ଚନ୍ଦ୍ରଯାନ-୩କୁ ୧୦୦ କିମି କକ୍ଷପଥକୁ ଖସାଇବା ଏକ ଜଟିଳ ପର୍ଯ୍ୟାୟ: ଇସ୍ରୋ – Ibnodisha

[ad_1]

ବେଙ୍ଗାଲୁରୁ: ଭାରତର ତୃତୀୟ ଚନ୍ଦ୍ର ମିସନ – ଚନ୍ଦ୍ରଯାନ-୩ର ସ୍ବାସ୍ଥ୍ୟ ଠିକ୍ଠାକ୍ ଅଛି ଏବଂ ଏହାକୁ ଚନ୍ଦ୍ରର ଅଧିକ ନିକଟତର କରି ୧୦୦ କିମି ବୃତ୍ତାକାର କକ୍ଷପଥକୁ ଆଣିବା ଏକ ଜଟିଳ ପର୍ଯ୍ୟାୟ ବୋଲି ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଅଧ୍ୟକ୍ଷ ଏସ୍ ସୋମନାଥ ସୋମବାର କହିଛନ୍ତି।
ଲଞ୍ଚ ଭେହିକ୍ଲ ମାର୍କ-୩ ରକେଟ୍ରୁ ଜୁଲାଇ ୧୪ରେ ଉତ୍କ୍ଷେପିତ ଚନ୍ଦ୍ରଯାନ-୩ ବର୍ତ୍ତମାନ ଚନ୍ଦ୍ରଠାରୁ ୧୭୦ କିମି ଦୂରରେ ରହି ୪,୩୧୩ କିମି ଅଣ୍ଡାକାର କକ୍ଷପଥରେ ଚନ୍ଦ୍ରକୁ ପରିକ୍ରମଣ କରୁଛି।
ଅଗଷ୍ଟ ୯ ଓ ୧୭ରେ ଦୁଇଟି ମାନିଉଭର (କକ୍ଷପଥ ପରିବର୍ତ୍ତନ) ମାଧ୍ୟମରେ ଏହାକୁ ୧୦୦ କିମି ବୃତ୍ତାକାର କକ୍ଷପଥରେ ସ୍ଥାପନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଅଗଷ୍ଟ ୨୩ରେ ଚନ୍ଦ୍ରଯାନ-୩ରୁ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଅବତରଣ କରିବା ଆଶା କରାଯାଉଛି। ସୋମନାଥ କହିଛନ୍ତି, ୧୦୦ କିମି ଯାଏ କୌଣସି ସମସ୍ୟା ନାହିଁ। ପୃଥିବୀରେ ଥାଇ ଲ୍ୟାଣ୍ଡରର ପୋଜିସନ (ସ୍ଥିତି) ଆକଳନ କରିବା ହେଉଛି ଏକମାତ୍ର ସମସ୍ୟା। ଏହି ମାପଚୁପ କରିବା ଅତ୍ୟନ୍ତ ଜଟିଳ କାର୍ଯ୍ୟ। ଆମେ ଏହାକୁ କକ୍ଷପଥ ନିର୍ଣ୍ଣୟ ପ୍ରକ୍ରିୟା ବୋଲି କହୁଛୁ। ଯଦି ଏହା ଠିକ୍ ହୋଇପାରିଲା, ତେବେ ବାକି କାମ ହୋଇଯିବ ବୋଲି ସୋମନାଥ କହିଛନ୍ତି।
ଇସ୍ରୋ ଅଧ୍ୟକ୍ଷ କହିଛନ୍ତି, ଏଥର ଆମେ ଏହାକୁ ଠିକ୍ ଭାବରେ ତଳକୁ ଖସାଇବୁ। କକ୍ଷପଥ ପରିବର୍ତ୍ତନ ଯୋଜନା ଅନୁଯାୟୀ ହେଉଛି। ସେଥିରେ କୌଣସି ବ୍ୟତିକ୍ରମ ନାହିଁ। ତେଣୁ ଏହା ଉତ୍ତମ ଫଳ ପ୍ରଦର୍ଶନ କରୁଛି ଏବଂ ଆମେ ଆଶା କରୁଛୁ ଶେଷ ଯାଏ ସବୁ ଠିକ୍ ଚାଲିବ। ଆଂଶିକ ସଫଳ ହୋଇଥିବା ଚନ୍ଦ୍ରଯାନ-୨ରୁ ଯେଉଁ ଶିକ୍ଷା ମିଳିଛି, ତାହା ଏଠାରେ ଖୁବ୍ ଉପଯୋଗୀ ହେଉଛି ବୋଲି ସୋମନାଥ କହିଛନ୍ତି।
[ad_2]