ରାଜ୍ୟ

ହଜ ନବୀକରଣ ନାମରେ ୫ କୋଟି ଚଳୁ: ତଦନ୍ତ ଦାବି କଲେ ସ୍ଥାନୀୟ ବାସୀନ୍ଦା

ପୁରୁଣା ଭୁବନେଶ୍ବର: ୫ କୋଟିରୁ ଅଧିକ ଟଙ୍କା ବ୍ୟୟବରାଦ ହେଲା। ତଥାପି ସରିଲାନି କପିଳପ୍ରସାଦ ସୁନ୍ଦରପଦା ହଜ ପୁନରୁଦ୍ଧାର କାମ। ଠିକାଦାର-ଯନ୍ତ୍ରୀ ସିନା ମାଲାମାଲ୍‌ ହେଲେ, କିନ୍ତୁ ସାଧାରଣ ଲୋକ ଏହାର କାଣିଚାଏ ବି ସୁବିଧା ପାଇଲେ ନାହିଁ। ରକ୍ଷଣାବେକ୍ଷଣ ନହେବାରୁ ଯେଉଁ କିଛି କାମ ହୋଇଥିଲା ତାହା ଏବେ ମାଟିରେ ମିଶିବାକୁ ବସିଲାଣି। ୨୦୧୭ ମସିହାରେ ଓଡ଼ିଶା ସହରାଞ୍ଚଳ ଭିତ୍ତିଭୂମି ବିକାଶ ପାଣ୍ଠି (ଓୟୁଆଇଡିଏଫ୍‌)ରୁ ୧୬.୮୧ କୋଟି ଖର୍ଚ୍ଚ କରାଯାଇ ସହରର ୧୪ଟି ଜଳାଶୟର ପୁନରୁଦ୍ଧାର କରାଯାଇଥିଲା। ପ୍ରାୟ ୨୬ ଏକର ପରିମିତ କପିଳପ୍ରସାଦ ସୁନ୍ଦରପଦା ହଜ ପୋଖରୀରେ ସର୍ବାଧିକ ୫.୩୬ କୋଟି ଟଙ୍କା ଟେଣ୍ଡର ହୋଇଥିଲା। ହେଲେ କାମ ନେଇଥିବା ଠିକା ସଂସ୍ଥା ପ୍ରଥମରୁ ନିମ୍ନ ମାନର କାମ କରିବା ଆରମ୍ଭ କରି ଦେଇଥିଲା। ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ବାରମ୍ବାର ବିଏମ୍‌ସି କମିସନର, ମେୟର ଓ ଦାୟିତ୍ବରେ ଥିବା ପଦାଧିକାରୀଙ୍କୁ ଅଭିଯୋଗ କରିଥିଲେ। ହେଲେ କାମର ତଦାରଖ କରିବାକୁ ବିଏମ୍‌ସି ପକ୍ଷରୁ କେହି ଆସିଲେ ନାହିଁ। ବଡ଼ କଥା ହେଲା, ଠିକାଦାର ନିର୍ଭୟରେ ନିମ୍ନମାନର କାମ କଲା ଏବଂ ଚତୁରତାର ସହ ପୁରା କାମ ନକରି ଖସିଗଲା। ହେଲେ ଯେତିକି କାମ ହୋଇଛି ତା’ର ବହୁ ଗୁଣ ଅର୍ଥ ନେଇ ଠିକାସଂସ୍ଥା ଚାଲିଗଲା। ଏମିତିକି ଟେଣ୍ଡରେ ଥିବା ଶୌଚା‌ଳୟ ଓ ପାର୍କିଂ ସ୍ଥଳ କାହିଁକି ନିର୍ମାଣ କରାଗଲା ନାହିଁ ସେନେଇ ବିଏମ୍‌ସି ପକ୍ଷରୁ ଥରୁଟିଏ ଖୋଳତାଡ଼ କରାଗଲା ନାହିଁ।

ତଦନ୍ତ ଦାବି କଲେ ସ୍ଥାନୀୟ ବାସୀନ୍ଦା
ତୁରନ୍ତ ବାକି ଥିବା କାମ ସାରିବାକୁ ଗ୍ରାମାବସୀଙ୍କ ନିବେଦନ

୨୦୧୮ ମସିହାରେ ଅର୍ଥାତ କାମ ନସରୁଣୁ ଚଲାପଥରୁ ଫେବର୍‌ ବ୍ଲକ୍‌ ଉଠିଗଲା। ଚାରିପଟ ହୁଡ଼ାରେ ଲାଗିଥିବା ୪୦ ଷ୍ଟ୍ରିଟ୍‌ ଲାଇଟ୍‌ ମଧ୍ୟରୁ ଅଧାରୁ ଅଧିକ ଅଚଳ ହୋଇଗଲା। ଗାର୍ଡ ୱାଲ୍‌ରେ ଲାଗିଥିବା ଷ୍ଟିଲ୍‌ ରେଲିଂ ଭାଙ୍ଗିଗଲା। ପୋଖରୀ ଭିତରେ ଦଳ ଭର୍ତ୍ତି ହେଲା। ତଥାପି ବିଏମ୍‌ସିର ନିଦ ଭାଙ୍ଗିଲା ନାହିଁ। କୋଟି କୋଟି ଟଙ୍କା ରାଜସ୍ବ ଖର୍ଚ୍ଚ ହୋଇଥିଲେ ହେଁ ଏବେ ଏହି ହଜ ଗ୍ରାମବାସୀଙ୍କ କାମରେ ଲାଗୁନାହିଁ। ଅନ୍ୟପଟେ ପୋଖରୀରେ ଦଳ ଓ ପୋଖରୀ ଚାରିପାଖରେ କୁଢ଼ କୁଢ଼ ଅଳିଆ, ଆବର୍ଜନା ଗ୍ରାମବାସୀଙ୍କ ଦୁଃଖର କାରଣ ପାଲଟିଛି। ପୋଖରୀରେ ଡ୍ରେନ୍‌ ପାଣି ମିଶୁଛି। ମଶା, ମାଛି ଯୋଗୁ ନିକଟରେ ଥିବା ଘର ସବୁ ତ୍ରାହି ତ୍ରାହି ଡାକୁଛନ୍ତି। ବଣ ଜଙ୍ଗଲରେ ପରିଣତ ହୋଇଥିବାରୁ ଏଠାରେ ସକାଳୁ ବିଳମ୍ବିତ ରାତିଯାଏ ନିଶାଡ଼ିଙ୍କ ଆଡ୍ଡା ଜମୁଛି। ମଦବୋତଲ, ଆପତ୍ତିଜନକ ସାମଗ୍ରୀ ହଜ ଚାରିପାଖ କୁଢ଼ କୁଢ଼ ଗଦା ହୋଇଛି। ଗ୍ରାମବାସୀ ପ୍ରଶାନ୍ତ ପ୍ରଧାନ କହିଛନ୍ତି ଏଠି ୫ କୋଟି କ’ଣ ୧ କୋଟି ବି ଖର୍ଚ୍ଚ ହୋଇନାହିଁ। ସଂପୃକ୍ତ ନେତା, ଠିକାଦାର ଓ ଦାୟିତ୍ବରେ ଥିବା ଅଧିକାରୀ ମିଳିମିଣି କୋଟି କୋଟି ଟଙ୍କା ଆତ୍ମସାତ କରିଛନ୍ତି। ଏ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ଏନେଇ ୬୭ ୱାର୍ଡର କର୍ପୋରେଟର ମଧୁସ୍ମିତା ପ୍ରଧାନ କହିଛନ୍ତି ପୂର୍ବ କର୍ପୋରେଟରଙ୍କ ସମୟରେ ହଜ କାମ ହୋଇଥିଲା। ହେଲେ ଅଧା କାମ କରି ଠିକାସଂସ୍ଥା ଚାଲିଗଲା। ଏବେ ପୂର୍ବ ଟେଣ୍ଡରକୁ ବାତିଲ କରାଯାଇ ନୂଆ ଟେଣ୍ଡର କରାଯାଉଛି। ଖୁବ୍‌ ଶୀଘ୍ର ପୁନରୁଦ୍ଧାର କାମ ତ୍ବରାନ୍ବିତ ହେବ।

 

Related Articles

Leave a Reply

Your email address will not be published. Required fields are marked *

Back to top button