ଦେଶ

ମଣିପୁର ଜାତିଗତ ହିଂସା; ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ୩ ଜଣିଆ କମିଟି ଗଠିତ – Ibnodisha

[ad_1]

ନୂଆଦିଲ୍ଲୀ: ମଣିପୁରରେ ଉପୁଜିଥିବା ଜାତିଗତ ହିଂସା ମାମଲାରେ ତଦନ୍ତକୁ ଛାଡି ଅନ୍ୟ ମାନବିକ ପ୍ରସଙ୍ଗ ସମ୍ପର୍କରେ ଅନୁଧ୍ୟାନ କରିବାକୁ ସୁପ୍ରିମକୋର୍ଟଙ୍କ ତରଫରୁ ସୋମବାର ଏକ ତିନିଜଣିଆ କମିଟି ଗଠନ କରାଯାଇଛି । ଜମ୍ମୁ-କଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ କମିଟି ଅଧ୍ୟକ୍ଷା ନିଯୁକ୍ତ ହୋଇଥିବାବେଳେ ଅବସରପ୍ରାପ୍ତ ହାଇକୋର୍ଟ ବିଚାରପତି ଜଷ୍ଟିସ ଶାଳିନୀ ଜୋଷୀ (ବମ୍ବେ ହାଇକୋର୍ଟର ପୂର୍ବତନ ବିଚାରପତି) ଓ ଜଷ୍ଟିସ ଆଶା ମେନନ୍ (ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି) ସଦସ୍ୟ ଦାୟିତ୍ୱ ତୁଲାଇବେ ।

ହିଂସା ସମ୍ପର୍କିତ ତଦନ୍ତକୁ ବାଦଦେଇ କମିଟି ଥଇଥାନ, କ୍ଷତିପୂରଣ ଆଦି ପ୍ରସଙ୍ଗକୁ ଅନୁଧ୍ୟାନ କରିବେ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି । ଏହାଦ୍ୱାରା ନ୍ୟାୟିକ ବ୍ୟବସ୍ଥା ଉପରେ ମଣିପୁରବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବ ବୋଲି ଖଣ୍ଡପୀଠ ଆଶାବ୍ୟକ୍ତ କରିଛନ୍ତି । ଏହାବ୍ୟତୀତ ତଦନ୍ତ ପ୍ରକ୍ରିୟାକୁ ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବାକୁ ସୁପ୍ରିମକୋର୍ଟ ପକ୍ଷରୁ ପୂର୍ବତନ ଆଇପିଏସ ଅଫିସର ଦତ୍ତା ପଦ୍‌ସାଲ୍‌ଗିକରଙ୍କୁ ନିଯୁକ୍ତ କରାଯାଇଛି ।

ପୁନଶ୍ଚ ମଣିପୁର ହିଂସା ସମ୍ପର୍କିତ ୧୨ଟି ମାମଲା ସିବିଆଇ ତଦନ୍ତ କରୁଥିବାବେଳେ ଏହାକୁ ତଦାରଖ କରିବାକୁ ବାହାର ରାଜ୍ୟର ୫ ଜଣ ପୁଲିସ ଅଧିକାରୀ (ଡିଏସ୍‌ପି ର‌୍ୟାଙ୍କ କିମ୍ବା ତଦୁର୍ଦ୍ଧ୍ୱ)ଙ୍କୁ ନିଯୁକ୍ତ କରିବାକୁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି । ଏହାବ୍ୟତୀତ ମଣିପୁର ସରକାରଙ୍କ ଦ୍ୱାରା ଯେଉଁ ୪୨ ଏସ୍‌ଆଇଟି (ସ୍ପେଶାଲ ଇନ୍‌ଭେଷ୍ଟିଗେସନ ଟିମ୍‌) ଗଠନ କରାଯାଇଛି, ତାହାର କାର୍ଯ୍ୟ ତଦାରଖ କରିବାକୁ ଅନ୍ୟ ରାଜ୍ୟର ୬ ଜଣ ବରିଷ୍ଠ ପୁଲିସ ଅଫିସର (ଡିଆଇଜି ର‌୍ୟାଙ୍କ୍‌)ଙ୍କୁ ନିୟୋଜିତ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି ।

ପ୍ରତ୍ୟେକ ଏସ୍‌ଆଇଟିରେ ଅନ୍ୟ ରାଜ୍ୟରେ ଅତିକମରେ ଜଣେ ଇନ୍‌ସପେକ୍ଟରଙ୍କୁ ସାମିଲ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମଣିପୁରରୁ ତଦନ୍ତ ପ୍ରକ୍ରିୟାକୁ ଅନ୍ୟତ୍ର ସ୍ଥାନାନ୍ତର ପ୍ରସଙ୍ଗରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଏଭଳି ସ୍ଥିତି ଆସିନଥିବାରୁ ସ୍ଥାନାନ୍ତର ପ୍ରଶ୍ନ ଉଠୁନାହିଁ । ତଦନ୍ତ ପ୍ରକ୍ରିୟା ଏବେ ଜାରି ରହିଛି ଏବଂ କମିଟି ରିପୋର୍ଟ ହସ୍ତଗତ ହେବାପରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇପାରେ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଅପରପକ୍ଷରେ ଆଟର୍ଣ୍ଣି ଜେନେରାଲଙ୍କ ପକ୍ଷରୁ ତଦନ୍ତ ପ୍ରକ୍ରିୟା ସମ୍ପର୍କିତ ଏକ ବିସ୍ତୁତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି ।

ସୂଚନାଯୋଗ୍ୟ ଅଗଷ୍ଟ ୧ରେ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ମଣିପୁର ସରକାରଙ୍କ ଉପରେ ବର୍ଷିଥିବାବେଳେ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡି ପଡିଥିବା କହିଥିଲେ । ଏଥିସହିତ ବିଚାରାଧୀନ ଥିବା ମାମଲା ସଂକ୍ରାନ୍ତରେ ଆଟର୍ଣ୍ଣି ଜେନେରାଲଙ୍କୁ ବିସ୍ତୃତ ରିପୋର୍ଟ ମଧ୍ୟ ମାଗିଥିଲେ । କେନ୍ଦ୍ର ସରକାର ଆହୁରି ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ ମହିଳା ବିରୋଧରେ ଘଟିଥିବା ୧୧ଟି ହିଂସା ଘଟଣା ସିବିଆଇ ତଦନ୍ତ କରୁଥିବାବେଳେ ଏହାକୁ ଜିଲ୍ଲାସ୍ତରୀୟ ଏସ୍‌ଆଇଟି ତଦାରଖ କରିବ ଏବଂ ଏହି ଦାୟିତ୍ୱ ଜଣେ ମହିଳା ଆଇପିଏସ୍ (ଏସ୍‌ପି ର‌୍ୟାଙ୍କ)ଙ୍କ ଉପରେ ନ୍ୟସ୍ତ କରାଯିବ ।

କେନ୍ଦ୍ର ଓ ରାଜ୍ୟ ସରକାର ହିଂସା ପ୍ରସଙ୍ଗକୁ ଅତି ବୁଦ୍ଧିମତାର ସହ ମୁକାବିଲା କରୁଛନ୍ତି ବୋଲି ଆଟର୍ଣ୍ଣି ଜେନେରାଲ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି । ତେବେ ବିରୋଧୀ ପକ୍ଷ ତରଫରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହ କହିଛନ୍ତି ଯେ ସମସ୍ତ ଉଦ୍ୟମ ସତ୍ତ୍ୱେ ମଣିପୁରରେ ହିଂସା ଅବ୍ୟାହତ ରହିଛି । ଏହି ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗକୁ ଦୁଇଟି ଭାଗରେ ବିଭକ୍ତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ପ୍ରଥମଟି ହେଉଛି ତଦନ୍ତ ପ୍ରକ୍ରିୟା ଏବଂ ଦ୍ୱିତୀୟଟି ହେଉଛି ହିଂସା ରୋକିବା ।

ଶୁଣାଣି ସମୟରେ ବିପକ୍ଷ ଓକିଲ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଛନ୍ତି । ସରକାରଙ୍କୁ ସୁହାଇଲା ଭଳି ପୁଲିସ ଅଧିକାରୀଙ୍କୁ ଏସ୍‌ଆଇଟିରେ ସାମିଲ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି । ମଣିପୁର ହିଂସାକୁ ନେଇ ପ୍ରାୟ ୧୦ଟି ପିଟିସନ ସୁପ୍ରିମକୋର୍ଟରେ ଦାଏର କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button