ରାଜ୍ୟ

ରବିବାର ପଥ ଉତ୍ସବ: ବିଡିଏ, ବିଏମ୍‌ସିକୁ ଟଙ୍କା ଚିନ୍ତା

ଭୁବନେଶ୍ବର: ଆ‌ସନ୍ତା ରବିବାର ବା ୨୨ ତାରିଖରେ ବିଏମ୍‌ସି ଆୟୋ‌ଜନ କରିବ ପଥ ଉତ୍ସବ। ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ରାମ ମନ୍ଦିର ପର୍ଯ୍ୟନ୍ତ ସକାଳ ୬ରୁ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ନାଚ ଗୀତରେ ମସଗୁଲ୍‌ ହେବେ ଭୁବ‌ନେଶ୍ବରିଆ। ଏଥିପାଇଁ ଆଜି ବସିଥିବା ଏକ ପ୍ରସ୍ତୁତି ବୈଠକରେ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ପର୍ଯ୍ୟାୟକ୍ରମେ ବାକି ଦୁଇ ନିର୍ବାଚନମଣ୍ଡଳୀର ପ୍ରମୁଖ ରାସ୍ତାରେ ଏହି ଉତ୍ସବ ଆୟୋଜିତ ହେବ। ଗତବର୍ଷରୁ ଏହି କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିବା ଏଜେନ୍‌ସି ‘ସେଲିବ୍ରେସନ୍‌ସ୍‌’ ଏଥର ମଧ୍ୟ ଏହାକୁ ଆୟୋଜନ କରିବ।

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଚାପ
ଗତବର୍ଷ ଖର୍ଚ୍ଚ କରିଥିଲେ ୨୦ କୋଟି
ଏ ବର୍ଷ ଅଧାରେ କାମ ଚଳାଇବାକୁ ଯୋଜନା

ତେବେ ଗତ ଥର ଅନେକ କାର୍ଯ୍ୟକ୍ରମର ସ୍ବପ୍ନ ଦେଖାଇ ଆୟୋଜନ କରିପାରିନଥିବାରୁ କର୍ପୋରେଟରମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଆସି ହୋଇଥିବା ପ୍ରାରମ୍ଭିକ ଆଲୋଚନାରେ ହୋ ହଲ୍ଲା ହେବା ପରେ ଆସନ୍ତାକାଲି ପୂର୍ଣ୍ଣାଙ୍ଗ ଆଲୋଚନା ହେବାକୁ ରହିଛି। ଗତ ଥର ବଲିଉଡ୍‌ କଳାକାର ନଥିବା ବେଳେ ଏଥର ମଧ୍ୟ ବଲିଉଡ୍‌ କଳାକାରଙ୍କୁ ଦେଖିବାକୁ ମିଳିବନି। ରାଜ୍ୟର ଚର୍ଚ୍ଚିତ କିମ୍ବା ପ୍ରସିଦ୍ଧ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିବନି। ଏଣୁ ଏହି କାର୍ଯ୍ୟକ୍ରମ ଗତ ବର୍ଷ ଭଳି ଆକର୍ଷଣୀୟ ହେବ ନାହିଁ ବୋଲି ଅଭଯୋଗ ହୋଇଛି। ଗତ ଥର ତିନିଟି ପଥଉତ୍ସବରେ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏଥର ଏହି ପରିମାଣରୁ ଅଧିକ ଖର୍ଚ୍ଚ ହେବ। ଗୋଟିଏ ପଟେ ଏଥିରେ ବିଏମ୍‌ସିର କିଛି ଲାଭ ହେଉ ନଥିବା ବେଳେ ଏହା ଆକର୍ଷଣୀୟ ନହେବା ବିଭିନ୍ନ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ସବୁଠାରୁ ବଡ଼ କଥା ହେଉଛି ବିଏମ୍‌ସିର ଅର୍ଥ ନଥିବାରୁ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି।

ପୂର୍ବ ବର୍ଷ ଭଳି ଏଥର ମଧ୍ୟ ତିନିଟି ପଥଉତ୍ସବ ଆୟୋଜିତ ହେବ। ଗୋଟିଏ ୨୨ ତାରିଖରେ ରହିଥିବା ବେଳେ ଗୋଟିଏ ୨୯ ଓ ଶେଷଟି ଜାନୁଆରି ୫ ତାରିଖରେ ରହିଛି। ୫ ତାରିଖରେ ହିଁ ବିଡିଏ ସିଟି ଫେଷ୍ଟ(ଡଟ୍‌ ଫେଷ୍ଟ)ଆୟୋଜନ କରୁଛି। ଗତ ବର୍ଷ ଭଳି ଫୁଡ୍‌ ଫେଷ୍ଟିଭାଲ୍‌, ଭୁ-ଫେଷ୍ଟୋ ଓ ଡଟ୍‌ଫେଷ୍ଟ ଭଳି ଅନ୍ୟାନ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଗତ ବର୍ଷ ଏହି ସବୁ ଉତ୍ସବ ବାବଦକୁ ଓଡ଼ିଶା ଖଣି ନିଗମ ଓ ପର୍ଯ୍ୟଟନ ବିଭାଗ ସହାୟତାରେ ବିଡିଏ ୧୩ କୋଟି ୮୫ ଲକ୍ଷ ୪୨ ହଜାର ୬୪୨ ଟଙ୍କା ଖର୍ଚ୍ଚ କରିଥିଲା। ବିଡିଏ ପାଣ୍ଠିରୁ ବି ପ୍ରାୟ ୬କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସବୁଠାରୁ ଅଧିକ ଖର୍ଚ୍ଚ ଡଟ୍‌ ଫେଷ୍ଟରେ ହୋଇଥିଲା। ବଲିଉଡ୍‌ ନାଇଟ୍‌ସ୍‌ରେ ପ୍ରସିଦ୍ଧ କଳାକାରଙ୍କ ପିଛାରେ ଏହି ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଏଣୁ ଏଥର ବିଡିଏ ଏହି ମୋଟା ଅଙ୍କର ଖର୍ଚ୍ଚକୁ ‌ନେଇ ଚିନ୍ତାରେ ପଡ଼ିଛି। ଘନ ଘନ ବୈଠକ ବସୁଥିଲେ ମଧ୍ୟ ଡଟ୍‌ଫେଷ୍ଟରେ କଳାକାର ଚୟନକୁ ନେଇ ଚୂଡ଼ାନ୍ତ ହୋଇ ପାରୁ ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button