ମହିଳା କୁସ୍ତିଯୋଦ୍ଧା ବବିତା ଫୋଗାଟଙ୍କ ଟିକେଟ୍ କାହିଁକି କାଟିଲା ବିଜେପି, ଆନ୍ଦୋଳନର ଭୟ କି?: ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ତାଲିକା ପ୍ରକାଶ କରିଛି। ପ୍ରଥମ ତାଲିକାରେ ୬୭ ଜଣ ପ୍ରାର୍ଥୀଙ୍କ ନାମ ଅଛି। ଏଥର ବିଜେପି କୁସ୍ତି ଯୋଦ୍ଧା ବବିତା ଫୋଗାଟଙ୍କ ଟିକେଟ୍ ବାତିଲ କରି ଚରଖି-ଦାଦ୍ରି ଆସନରୁ ସୁନୀଲ ସାଙ୍ଗୱାନଙ୍କୁ ଟିକେଟ ଦେଇଛି। ସୁନୀଲ ସାଙ୍ଗୱାନ ମାତ୍ର ତିନି ଦିନ ପୂର୍ବରୁ ଜେଲ ଅଧୀକ୍ଷକ ପଦରୁ ସ୍ଵେଚ୍ଛାକୃତ ଅବସର ନେଇଥିଲେ।
ବିଜେପି ପ୍ରାର୍ଥୀଙ୍କ ତାଲିକା ବାହାରିବା ପରେ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ, ମହିଳା କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ସମୟରେ ବବିତା ଫୋଗାଟ ଖୋଲାଖୋଲି ଭାବେ ବିଜେପି ଏବଂ ସରକାରଙ୍କୁ ସମର୍ଥନ କରିଥିଲେ। ଏଭଳି ପରିସ୍ଥିତିରେ ଯଦି ଚରଖି-ଦାଦ୍ରିରୁ ବବିତା ଫୋଗାଟ ପ୍ରତିଦ୍ୱନ୍ଦ୍ୱିତା କରନ୍ତି, ତେବେ ଜିତିବା ସମ୍ଭବ ନୁହେଁ ବୋଲି ବିଜେପି ଅନୁଭବ କରୁଛି। ସେଥିପାଇଁ ବିଜେପି ସୁନୀଲ ସାଙ୍ଗୱାନଙ୍କୁ ସୁଯୋଗ ଦେଇଛି।
ପ୍ରାର୍ଥୀଙ୍କ ତାଲିକା ବାହାରିବା ପୂର୍ବରୁ ବବିତା ଫୋଗାଟ ଚରଖି-ଦାଦ୍ରି ଆସନରେ ନିଜର ରାଜନୈତିକ ଅଭିଯାନକୁ ଜୋରଦାର କରିଥିଲେ ଏବଂ ଏହି ଅଞ୍ଚଳରେ ନିରନ୍ତର ସକ୍ରିୟ ଥିଲେ। ଏଭଳି ପରିସ୍ଥିତିରେ ଲାଗୁଥିଲା ଯେ, ସେ ପୁଣି ଥରେ ଟିକେଟ ପାଇଁ ଆଶାରେ ଥିଲେ, କିନ୍ତୁ ସୁନୀଲ ସାଙ୍ଗୱାନଙ୍କ ପ୍ରବେଶ ସହିତ ତାଙ୍କର ରାଜନୈତିକ ଖେଳ ବିଗିଡି ଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ସୁନୀଲ ସାଙ୍ଗୱାନଙ୍କ ପିତା ସତ୍ୟପାଲ ସାଙ୍ଗୱାନ ହରିୟାଣାରେ କ୍ୟାବିନେଟ ମନ୍ତ୍ରୀ ରହିଥିଲେ। ସେ ଦାଦ୍ରି ରୁ ୬ ଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ପ୍ରାୟ ୨୮ ବର୍ଷର ରାଜନୀତିରେ ସାଙ୍ଗୱାନ୍ କ୍ରମାଗତ ୬ ଟି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଦୁଇଥର ଜିତିଥିଲେ ଏବଂ ମନ୍ତ୍ରୀ ମଧ୍ୟ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବଂଶୀଲାଲ ତାଙ୍କୁ ରାଜନୀତିକୁ ଆଣିଥିଲେ।
ବର୍ତ୍ତମାନ ଗତ ରବିବାର ଦିନ ସୁନୀଲ ସାଙ୍ଗୱାନ୍ ଜେଲ୍ ଅଧୀକ୍ଷକ ପଦରୁ ସ୍ଵେଚ୍ଛାକୃତ ଅବସର ନେବାକୁ ସରକାରଙ୍କୁ ଏକ ଚିଠି ଲେଖିଥିଲେ ଏବଂ ତତକ୍ଷଣାତ୍ ସରକାର ତାଙ୍କୁ ଅବସର ଦେଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ବଳାତ୍କାର ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ମୁଖ୍ୟ ରାମ ରହୀମଙ୍କୁ ସୁନୀଲ ସାଙ୍ଗୱାନ ପାରୋଲ ଏବଂ ଫରୋଲ ଦେଇଥିଲେ।
ପ୍ରକାଶ ଯେ, ୨୦୧୯ ନିର୍ବାଚନରେ ରେସଲର ବବିତା ଫୋଗେଟ୍ ବିଜେପି ଟିକେଟରେ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରେ ସେ ଚରଖି-ଦାଦ୍ରି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଜିତିପାରିନଥିଲେ। ସୋମବୀର ସାଙ୍ଗୱାନ୍ ୨୦୧୯ ରେ ଏହି ଆସନରୁ ସ୍ଵାଧୀନ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
ଜେଜେପି ଟିକେଟ୍ ରେ ଲଢିଥିବା ସତ୍ୟପାଲ ସାଙ୍ଗୱାନ୍ ୨୯୫୭୭ ଭୋଟ୍ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ। ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବବିତା ଫୋଗାଟ ୨୪ ହଜାର ୭୮୬ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।