ୟୁକ୍ରେନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଭାରତ ମାତା କି ଜୟ’ ଧ୍ବନିରେ ପ୍ରକମ୍ପିତ କିଭ୍ ମାଟି

ନୂଆଦିଲ୍ଲୀ: ଦୁଇଦିନିଆ ପୋଲାଣ୍ଡ ଗସ୍ତ ସାରି ଶୁକ୍ରବାର ସକାଳେ ୟୁକ୍ରେନର ସ୍ବତନ୍ତ୍ର ରେଳ ‘ରେଲଫୋର୍ସ ଓ୍ବାନ’ ଯୋଗେ ଯାଇ ୟୁକ୍ରେନର ରାଜଧାନୀ କିଭିରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୯୧ରେ ୟୁକ୍ରେନର ସ୍ୱାଧୀନତା ପରେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ତେବେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ନିମନ୍ତ୍ରଣ କ୍ରମେ ଦିନିକିଆ ୟୁକ୍ରେନ ଗସ୍ତରେ ଯାଇଛନ୍ତି ମୋଦି ।
ଏହି ଅବସରରେ ଋଷ-ୟୁକ୍ରେନ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିବା ନେଇ ଚର୍ଚ୍ଚା ।
ଯୁଦ୍ଧଗ୍ରସ୍ତ ୟୁକ୍ରେନର ସ୍ବାଧୀନତା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ୟୁକ୍ରେନ ମାଟିରେ ପାଦ ରଖିଛନ୍ତି ମୋଦି । ତାହାପୁଣି ଏକ ଘଡିସନ୍ଧି ମୁହୂର୍ତ୍ତରେ । ଯାହାକୁ ନେଇ ଅନେକ ରାଜନୈତିକ ମହଲରେ ଚର୍ଚ୍ଚା । ଆଜି ସକାଳ ପ୍ରାୟ ୭.୩୦ ରେ ମୋଦି କିଭରେ ପହଞ୍ଚିବା ପରେ ସେଠୁ ଏକ ହୋଟେଲକୁ ଯାଇଥିଲେ । ଯେଉଁଠି ତାଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ଦ୍ବାରା ଏକ ଭବ୍ୟ ସ୍ବାଗତ ମିଳିଥିଲା । ମୋଦି ମୋଦି ଓ ‘ଭାରତ ମାତା କି ଜୟ’ ଧ୍ବିନିରେ ପ୍ରକମ୍ପିତ ହୋଇଥିଲା କିଭ୍ ମାଟି । ଯାହାର କିଛି ହୃଦୟସ୍ପର୍ଶୀ ମୁହୂର୍ତ୍ତ ସେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି । କିଭରେ ପହଞ୍ଚିଲା ପରେ ପ୍ରଧାନମନ୍ତ୍ରୀ ମୋଦି କିଭ୍ ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ପଣ କରିଛନ୍ତି ।
ତେବେ କହିରଖୁଛୁ, ଗତ ମାସରେ ପ୍ରଧାନମନ୍ତ୍ରୀ ମୋଦି ମସ୍କୋ ଗସ୍ତ କରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମଧ୍ୟ ଭେଟିଥିଲେ। ଏହି ଅବସରରେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଯାହାକୁ ନେଇ ଆମେରିକା ସମେତ କିଛି ପାଶ୍ଚାତ୍ୟ ଦେଶ ଭାରତକୁ ସମାଲୋଚନା ମଧ୍ୟ କରିଥିଲେ। ଏହାପରେ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ ଓ ୟୁକ୍ରେନର ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କ ନିମନ୍ତ୍ରଣ ରକ୍ଷା କରି ପ୍ରଧାନମନ୍ତ୍ରୀ ମୋଦି ଏହି ଦୁଇ ଦେଶକୁ ମଧ୍ୟ ଗସ୍ତ କରିଛନ୍ତି।
ପ୍ରଧାନମନ୍ତ୍ରୀ ଗତକାଲି ଦୁଇଦିନିଆ ପୋଲାଣ୍ଡ ଗସ୍ତ ଶେଷ କରି ଆଜି ୟୁକ୍ରେନରେ ପହଞ୍ଚିଛନ୍ତି। ଏହାପରେ ତାଙ୍କ ନିର୍ଦ୍ଧାରିତ ସମୟ ଅନୁଯାୟୀ ସେ ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡିମିର ଜେଲେନସ୍କିଙ୍କୁ ଭେଟିବେ । ଯାହକୁ ନେଇ ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ କହିଛନ୍ତି, ରୁଷ-ୟୁକ୍ରେନ ଯୁଦ୍ଧର ସମାଧାନ ପାଇଁ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ତଥା ଗଠନମୂଳକ ଭୂମିକା ଗ୍ରହଣ କରିପାରିବ ।




