ରାଜ୍ୟ

ଏବେ ବି ରହିଛି ବହିର ଚାହିଦା, ନିଶୁଳ୍କ ପାଠାଗାରକୁ ନେଇ ଜୋର ଧରିଛି ଚର୍ଚ୍ଚା

ବାଲେଶ୍ୱର: ସମୟ ବଦଳିବା ସହ ଲୋକଙ୍କ ମଧ୍ୟରେ ଡିଜିଟାଲ ଛାପ ପଡିଥିଲେ ବି ଏବେ ବି ରହିଛି ପାଠାଗାରର ଚାହିଦା । ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକ ର୍ପଯ୍ୟନ୍ତ ଏବେ ବି ବହି ଉପରେ ନିର୍ଭର କରୁଛନ୍ତି । ବିଭିନ୍ନ ପୁସ୍ତକ ପ୍ରେମୀ ନିଜ ସାଙ୍ଗ ସାଥିଙ୍କ ସହ ପାଠାଗାରକୁ ଆସି ବିଭିନ୍ନ ପ୍ରକାର ବହି ପଢ଼ିବା ସହ ଅବସର ସମୟକୁ ଏହି ଠାରେ ହିଁ ଅତିବାହିତ କରୁଛନ୍ତି ।

ଆଜିର ଡିଜିଟାଲ ଦୁନିଆରେ ସମସ୍ତଙ୍କୁ ବହି ପଢ଼ା ପ୍ରତି ଆଗ୍ରହ ଆଣିବା ପାଇଁ ବସ୍ତା ବ୍ଲକରେ ପ୍ରତିଷ୍ଠା ହୋଇଛି ଏକମାତ୍ର ନିଶୁଳ୍କ ପାଠାଗାର ।

ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ କୁଳିଦା ପଞ୍ଚାୟତ ଅନ୍ତର୍ଗତ କୁଳିଦା ଗାଁରେ ଓଡିଶା ସରକାର ଏବଂ ଓଡିଶା ସୋସାଇଟି ଅଫ ଦ ଆମେରିକା ( ଓସା )ର ମିଳିତ ଆର୍ଥିକ ସହଯୋଗରେ ପ୍ରତିଷ୍ଠା ହୋଇଛି ନିଶୁଳ୍କ ପାଠାଗାର । ଆଜିର ଡିଜିଟାଲ ଯୁଗରେ ବହି ପଢ଼ିବା ପ୍ରତି ଧୀରେ ଧୀରେ ଲୋକଙ୍କ ଆଗ୍ରହ କମି ଯାଉଛି । ମାତ୍ର ଛୋଟ ପିଲାଙ୍କଠୁ ଆରମ୍ଭ କରି ବୟସ୍କ , ଛାତ୍ରଛାତ୍ରୀ ଏବଂ ସମାଜର ବିଭିନ୍ନ ବର୍ଗର ଲୋକମାନେ ଏହି ପାଠାଗାରକୁ ଆସି ନିଜ ନିଜ ପସନ୍ଦର ପୁସ୍ତକ ପଠନ କରୁଛନ୍ତି । ଏଠାରେ ସମସ୍ତେ ବହି ପଢିବା ସହ କମ୍ପ୍ୟୁଟର ଶିକ୍ଷା ମଧ୍ୟ ଗ୍ରହଣ କରୁଛନ୍ତି । ବସ୍ତା ବ୍ଲକରେ ପ୍ରଥମ ଥର ପାଇଁ ଏଭଳି ପାଠାଗାର ପ୍ରତିଷ୍ଠା କରାଯିବାରୁ ଅଞ୍ଚଳବାସୀ ଏବଂ ଛାତ୍ରଛାତ୍ରୀମାନେ ବେଶ ଖୁସି ଅଛନ୍ତି ।

ବାହାରେ ମିଳୁନଥିବା ବିରଳ ବହି ପଢିବାର ସୁଯୋଗ ସୃଷ୍ଟି କରିଛି ଏହି ପାଠାଗାର । ଯେଉଁ ବହି ଗୁଡିକ ବାହାର ଦୋକାନରେ ମିଳିବା କଷ୍ଟକର ସେହି ବହି ସବୁ ଏହି ପାଠାଗାରରେ ସହଜ ଏବଂ ମାଗଣାରେ ଉପଲବ୍ଧ ହେଉଛି । ୨୦୧୯ ମସିହାରେ ଏହି ପାଠାଗାରର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ୨୦୨୨ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା । ଏଠାରେ ବିଭିନ୍ନ ପ୍ରକାର ପାଠ୍ୟ ପୁସ୍ତକ ବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ପାଇଁ କମ୍ପ୍ୟୁଟର ଶିକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଇଛି । ପଞ୍ଚାୟତ ତରଫରୁ ଶୌଚାଳୟ ବ୍ୟବସ୍ଥା କରାଯାଇଛି ।

ଆଜିର ଡିଜିଟାଲ ଯୁଗରେ ବହି ପଢିବା ପାଇଁ ଲୋକମାନଙ୍କର ଆଗ୍ରହ କମି ଯାଉଥିବାବେଳେ ଶିକ୍ଷା ସଂସ୍କାରକୁ ଆଉ ପାଦେ ଆଗକୁ ବଢାଇବା ପାଇଁ ମାଧ୍ୟମ ସାଜିଛି ଏହି ନିଶୁଳ୍କ ପାଠାଗାର ।

Related Articles

Leave a Reply

Your email address will not be published. Required fields are marked *

Back to top button