କଠୋର ହେଲା ବିଏମ୍ସି: ପାଣି ଜମୁଥିଲେ ଜରିମାନା – Ibnodisha
[ad_1]
ବୁଦା ନ କାଟିଲେ ଠିକା ସଂସ୍ଥାଙ୍କୁ ଅର୍ଥଦଣ୍ଡ, ମଶାବଂଶ ବୃଦ୍ଧି ପାଇଁ ୧ହଜାର ତଣ୍ଡ
ଭୁବନେଶ୍ୱର: ଡେଙ୍ଗୁ ରୋକିବାକୁ ବିଏମ୍ସି ସ୍ବାଧୀନତା ଦିବସ ପରଠୁ ନୂଆ ପଦକ୍ଷେପ ନେବାକୁ ଯାଉଛି। ମଶା ବଂଶ ବୃଦ୍ଧି ପାଇଁ ସୁଯୋଗ ସୃଷ୍ଟି କରିଥିଲେ ବା ଘରେ କିମ୍ବା ଘର ଆଖପାଖରେ କୌଣସି ଜାଗାରେ ଦୀର୍ଘ ଦିନ ଧରି ପାଣି ଜମି ରହୁଥିବା ଦେଖିବାକୁ ମିଳିଲେ, ବିଏମ୍ସି ସାଧାରଣ ଲୋକଙ୍କଠାରୁ ୧ ହଜାର ଟଙ୍କା ଜରିମାନା ଆଦାୟ କରିବ। ବ୍ୟାବସାୟିକ ପ୍ରତିଷ୍ଠାନରୁ ୫ ହଜାର ଟଙ୍କା ଜରିମାନା ଆଦାୟ ହେବ। ବିଏମ୍ସିର ପରିମଳ ଟିମ୍ ଘରଘର ବୁଲି ଏହା ଯାଞ୍ଚ କରିବେ। ଯେଉଁଠି ଯାଞ୍ଚ କର୍ମଚାରୀଙ୍କୁ ମଶା ବଂଶ ବୃଦ୍ଧି ପାଇବା ଆଶଙ୍କା ଦେଖାଯିବ, ସଙ୍ଗେସଙ୍ଗେ ସମ୍ପୃକ୍ତ ଘର ମାଲିକଙ୍କୁ ଜରିମାନା ହେବ। ଏହି କାର୍ଯ୍ୟାନୁଷ୍ଠାନ ଆସନ୍ତା ୧୫ ତାରିଖଠାରୁ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି କମିସନର ବିଜୟ ଅମୃତା କୁଲାଙ୍ଗେ।
ସେ କହିଛନ୍ତି, ଡେଙ୍ଗୁ ମୁକାବିଲା ପାଇଁ ବିଏମ୍ସି ଯତ୍ପରୋନାସ୍ତି ଉଦ୍ୟମ କରୁଛି। ପ୍ରତ୍ୟେକ ୱାର୍ଡରେ ମଶା ଧୂଆଁ ଓ ମଶାତେଲ ପକାଯାଉଛି। ୧୫ଟି ମେସିନ୍ ମଶା ଧୂଆଁ ଦିଆ କାମରେ ଲାଗିଛି। ଡାକ୍ତରୀ ଟିମ୍ ଘରଘର ବୁଲି ସଚେତନ କରାଉଛନ୍ତି। ମଶା ଲାର୍ଭା ନଷ୍ଟ କରାଯାଉଛି। ତେବେ ଏଥିରେ ଜନସାଧାରଣଙ୍କର ବଡ଼ ଭୂମିକା ରହିଛି। ପ୍ରତ୍ୟେକ ଘରେ କିମ୍ବା ବାଡ଼ିରେ କେଉଁଠି ଛୋଟଛୋଟ ଜାଗାରେ ପାଣି ଜମି ଡେଙ୍ଗୁ ମଶା ବଂଶ ବଢ଼ୁଛି, ଜାଣିବା ସମ୍ଭବ ହେଉନାହିଁ। ଏଣୁ ପ୍ରତ୍ୟେକ ନିଜନିଜ ଘର ଓ ବାଡ଼ି ପରିଷ୍କାର ରଖିବାକୁ ହେବ। ଏଣୁ ବିଏମ୍ସି ଏଭଳି ଏକ କଡ଼ା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛି। ଜନସାଧାରଣ ଏଥିରେ ସହଯୋଗ କରି ଜରିମାନାରୁ ଦୂରେଇ ରୁହନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି। ଲୋକମାନେ ଏହାକୁ ଗୁରୁତ୍ବର ସହ ନେଲେ, ବିଏମ୍ସିର ଡେଙ୍ଗୁ ମୁକାବିଲା ସଫଳ ହେବ ବୋଲି ସେ ଆଶା କରିଛନ୍ତି।
ଅନ୍ୟପଟେ ରାସ୍ତାକଡ଼ରେ ଥିବା ବୁଦାସବୁକୁ କାଟିବା ପାଇଁ କଡ଼ାକଡ଼ି କରାଯାଇଛି। ସଫେଇ ଦାୟିତ୍ବରେ ଥିବା ଠିକା ସଂସ୍ଥାମାନେ ବଣ ବୁଦା କାଟି ସଫା କରୁନାହାନ୍ତି। ଏଣିକି ଘାସ ଓ ଅନାବନା ଗଛ କାଟିବା ପାଇଁ ସଫେଇ ସଂସ୍ଥାଙ୍କୁ ନିର୍ଦେଶ ଦିଆଯାଇଛି। କାରଣ ଏହି କାମ କରିବା ପାଇଁ ସେମାନଙ୍କର ଚୁକ୍ତିନାମାରେ ରହିଛି। ଏଣୁ ଯଦି ଠିକାସଂସ୍ଥା ବଣବୁଦା ସଫା କରୁନାହାନ୍ତି, ବିଏମ୍ସି ଏସବୁ ସଫା କରିବା ସହ ହିସାବ ରଖିବ। ମାସ ଶେଷରେ ଠିକା ସଂସ୍ଥାଙ୍କୁ ମିଳିବାକୁ ଥିବା ପ୍ରାପ୍ୟକୁ ବିଏମ୍ସି ଖର୍ଚ୍ଚ କରିଥିବା ହିସାବରେ କାଟିଦିଆଯିବ। ତେଣୁ ଏଣିକି ଠିକା ସଂସ୍ଥା ଏହାକୁ ଗୁରୁତ୍ବର ସହ ନେଇ କାମ କରିବେ ବୋଲି କମିସନର ଶ୍ରୀ କୁଲାଙ୍ଗେ କହିଛନ୍ତି।
ଆଜି ଏହି ପରିମଳ ଓ ଡେଙ୍ଗୁ ସ୍ଥିତିର ସମୀକ୍ଷା କରିବା ବେଳେ ଏହି ସବୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାସ୍ତା କଡ଼ରେ ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟ, ସବୁଜ ବର୍ଜ୍ୟ ସଫେଇ ହେବା ସହିତ ରାସ୍ତାରେ ଘାସ, ଅବରୋଧ କଲା ଭଳି ଖୁଣ୍ଟ ଓ ମାଟି ଯେଭଳି ପଡ଼ି ନ ରୁହେ, ସେଥିପାଇଁ ବ୍ୟବସ୍ଥା କରିବାକୁ କୁହାଯାଇଛି। ଫିଲ୍ଡ କର୍ମଚାରୀମାନେ ନିଜ ଅଂଚଳର ବର୍ଜ୍ୟ, ସମ୍ବେଦନଶୀଳ ସ୍ଥାନର ନିୟମିତ ପରିଦର୍ଶନ କରି ବିବରଣୀ ଦେବା ସହ ସହରର କୌଣସି ରାସ୍ତାରେ ଯେପରି ବର୍ଜ୍ୟ ଜମାହୋଇ ନରୁହେ, ନିଶ୍ଚିତ କରିବାକୁ କୁହାଯାଇଛି। ସାନିଟାରି ଇନ୍ସପେକ୍ଟର ନିଜ ଅଞ୍ଚଳରେ ଷ୍ଟ୍ରିଟ୍ ଲାଇଟ୍ର ସ୍ଥିତି ଦେଖି ବିବରଣୀ ଦେବେ। ଖାଦ୍ୟ ଯାଞ୍ଚକୁ ମଧ୍ୟ ଅଧିକ କଡ଼ାକଡ଼ି କରି ଅପମିଶ୍ରଣ ରୋକିବାକୁ କୁହାଯାଇଛି। ସ୍ୱଚ୍ଛ ସର୍ବେକ୍ଷଣ-୨୦୨୩ର ସିଟିଜେନ୍ ଫିଡ୍ ବ୍ୟାକ୍ରେ ଅଂଶ ଗ୍ରହଣ କରି ଭୁବନେଶ୍ୱରର ସ୍ଥିତିକୁ ଦୃଢ କରିବା ପାଇଁ ନାଗରିକଙ୍କୁ ଅନୁରୋଧ କରିଛନ୍ତି କମିସନର। ଏହି ବୈଠକରେ କମିସନରଙ୍କ ସହିତ ଅତିରିକ୍ତ କମିସନର ଲକ୍ଷ୍ମୀକାନ୍ତ ସେଠୀ, ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୁର ବିକାଶ, ଡେପୁଟି କମିସନର ମନୋରଂଜନ ସାହୁ, ଜେଡ୍ଡିସି ଓ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ।
ଭଙ୍ଗାଦଦରା ଗାଡ଼ି ପଡ଼ିଥିଲେ ୫ ହଜାର ତଣ୍ଡ
ରାସ୍ତାକଡ଼ରେ, ଘର ସାମ୍ନାରେ ବର୍ଷବର୍ଷ ଧରି ଭଙ୍ଗାଦଦରା ଗାଡ଼ି ପଡ଼ିରହୁଛି। କିଛି ଗ୍ୟାରେଜ୍ ମାଲିକ ମଧ୍ୟ ରାସ୍ତା କଡ଼ରେ ଫିଙ୍ଗି ଦେଉଛନ୍ତି। ଏହା ଟ୍ରାଫିକ୍ ଭିଡ଼ ସୃଷ୍ଟି କରୁଛି ଏବଂ ଏହା ଭିତରେ ଜମୁଥିବା ପାଣିରେ ଡେଙ୍ଗୁ ମଶା ଜନ୍ମ ନେଉଛନ୍ତି। ଏଣିକି ଏସବୁକୁ ଉଠାଇ ନ ନେଲେ ବିଏମ୍ସି ୫ ହଜାର ଟଙ୍କା ଜରିମାନା ଧାର୍ଯ୍ୟ କରିବ ବୋଲି ଆଜି ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୧୫ ତାରିଖ ଠାରୁ ଏହା ଲାଗୁ ହେବ। ଏଣୁ ତା’ ପୂର୍ବରୁ ଗାଡ଼ିଗୁଡ଼ିକୁ ଉଠାଇ ନେବାକୁ କମିସନର ବିଜୟ ଅମୃତା କୁଲାଙ୍ଗେ ଅନୁରୋଧ କରିଛନ୍ତି। ଏଭଳି ଗାଡ଼ିଗୁଡ଼ିକୁ ଉଠାଇ ନେବା ପାଇଁ ବିଏମ୍ସି ଚଳିତ ବର୍ଷ ଜାନୁଆରିରେ ବିଜ୍ଞପ୍ତି ଜାରି କରିଥିଲା। ଟ୍ରାଫିକ୍ ଅଡ଼ୁଆ ଓ ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ଦର୍ଶାଇ ବିଏମ୍ସି ଏସବୁକୁ ଉଠାଇ ନେବାକୁ କହିଥିଲା। ୫ଟି ଟିମ୍ ଗଠନ କରି ବିଏମ୍ସି ପ୍ରାୟ ୧୦୦୦ ଗାଡ଼ିରେ ନୋଟିସ୍ ଲଗାଇଥିଲା। କିନ୍ତୁ ଗୋଟିଏ ହେଲେ ଗାଡ଼ି ଉଠାଇ ପାରିନଥିଲା। ଏତେ ଭଙ୍ଗାଦଦରା ଗାଡ଼ିକୁ ରଖିବାକୁ ସ୍ଥାନ ଖୋଜିବା ଚିନ୍ତାରେ ପଡ଼ିଥିଲା ବିଏମ୍ସି। ୨୦୨୧ ମସିହାରେ କମିସନରେଟ୍ ପୁଲିସ ମଧ୍ୟ ଏଭଳି ଗାଡ଼ିସବୁକୁ ନେଇ ଯିବା ପାଇଁ ଘୋଷଣା କରିବା ସହ ୨୦ରୁ ୨୫ଟି ଗାଡ଼ି ନେଇ ଯାଇଥିଲା। କିନ୍ତୁ ଭଙ୍ଗା ଗାଡ଼ି ହୋଇଥିବାରୁ ଜରିମାନା ଦେଇ କେହି ଆଣିନଥିଲେ। କେତେକ ଗାଡ଼ିର ପଞ୍ଜୀକରଣ ନମ୍ବର, ଚେସିସ୍ ନମ୍ବର ନଥିବାରୁ ମାଲିକଙ୍କୁ ଚିହ୍ନଟ କରିହେଲା ନାହିଁ। ଏଣୁ ଟ୍ରାଫିକ୍ ପୁଲିସ ମଧ୍ୟ ଏଥିରୁ ନିବୃତ୍ତ ରହିଥିଲା।
[ad_2]