ରାଜ୍ୟ

ଫିଟୁଛି ଭରତପୁର ଆଇଆଇସିଙ୍କ ଗୁମର: ବଟି ମାଗି ବିଦା, ପରେ ଆଦର୍ଶ ଥାନାରେ ନିଯୁକ୍ତି

ଭୁବନେଶ୍ବର: ଭରତପୁର ଥାନାରେ ଘଟିଥିବା ଘଟଣା ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି । ଘଟଣାରେ ସତ ଖୋଜୁଛି କ୍ରାଇମବ୍ରାଞ୍ଚ । ସେପଟେ ଏବେ ବି ଏହି ଘଟଣାରେ କେହି ବି ଗିରଫ ହୋଇନଥିବା ବେଳେ ଖାଲି ପଚରାଉଚରା ଚଲାଇଛି ପୋଲିସ୍ । ଯାହାକୁ ନେଇ ଏବେ ପୋଲିସର କାର୍ଯ୍ୟନୁଷ୍ଟାନ ସ୍ବଚ୍ଛତା ନେଇ ପ୍ରଶ୍ନ ଉଠିଛି ।

ସେପଟେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ଥାନାରେ ନିର୍ଯାତନା ଦେବା ଘଟଣାରେ ଭରତପୁର ଥାନା ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୋଲିସ୍ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି ।

ଘଟଣାକୁ ନେଇ କ୍ରାଇମବ୍ରାଞ୍ଚ ମଧ୍ୟ ଆଇଆଇସିଙ୍କୁ ଜାରା କରିଛି । ହେଲେ ଏହା ପ୍ରାଥମିକ ବୋଲି କହିଛି କ୍ରାଇମବ୍ରାଞ୍ଚ । ଏହା ପରେ ପୁଣି ତାଙ୍କୁ ପଚରାଉଚରା କରାଯିବ ।

ଏହାରି ଭିତରେ ଏବେ ଫିଟିବାରେ ଲାଗିଛି ନିଲମ୍ବିତ ଆଇଆଇସି ଦିନକୃଷ୍ଣ ମିଶ୍ରଙ୍କ ଗୁମର । ପୂର୍ବରୁ ମଧ୍ୟ ବିବାଦୀୟ ହୋଇଥିଲେ ପୋଲିସ୍ ଅଧିକାରୀ । ୨୦୨୨ରେ ବାଲିଯାତ୍ରା ବଟି ମାଗି ଥାନାରୁ ବିଦା ହୋଇଥିଲେ । ୨୦୨୨ ତତ୍କାଳୀନ କ୍ୟାଣ୍ଟନମେଣ୍ଟ ଥାନାର ମଧ୍ୟ ଆଇଆଇସି ଥିଲେ ଦୀନକୃଷ୍ଣ ମିଶ୍ର । କଟକ ବାଲିଯାତ୍ରାରେ ଗାଡି ଷ୍ଟାଣ୍ଡର କର୍ମଚାରୀଙ୍କୁ ୫୦ ଜହାର ଟଙ୍କା ବଟି ମାଗିଥିଲେ । ଏହି ଘଟଣା ଜାଣଇବା ପରେ ସେତେବେଳେ ଏନେଇ ସ୍ବର ଉଠାଇଥିଲା ବିଜେପି । ଏନେଇ ଭିଡିଓ ପ୍ରମାଣ ଦେଇ ପୋଲିସ୍ ଡିଜିଙ୍କ ପାଖରେ ମଧ୍ୟ ଦୀନକୃଷ୍ଣ ଓ ସଂପୃକ୍ତ ଅଧିକାରୀଙ୍କୁ ନିଲମ୍ବନ କରିବା ପାଇଁ ଫେରାଦ ହୋଇଥିଲା । ଘଟଣାର ସତ୍ୟାସତ୍ୟ ଜାଣିବା ପରେ ତତ୍କାଳୀନ ପୋଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ୨୦୨୨ ନଭେମ୍ବର ୨୧ରେ ତାଙ୍କୁ କ୍ୟାଣ୍ଟେନମେଣ୍ଟ ଥାନାରୁ ହଟାଇ ଦେଇଥିଲେ । ପରେ ତାଙ୍କୁ କଟକ ଡିସିପି ଅଫିସରେ ଅବସ୍ଥାପିତ କରାଯାଇଥିଲା । ପରେ ତାଙ୍କୁ କଟକରୁ ଭୁବନେଶ୍ବର କମିସନରେଟ୍ ପୋଲିସକୁ ବଦଳି କରାଯାଇଥିଲା । ଗତବର୍ଷ ସେପ୍ଟେମ୍ବରରେ ତାଙ୍କୁ ଭରତପୁର ଆଦର୍ଶ ଥାନାରେ ଆଇଆଇସି ଭାବେ ନିଯୁକ୍ତି ମିଳିଥିଲା । ସବୁଠୁ ବଡ କଥା ହେଉଛି ସେତେବେଳେ ବି ପୋଲିସ୍ କମିଶନ ଥିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ । ଆଉ ଏବେ ବର୍ତ୍ତମାନର ଘଟଣାରେ ଦୀନକୃଷ୍ଣଙ୍କୁ ପ୍ରଥମେ ବଦଳି ଆଉ ପରେ ନିଲମ୍ବନ କରାଯାଇଚି । କିନ୍ତୁ ଏହି ପୂରା ଘଟଣା ଏବେ ପୋଲିସ୍ ସ୍ବଚ୍ଛତା ଓ କାର୍ଯ୍ୟକାରିତା ନେଇ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button