ରାଜ୍ୟ

ଶ୍ରୀମନ୍ଦିର କାର୍ଯ୍ୟରୁ ହଟିଲେ ୩୨ କର୍ମଚାରୀ, ଅବସର ପରେ ଥଇଥାନ ହୋଇଥିବା ଅଧିକାରୀ ବିଦା

ପୁରୀ,୦୧/୦୯: ଚାକିରିରୁ ଅବସରପରେ ପୁରୀ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଦୀର୍ଘ ବର୍ଷ ହେବ ଥଇଥାନ ହୋଇଥିବା ୨ ଅଧିକାରୀଙ୍କ ସମେତ ୩୨ ଜଣ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ସେମାନଙ୍କ ଭିତରେ ବଡ଼ ଦାୟିତ୍ୱରେ ଥିବା ଓଏସ୍ଡି(ଉନ୍ନୟନ) ଦାୟିତ୍ୱରେ ଥିବା ଅଜୟ କୁମାର ଜେନା ଓ ଲ୍ୟାଣ୍ଡ ଅଫିସର ଲକ୍ଷ୍ମଣ ସ୍ୱାଇଁ ରହିଛନ୍ତି ।

ସେହିପରି ୮ ଜଣ ସମନ୍ୱୟ ଅଧିକାରୀ, ୯ ଜଣ ଅମିନ, ୨ ଜଣ ରାଜଭାଗ ସଂଗ୍ରହ କରୁଥିବା କର୍ମଚାରୀ, ଜଣେ ନାୟବ ତହସିଲଦାର,ଜଣେ ପିଅନ, ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜଣେ ଓଏସ୍ଡି ଏଥିରେ ମଧ୍ୟ ଅଛନ୍ତି । ଆଉ ସେମାନଙ୍କ ଆବଶ୍ୟକତା ନଥିବା ଚିଠିରେ ଦର୍ଶାଯାଇ ବିଦା କରାଯାଇଛି ।ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରାୟ ୫୧ ଜଣ ଅବସରପ୍ରାପ୍ତ କର୍ମଚାରୀ ରହିଥିବା ବେଳେ ଅଧିକାଂଶଙ୍କ ବୟସ ୬୫ ବର୍ଷରୁ ଅଧିକ । ସେମାନଙ୍କ ଭିତରୁ ୩୨ ଜଣଙ୍କୁ ବିଦା କରାଯାଇଛି ।

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଖାଲି ପଡ଼ିଥିବା ପଦବିକୁ ପୂରଣ ନକରି ବିଭାଗୀୟ କିଛି ଅଧିକାରୀମାନେ ନେତା ଓ ପରିଚାଳନା କମିଟିର କିଛି ସଦସ୍ୟଙ୍କ ସହ ଅସାଧୁମେଣ୍ଟ କରି ବର୍ଷ ବର୍ଷ ଧରି ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଏଠାରେ ପୁନଃନିଯୁକ୍ତି ଦେଇଆସୁଥିଲେ । ଗତ ସରକାର ସମୟରେ ପୁନଃନିଯୁକ୍ତ ଦିଆଯାଇଥିଲା । ବିଜେପି ରାଜ୍ୟରେ ନୂଆ ସରକାର କରିବା ପରେ ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛି । ଅବସରର ଅଧିକତମ ୬୫ ବର୍ଷ ବୟସ ପରେ କୌଣସି କର୍ମଚାରୀ ବା ଅଧିକାରୀ ସରକାରୀ ଚାକିରିରେ ରହିପାରିବେ ନାହିଁ । ମାତ୍ର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହାକୁ ପାଳନ କରାଯାଉନଥିଲା ।

ଲକ୍ଷ୍ମଣ କୁମାର ସ୍ୱାଇଁଙ୍କ ବୟସ ୬୫ ବର୍ଷରୁ ଅଧିକ ହୋଇଥିବା ସହ ତାଙ୍କ ନାମରେ ଭିଜିଲାନ୍ସ ଓ ଲୋକପାଳରେ କେଶ ଥିଲେ ହେଁ ତାଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଥଇଥାନ କରାଯାଇଥିଲା । ଏନେଇ କିଛି ସେବାୟତ ଆଇନ ବିଭାଗ ନିକଟରେ ଅଭିଯୋଗ କରିଥିଲେ । ଯାହାର ତଦନ୍ତ କରି ଆଇନ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡ଼ିଛି । ସେପଟେ ଖାଲିପଡ଼ିଥିବା ଜେଟିପି ଓ ଅନ୍ୟ ପଦବି ପୂରଣ ନିମନ୍ତେ ସରକାରୀ ଏଜେନ୍ସିର ସହାୟତା ନିଆଯିବ ବୋଲି ନୂଆ ଶ୍ରୀମନ୍ଦିର ମୁଖ୍ୟପ୍ରଶାସକ ଗଣମାଧ୍ୟମକୁ କହିସାରିଥିବାରୁ ଏହା କେବେ କାର୍ଯ୍ୟକାରୀ ହେଉଛି ଦେଖିବାର କଥା

Related Articles

Leave a Reply

Your email address will not be published. Required fields are marked *

Back to top button