ରାଜ୍ୟ

ସେପ୍ଟେମ୍ବର ୧୫ରେ ଓଡ଼ିଶାରେ ଚାଲିବ ୩ ‘ବନ୍ଦେ ଭାରତ’, ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,୧୦/୦୯: ଆସନ୍ତା ୧୫ ତାରିଖରେ ଓଡ଼ିଶାରେ ଚାଲିବ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍ । ଏହି ୩ଟି ଏକ୍ସପ୍ରେସ୍ ଟ୍ରେନ୍କୁ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଥିମଧ୍ୟରୁ ଗୋଟିଏ ଏକ୍ସପ୍ରେସ୍ ଟାଟାନଗରରୁ ବ୍ରହ୍ମପୁର ଚାଲିବ । ଯାହା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝର ଦେଇଯିବ ।

ରବିବାର ଏହାର ପରୀକ୍ଷାମୂଳକ ଚଳାଚଳ ସରିଛି । ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍ ହାଓଡ଼ାରୁ ରାଉରକେଲା ଚାଲିବ । ଯାହା ହାଓଡ଼ାରୁ ଛାଡ଼ିବା ପରେ ଖଡ଼ଗପୁର, ଟାଟାନଗର ଓ ଚକ୍ରଧରପୁର ହୋଇ ରାଉରକେଲାରେ ପହଞ୍ଚିବ । ତୃତୀୟ ବନ୍ଦେ ଭାରତ ରାୟପୁରରୁ ବିଶାଖାପାଟଣା ଯିବ । ଯାହା ରାୟପୁର ଛାଡ଼ିବା ପରେ ମହାସମୁନ୍ଦ ହୋଇ ଖରିଆର ରୋଡ୍, କଣ୍ଟାବାଞ୍ଜି, ଟିଟିଲାଗଡ଼, କେସିଙ୍ଗା ଓ ରାୟଗଡ଼ା ଦେଇ ଯିବ । ବିଶାଖାପାଟଣା ପହଞ୍ଚିବା ପୂର୍ବରୁ ବିଜୟନଗରମରେ ଏହି ଟ୍ରେନ୍ ରହଣି ବ୍ୟବସ୍ଥା ଅଛି ।

ଉଲ୍ଲେଖଯୋଗ୍ୟ, ନୂତନ ୩ଟି ବନ୍ଦେ ଭାରତ ଏକ୍ସପ୍ରେସ୍ ମିଳିବା ପରେ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ସଂଖ୍ୟା ୬ରେ ପହଞ୍ଚିବ । ଏହା ରାଜ୍ୟରେ ପରିବହନ ସେବାକୁ ତ୍ୱରାନ୍ୱିତ କରିବ ବୋଲି ପୂର୍ବତଟ ରେଳପଥର ବରିଷ୍ଠ ଅଧିକାରୀ ମତ ଦେଇଛନ୍ତି । ରେଳମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ଯିବା ପରେ ଓଡ଼ିଶାରେ ରେଳବାଇକୁ ଅଧିକ ବଜେଟ୍ ମିଳିବା ସହିତ ରେଳର ପ୍ରଗତି ଆଶାତୀତ ଭାବେ ବଢ଼ିଛି ବୋଲି ଅଧିକାରୀ ସୂଚନା ଦେଇଛନ୍ତି । ଶୀଘ୍ର ଭୁବନେଶ୍ୱର ବିଶ୍ୱସ୍ତରୀୟ ରେଳ ଷ୍ଟେସନ କାମ ସରିବ । ଏହା ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button