ‘ତାମିଝାଗା ଭେଟ୍ରିକାଝାଗାମ’ (ଟିଭିକେ)ର ପତକା ଓ ଚିହ୍ନ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ବିଜୟ କହିଛନ୍ତି ଯେ ‘ମୋ ଦଳ ସାମାଜିକ ନ୍ୟାୟର ପଥ ଅନୁସରଣ କରିବ।’

ତାଙ୍କ ଦଳର ପତକା ଉପର ଭାଗରେ ଲାଲ ଏବଂ ତଳ ଭାଗରେ ମାରୁନ ଓ ମଝିରେ ହଳଦିଆ ରଙ୍ଗ ରହିଛି। ଯେଉଁଥିରେ ଦୁଇଟି ହାତୀ ଏବଂ ମଝିରେ ଏକ ମୟୂର ଭଳି ଦେଖାଯାଉଥିବା ଫୁଲର ଚିତ୍ର ତିଆରି କରାଯାଇଛି, ଯାହା ବିଜୟର ପ୍ରତୀକ। ଦଳର ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଟିଭିକେ ତା’ର ପତକା ସହ ଏକ ଗୀତ ମଧ୍ୟ ଲଞ୍ଚ କରିଛି।

କହିରଖୁ ଯେ, ଏହାପୂର୍ବରୁ ଫେବ୍ରୁଆରୀରେ ବିଜୟ ତାଙ୍କର ନୂତନ ରାଜନୈତିକ ଦଳ ଟିଭିକେ ଗଠନ ପାଇଁ ଘୋଷଣା କରିଥିଲେ। ଏହି ଅବସରରେ ତାଙ୍କ ଦଳ ସ୍ୱଚ୍ଛ, ଜାତିମୁକ୍ତ ତଥା ଦୁର୍ନୀତିମୁକ୍ତ ପ୍ରଶାସନ ସହ ମୌଳିକ ରାଜନୈତିକ ପରିବର୍ତ୍ତନ ପ୍ରତି ପ୍ରତିବଦ୍ଧତା ଥିବା ପ୍ରକାଶ କରିଥିଲେ। କେବଳ ସେତିକି ନୁହେଁ ତାଙ୍କ ଦଳ ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନରେ ​​ଲଢ଼ିବେ ବୋଲି ମଧ୍ୟ ଘୋଷଣା କରିଥିଲେ।

 

 

 

ଏମ. ଜି ରାମଚନ୍ଦ୍ରନଙ୍କ ଠାରୁ ଜୟଲଳିତା ଏବଂ ଶିବାଜୀ ଗଣେଶଙ୍କ ଠାରୁ ରଜନୀକାନ୍ତ, କମଲ ହାସନ ଏବଂ ବିଜୟକାନ୍ତ ପର୍ଯ୍ୟନ୍ତ ଅନେକ ଭେଟେରାନ ଅଭିନେତା ରୂପେଲି ପରଦାରୁ ରାଜନୀତିରେ ଏଣ୍ଟ୍ରି କରିସାରିଛନ୍ତି। ବର୍ତ୍ତମାନ ଥଲାପତି ବିଜୟଙ୍କ ନାମ ମଧ୍ୟ ଏହି ତାଲିକାରେ ଯୋଡି ହୋଇଛି।

ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ବିଜୟଙ୍କ ରହିଛି ବେଶ୍ ଦବ୍ଦବା। ସେ ଇଣ୍ଡଷ୍ଟ୍ରିର ଟପ୍ ଅଭିନେତାଙ୍କ ମଧ୍ୟରୁ ଜଣେ। ବିଶେଷ କରି ଯୁବକ ଏବଂ ମହିଳାମାନଙ୍କ ମଧ୍ୟରେ ସେ ବହୁତ ଲୋକପ୍ରିୟ।

Related Articles

Leave a Reply

Your email address will not be published. Required fields are marked *

Back to top button