ରାଜ୍ୟ

ଏମିତି ବାପାଙ୍କୁ କୋଟି ପ୍ରଣାମ, ଦୁଇ ପୁଅଙ୍କ ପାଇଁ ପାଲଟି ଯାଇଛନ୍ତି ମାଆ

ଦଳା: ଆଙ୍ଗୁଠି ଧରି ଯିଏ ବାଟ ଚଲେଇବା ଶିଖାନ୍ତି, ଯିଏ ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କ ପାଟିରେ ଆହାର ଯୋଗାନ୍ତି, ନିଜ ଲୁହକୁ ଲୁଚାଇ ସନ୍ତାନଙ୍କୁ ହସିବା ଶିଖାନ୍ତି ସିଏ ହେଉଛନ୍ତି ବାପା। କଥାରେ ଅଛି ଯାହାର ମାଆ ନାହିଁ ତାହାର ସାହା କେହି ନାହିଁ । ହେଲେ ଏଠି ମାଆଙ୍କ ଭୂମିକା ତୁଲାଉଛନ୍ତି ଜଣେ ବାପା। ଏ ଏମିତି ଜଣେ ବାପା ଯିଏକି କେବେବି ପିଲା ମାନଙ୍କ କୌଣସି କାମରେ ଅବହେଳା କରି ନାହାଁନ୍ତି ।

କେତେବେଳେ ମାଆର ଭୂମିକା ତୁଲାଉଛନ୍ତି ତ ଆଉ କେତେବେଳେ ବାପାର ଭୂମିକା ତୁଲାଉଛନ୍ତି । ସେଥିପାଇଁ ଏ ବାପା ଅନ୍ୟ ବାପାଙ୍କ ପାଇଁ ହୋଇଛନ୍ତି ଉଦାହରଣ ।

ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଡିମ୍ବଗଡିଆ ପଞ୍ଚାୟତ ଯଦୁଖୁଣ୍ଟା ଗ୍ରାମର ଏ ହେଉଛନ୍ତି ଶଙ୍କରା ମୁର୍ମୁ । ପରିବାର କହିଲେ ୧୧ ବର୍ଷର ପୁଅ ଫୁଦାନ ଓ ୭ ବର୍ଷର ପୁଅ ସାକିଲା ମୁର୍ମୁ । ଆଜକୁ ୪ ବର୍ଷ ପୂର୍ବରୁ ସ୍ତ୍ରୀ ସୁଗି ମୁର୍ମୁ କିଡନୀ ରୋଗରେ ପୀଡ଼ିତ ହୋଇ ଆରପାରିରେ । ସ୍ତ୍ରୀଙ୍କର ମୃତ୍ୟୁ ପରେ ଦୁଇ ପୁଅଙ୍କ ଦାୟିତ୍ୱ ତାଙ୍କ ଉପରେ । ମୂଲ ଲାଗି ଶଙ୍କରା ଯାହା କିଛି ରୋଜଗାର କରନ୍ତି ତିନି ପ୍ରାଣୀ କୁଟୁମ୍ବ ଯାହା ଯେମିତି ଚାଲି ଯାଆନ୍ତି । ଯେତେ ଦୁଃଖ କଷ୍ଟ ଥିଲେ ମଧ୍ୟ ଦୁଇ ପୁଅଙ୍କ ଖୁସି ପାଇଁ ଶଙ୍କରା ନିଜର କଷ୍ଟ କୁ ଭୁଲିଯାନ୍ତି । ଏପଟେ ଶଙ୍କରାଙ୍କ ସାନ ପୁଅ ସାକିଲା ଜଣେ ଦିବ୍ୟାଙ୍ଗ । ତଥାପି ପୁଅର ଯତ୍ନ ନେବାରେ ସେ କେବେବି ଅବହେଳା କରନ୍ତି ନାହିଁ ।

ସ୍ତ୍ରୀଙ୍କ ଅକାଳ ବିୟୋଗ ପରେ ଏବେ ସ୍ତ୍ରୀଙ୍କ ଫଟୋକୁ ଦେଖି ମନେ ପକାଉଛନ୍ତି ଶଙ୍କରା । ତେବେ ସେ ଆଜି ପର୍ଯ୍ୟନ୍ତ ନିଜେ ହାର ମାନିନାହାଁନ୍ତି । ଦୁଇ ପୁଅଙ୍କ ଦୁଃଖରେ ଦୁଃଖି ଓ ପୁଅ ମାନଙ୍କ ସୁଖରେ ସୁଖୀ ହୋଇ ନିଜର କର୍ତ୍ତବ୍ୟରେ କରିଚାଲିଛନ୍ତି । ଏହିପରି କି ନିଜର ଦୁଇ ପୁଅଙ୍କ ଖୁସି ଦେଖିବା ପାଇଁ ସେ ଦ୍ଵିତୀୟ ବିବାହ କରିବେ ନାହିଁ ବୋଲି କହିଛନ୍ତି । ଦୁଇ ପୁଅଙ୍କୁ କିପରି ବଡ଼ କରି ମଣିଷ କରିବେ ସେଥିପାଇଁ ସେ ସବୁ କିଛି ଭୁଲି ଯାଇଛନ୍ତି । ତାଙ୍କର ଏହି ମହାନତା ପାଇଁ ସମସ୍ତଙ୍କ ଠାରେ ପ୍ରିୟର ପାତ୍ର ହୋଇପାରିଛନ୍ତି ।

ସତରେ ଏହି ଉଦାରବାଦୀ ବାପାଙ୍କୁ ଦେଖିଲେ ଆଖିରୁ ଲୁହ ଝରି ଆସିବ । ମାଆ ପରି ପିଲା ମାନଙ୍କୁ ରୋଷେଇ କରି ଖାଇବାକୁ ଦେବା, ଗାଧୋଇ ଦେବା, ଶୁଆଇ ଦେବା ଓ ମୁଣ୍ଡ କୁଣ୍ଡାଇ ଦେବା ପରି ସବୁ କିଛି କରିଥାନ୍ତି ଶଙ୍କରା । ଏହିପରି କି ଦୁଇ ପୁଅଙ୍କ ଆଖିରେ ଲୁହ ପୋଛି କହୁଛନ୍ତି ତୁମେ ଦୁଇ ଜଣ ମୋର ସବୁକିଛି । ମୁଁ ତୁମ ମାନଙ୍କୁ କେବେ ପର କରି ପାରିବି ନାହିଁ । ଠିକ୍ ସେହି ପରି ବାପାଙ୍କ ଦୁଃଖରେ ଦୁଃଖୀ ହୋଇ ଏମିତି ବାପା ଜଗତେ ନାହିଁ ବୋଲି କହିଛନ୍ତି ଦୁଇ ପୁଅ । ସତରେ ଶଙ୍କରା ଅନ୍ୟ ବାପାଙ୍କ ପାଇଁ ପ୍ରେରଣା ।

ପ୍ରତ୍ୟେକ ସନ୍ତାନର ସାହସ, ଶକ୍ତି ଓ ପରିଚୟ ହେଉଛି ତା ବାପା । ବାପାର ହାତ ମୁଣ୍ଡରେ ଥିଲେ ଲାଗେ ସାରା ଜଗତଟା ଯେମିତି ତାର । ତେବେ ଭଳି ଜଣେ ବାପାଙ୍କୁ ପାଇ ମାଆ ନଥିବାର ଦୁଃଖକୁ ଭୁଲିପାରିଛନ୍ତି ଦୁଇ ପୁଅ । ସତରେ ଏମିତି ବାପାଙ୍କୁ କୋଟି ପ୍ରଣାମ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button