ରାଜ୍ୟ

ଇତିହାସରେ ପ୍ରଥମ: ବଡ଼ବଡ଼ିଆଙ୍କଠି ବାଜିଲା ଛାଟ, ଥରକେ ହଟିଲେ ପାଞ୍ଚ ମୁଖିଆ

ଭୁବନେଶ୍ବର: ପୂର୍ତ୍ତ ବିଭାଗର ରାସ୍ତା ଓ କୋଠାବାଡ଼ି ବିଭାଜନରେ ବ୍ୟାପକ ଦୁର୍ନୀତି ଅଭିଯୋଗ ହେବା ପରେ ଶତାଧିକ ଇଞ୍ଜିନୟରଙ୍କ ବଦଳି ହୋଇଛି। ଏଥିରେ ଭୁବନେଶ୍ବରର ୫ଟି ଯାକ ରାସ୍ତା ଓ କୋଠାବାଡ଼ି ଡିଭିଜନ୍‌ର ମୁଖିଆ ବଦଳିଛନ୍ତି। ପ୍ରତ୍ୟେକ ଡିଭିଜନ୍‌ରେ କେଳେଙ୍କାରୀର ଅଭିଯୋଗ ରହିଥିବା ବେଳେ ଡିଭିଜନ୍‌-୧ରେ ସବୁଠାରୁ ଅଧିକ ରହିଥିଲା। ଏହି ଡିଭିଜନ୍‌ ଦାୟିତ୍ବରେ ଥିବା‌ ଅଧିକ୍ଷଣ ଯନ୍ତ୍ରୀ ତ୍ରିନାଥ ବେହେରାଙ୍କର କଟକ ବଦଳି ହୋଇଛି। ତାଙ୍କ ଜାଗାରେ ପ୍ରଭୁଦତ୍ତ ପ୍ରଧାନଙ୍କୁ ନିଯୁକ୍ତ ମିଳିଛି। ସେ ଆସନ୍ତାକାଲି କାର୍ଯ୍ୟରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୬ ମାସ କାଳ ଖାଲି ପଡ଼ିଥିବା ଡିଭିଜନ୍‌-୨ ଦାୟିତ୍ବ ସଚିନ୍‌ ସାହୁଙ୍କୁ ମିଳିଛି। ସେ ପୂର୍ବରୁ ଡିଭିଜନ୍‌-୪ ଦାୟିତ୍ବରେ ଥିଲେ। ଡିଭିଜନ୍‌-୩ର ଅଧିକ୍ଷଣ ଯନ୍ତ୍ରୀ ଗାୟତ୍ରୀ ପଟେଲ୍‌ଙ୍କର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଛି। ତାଙ୍କ ଜାଗାରେ ବଲାଙ୍ଗୀରରେ ଥିବା ନରେନ୍ଦ୍ର ଘଡ଼ାଇ ଆସିଛନ୍ତି। ଓବିସିସି ଲିମିଟେଡ୍‌ରେ କାମ କରୁଥିବା ସୁନ୍ଦର ମାଧବ ପାଢ଼ୀଙ୍କ ଡିଭିଜନ୍‌-୪କୁ ଆସଛନ୍ତି। କଟକରେ କାମ କରୁଥିବା ଅମରେଶ ରାଉତରାୟଙ୍କୁ ଡିଭିଜନ୍‌-୫ ଦାୟିତ୍ବ ମିଳିଛି। ଅନ୍ୟପଟେ ଡିଭିଜନ୍‌-୧ରେ ରହିଥିବା ସହକାରୀ ଯନ୍ତ୍ରୀ ସମ୍ବିତ ମହାନ୍ତିଙ୍କର ମାର୍ଚ୍ଚ ମାସରୁ ଓବିସିସିକୁ ବଦଳି ହୋଇଛି। ହେଲେ ସେ ଯାଉ ନାହାନ୍ତି। ତାଙ୍କ ଜାଗାରେ କେହି ଆସିନଥିବାରୁ ତାହାର ସୁଯୋଗ ନେଇ ବସି ରହିଛନ୍ତି। ନିକଟ ଅତୀତରେ ବଦଳି ଆଦେଶ ତୁରନ୍ତ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୁଖିଆ ବଦଳିଥିଲେ ମଧ୍ୟ ସେ ଯାଉ ନଥିବାରୁ ବିଭିନ୍ନ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ପୂର୍ବରୁ ହଟିଥିଲେ ତଳିଆ, ନୂଆ ସରକାର କଲେ ସବୁ ଡିଭିଜନ୍‌ର ନବକଳେବର

ଗୋଟିଏ ଥରରେ ଏଭଳି ୫ଟି ଯାକ ଡିଭିଜନ୍‌ର ମୁଖିଆ ପରିବର୍ତ୍ତନ ହେବା ଘଟଣା ପୂର୍ତ୍ତ ବିଭାଗ ଅଧୀନରେ ଭୁବନେଶ୍ବର ରାସ୍ତା ଓ କୋଠାବାଡ଼ି ବିଭାଜନ ଇତିହାସରେ ପ୍ରଥମଥର ପାଇଁ ଘଟିଛି। ବାସ୍ତବରେ ଡିଭିଜନ୍‌-୧ର କାର୍ଯ୍ୟକଳାପ ପାଇଁ ସମଗ୍ର ଡିଭିଜନ୍‌ ବଦନାମ ହୋଇଥିଲା। ଏଠା‌ରେ ୧୫ରୁ ଊର୍ଦ୍ଧ୍ବ ବର୍ଷ ହେବ କର୍ମଚାରୀ ଗାଦି ମାଡ଼ି ବସିଥିଲେ। ଅଭିଯୋଗ ହେବା ପରେ ବଦଳି ହୋଇଥିଲା। ହେଲେ ୧୫ ଦିନ ହେବେ ସେମାନେ ଆଦେଶ ମାନୁ ନଥିଲେ। ଉଚ୍ଚ କର୍ତ୍ତୃପକ୍ଷ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ସେମାନେ ଗାଦି ଛାଡୁ ନଥିଲେ। ଡିଭିଜନ୍‌ ଦାୟିତ୍ବରେ ଥିବା ଏହି ସବୁ ଅଧିକାରୀମାନେ ସେମାନେ କିଭଳି ରିଲିଭ୍‌ ହେବେ ସେ ନେଇ ଉଦ୍ୟମ କରୁନଥିଲେ ବା ଉଦ୍ୟମ କରୁଥିଲେ ମଧ୍ୟ ଅଧସ୍ତନ କର୍ମଚାରୀମାନେ ଏମାନଙ୍କର ଆଦେଶ ମାନୁ ନଥିଲେ। ଶେଷରେ କର୍ମଚାରୀମାନେ ଗାଦି ନଛାଡ଼ିଲେ ଏହି ସବୁ ବରିଷ୍ଠ ଅଧିକାରୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବେ ବୋଲି ବିଭାଗ ତାଗିଦ କରିବା ପରେ କର୍ମଚାରୀମାନେ ନୂଆ ଜାଗା‌ରେ ଯୋଗ ଦେଇଥିଲେ। ଏତିକିରେ ବିବାଦ ଥମି ନଥିଲା।

ଜଣେ ଠିକାଦାର ନିଜର ବିଲ୍‌ ପାସ୍‌ କରିବା ପାଇଁ ଡିଭିଜନ୍‌-୧ର ଜଣେ ମହିଳା କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିଲେ। ଏ ନେଇ ସମ୍ପୃକ୍ତ ମହିଳା କର୍ମଚାରୀ ତ୍ରିନାଥ ବେହେରାଙ୍କୁ ଅଭିଯୋଗ କରିଥିଲେ। ହେଲେ ଶ୍ରୀ ବେହେରା ଏହାକୁ ଆପୋଷ ସମାଧାନ କରିବାକୁ ଚାପ ପକାଥିଲେ। ଫଳରେ ମାମଲା ଥାନାକୁ ଯାଇ ନଥିଲା। ଅଭିଯୁକ୍ତ ଠିକାଦାରଙ୍କ ସହ ହାତ ମିଳାଇ ଏଭଳି ଏକ ସମ୍ବେଦନଶୀଳ ଘଟଣାକୁ ଚାପି ଦେବା ଅଭିଯୋଗ ହୋଇଥିଲା। ଏ ନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଏହି ବିଭାଜନର ଆମୂଳଚୁଳ ପରିବର୍ତ୍ତନ କରିବା ପାଇଁ ଯୋଜନା ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଗତ ଜୁଲାଇ ମାସରେ କେନ୍ଦ୍ରୀୟ (ଆର ଆଣ୍ଡ ବି) ସର୍କଲ ମୁଖ୍ୟ ଏହି ସବୁ ବିଭାଜନରୁ ୧୫ ଜଣ କର୍ମଚାରୀଙ୍କୁ ବଦଳି କରିଥିଲେ। ୧୧ ଜଣ ବଦଳି ଆଦେଶ ମାନି ନଥିଲେ। ଏଥିରେ ୨୬ ବର୍ଷ ଧରି ଜଣେ ବରିଷ୍ଠ ସହାୟକ ଡିଭିଜନ୍‌-୧ରେ କ୍ୟାସିୟର ଭାବେ ରହିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button